କନକ ବ୍ୟୁରୋ : ଓଠରେ ହସ ଫୁଟାଇଲା କନକ ନ୍ୟୁଜ । ଟିଭିରେ ଖବର ବାଜିଲା ପରିବାରକୁ ସାହାଯ୍ୟ ମିଳିଲା । ନଭେମ୍ବର ମାସରେ ଆମେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ବରାଡ଼ିଆ ପଞ୍ଚାୟତ ଶିଆଳିଆ ଗାଁର ସୁଶିଳା ମଲିକଙ୍କ ଦୁଃଖଭରା କାହାଣୀ ଦେଖାଇଥିଲୁ । ସ୍ବାମୀ ଯିବା ପରେ କେମିତି ଅସହାୟ ସୁଶାଳା ଏକୁଟିଆ ଦୁଇ ଝିଅ ଶାଶୂ ଓ ପରିବାକରକୁ କଷ୍ଟେ ମଷ୍ଟେ ଚଳାଉଛନ୍ତି ସେ ଖବର ଆମ ଚ୍ୟାନେଲ ମାଧ୍ୟମରେ ଦେଖାଇଥିଲୁ । ଏବେ ତାଙ୍କୁ ମିଳିଛି ସରକାରୀ ସହାୟତା । ସରକାରୀ ସହାୟତାକୁ ଅପେକ୍ଷା କରି ମରି ମରି ବଞ୍ଚୁଥିବା ସୁଶୀଳା ଏବେ ଟିକେ ଚିନ୍ତାମୁକ୍ତ ହୋଇଛନ୍ତି । 

Advertisment

ରାଜ୍ୟ ସରକାର ଗରିବ ଲୋକମାନଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଅନ୍ତ୍ୟୋଦୟ ଗୃହ ଯୋଜନା ଠାରୁ ଆରମ୍ଭ କରି ଅନେକ ଯୋଜନା କରିଛନ୍ତି । ହେଲେ ଶିଆଳିଆ ଗାଁର ସୁଶୀଳା ମଲିକଙ୍କ ପାଖରେ ପହଞ୍ଚିପାରୁନଥିଲା କୌଣସି ସୁବିଧା । ଆଠ ବର୍ଷ ହେଲା ସ୍ବାମୀ ଆରପାରିରେ । ଘର କହିଲେ ଦୁଇ ଝିଅ ଆଉ ବୃଦ୍ଧା ଶାଶୂ । ଅସୁବିଧା ବେଳେ ଆହା ପଦେ କହିବାକୁ କେହି ନାହିଁ । ମାତ୍ର ୩୫ ବର୍ଷ ବୟସରେ ଦୁଇ ପିଲାଙ୍କୁ କେମିତି ମଣିଷ କରିବେ ସେଇ ଚିନ୍ତାରେ ଥିଲେ ସୁଶୀଳା । ସ୍ୱାମୀ ଅଭୟ ମଲିକଙ୍କର ଆଠ ବର୍ଷ ହେବ ମୃତ୍ୟୁ ଘଟିଛି । ସେବେଠୁ ବହୁ ଦୁଃଖ କଷ୍ଟ ଓ ସଂଘର୍ଷ କରି ପରିବାର ଚଳାଉଛନ୍ତି । ବଡ଼ ଝିଅ ସୁଧାଂଶୁବାଳା ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ସାନ ଝିଅ ଶୈଳବାଳା ଚତୁର୍ଥରେ ପଢୁଛି । ଶାଶୂ ଶାନ୍ତିଲତାଙ୍କୁ ୮୦ ଛୁଇଁଲାଣି । 

ଅଧିକ ପଢ଼ନ୍ତୁ--5Tରେ ୯୦ କୋଟିର ଦୁର୍ନୀତି ଧରିଥିଲେ ସିଏଜି ; ଗଞ୍ଜାମରେ ବେଆଇନ ଭାବେ ୬.୬୩ କୋଟି ଖର୍ଚ୍ଚ

ପରିବାର ପୋଷିବାକୁ ବାଧ୍ୟ ହୋଇ ସିଲେଇ ବୃତ୍ତିକୁ ଆପଣାଇ ନେଇଛନ୍ତି ସୁଶୀଳା । ଟେଲରିଂ ମେସିନ ପକାଇ ପରିବାର ମୁହଁରେ ଆହାର ଦେଉଛନ୍ତି । ଯେଉଁ ଦିନ କାମ ନ ମିଳେ, ସେଦିନ ସଉଦା ଆସେ । ନହେଲେ ଘରେ ଚୁଲି ବି ଜଳେନି ।  ଶାଶୂଙ୍କ ବୟସ ବଢ଼ୁଥିବାରୁ ଔଷଧ ଦରକାର । ହେଲେ ସେତକ ବି ଦେଇପାରୁନାହାନ୍ତି ବୋଲି କାନ୍ଦି କାନ୍ଦି କହିଥିଲେ ସୁଶୀଳା । ଦୁଇ ଝିଅ ଭଲ ପଢ଼ୁଛନ୍ତି । କିନ୍ତୁ ଖାତା, କଲମ ଯୋଗାଇବାକୁ ଅର୍ଥର ଘୋର ଅଭାବ । ବାଧ୍ୟ ହୋଇ ମନକୁ ମାରି ବଞ୍ଚୁଛନ୍ତି ବୋଲି ବାପ ଛେଉଣ୍ଡ ଦୁଇ ଝିଅ ବି ଆମ ଆଗରେ ବଖାଣିଥିଲେ ତାଙ୍କ ଦୁଃଖ । 

ତାଙ୍କ ବିଷୟରେ କନକ ନ୍ୟୁଜରେ ଖବର ପ୍ରସାରିତ ହେବା ପରେ ଶୁଣିଲା ପ୍ରଶାସନ । ଅସହାୟ ସୁଶୀଳାଙ୍କ ପରିବାରକୁ ମିଳିଲା ପକ୍କା ଘର। ସୁଶୀଳାଙ୍କ ଓଠରେ ଏବେ ଫୁଟିଛି ହସ । ସୁଶୀଳାଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ମିଳିବା ପରେ ଏବେ ସେ ଘର କାମ ଆରମ୍ଭ କରିଛନ୍ତି । ନିଜେ ଘରର ପିଲାର ଗାତ ମଧ୍ୟ ଖୋଳୁଛନ୍ତି । ସୁଶୀଳା କହିଛନ୍ତି ଯେ ମୋ ଦୁଃଖ ଜଣାଇଲେ ମଧ୍ୟ ଦୀର୍ଘ ବର୍ଷ ହେବ କେହି ଶୁଣୁନଥିଲେ । ଟିଭିରେ ଖବର ପ୍ରସାରଣ ହେବା ପରେ ପକ୍କା ଘର ମିଳିଥିବାରୁ କନକ ନ୍ୟୁଜ୍‌କୁ ଧନ୍ୟବାଦ ଜଣାଇଛନ୍ତି ସୁଶୀଳା ।