କନକ ବ୍ୟୁରୋ : ଡାକ୍ତରଙ୍କୁ ରୁଚୁନି ନବରଙ୍ଗପୁର ଜିଲ୍ଲା । କିଏ ଜଏନିଙ୍ଗ୍ କରି ଛୁଟିରେ ରହୁଛନ୍ତି, ଆଉ କିଛି ଉଚ୍ଚ ଶିକ୍ଷା ବାହାନାରେ ଜିଲ୍ଲା ଛାଡ଼ୁଛନ୍ତି । ଏମିତି ହୋଇ ଜିଲ୍ଲାରେ ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଛି । ପଡ଼ୋଶୀ ଜିଲ୍ଲା ତୁଳନାରେ ନବରଙ୍ଗପୁରରେ ସ୍ବତନ୍ତ୍ର ପ୍ରୋତ୍ସାହନ ରାଶିରେ ତାରତମ୍ୟ ଓ ଜିଲ୍ଲାରେ ଶିକ୍ଷା ଓ ଗମନାଗମନର ବିଶେଷ ସୁବିଧା ନଥିବାରୁ ଡାକ୍ତର ନବରଙ୍ଗପୁର ମେଡିକାଲରେ ଚାକିରି କରିବାକୁ କୁଣ୍ଠାବୋଧ କରୁଥିବା ମତ ପ୍ରକାଶ ପାଇଛି ।
ଡାକ୍ତର ଅଭାବ ସମସ୍ୟାରେ ଜର୍ଜରିତ ନବରଙ୍ଗପୁର । ଜିଲ୍ଲାରେ ଅଧାରୁ ଅଧିକ ଡାକ୍ତର ପଦବୀ ଫାଙ୍କା ପଡ଼ିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮୭ ଜଣଙ୍କ ବଦଳରେ ଅଛନ୍ତି ମାତ୍ର ୩୩ ଜଣ ଡାକ୍ତର । ବିଶେଷଜ୍ଞ ଡାକ୍ତର ମାତ୍ର ୫ ଜଣ । କିଛିଙ୍କୁ ନିଯୁକ୍ତି ମିଳିବା ପରେ ବିଭିନ୍ନ ବାହାନାରେ ଛୁଟିରେ, ଆଉ କିଛି କାର୍ଯ୍ୟରେ ଯୋଗ ହିଁ ଦେଇନାହାନ୍ତି । ପିଏଚ୍ସି ଓ ସିଏଚ୍ସିରେ ୧୭୭ଟି ଡାକ୍ତର ପଦବୀ ଖାଲି ପଡ଼ିଛି ।
ଅଧିକ ପଢ଼ନ୍ତୁ---ମଣ୍ଡି ଚିନ୍ତାରେ ଚାଷୀ; ଉଠିପାରୁନି ଧାନ, କାକରରେ ପଡ଼ିଛି ଧାନ ବସ୍ତା
କେବିକେ ଭଳି ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଡାକ୍ତରଙ୍କ ପାଇଁ ସରକାର ଏକ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଲାଗୁ କରିଛନ୍ତି । ପଡ଼ୋଶୀ ଜିଲ୍ଲା ଡାକ୍ତରଖାନରେ କାମ କଲେ ୩୦ ରୁ ୪୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳୁଛି । ହେଲେ ନବରଙ୍ଗପୁରରେ ମିଳୁଛି ୫ରୁ ୨୦ ହଜାର ଟଙ୍କା ! ପ୍ରୋତ୍ସାହନ ରାଶି ପ୍ରଦାନରେ ଅସଙ୍ଗତି ଡାକ୍ତରଙ୍କୁ ଜିଲ୍ଲା ପ୍ରତି ବିମୁଖ କରୁଥିବା ଅଭିଯୋଗ ଆସିଛି । ଜିଲ୍ଲାରେ ଗମନାଗମନ କି ଶିକ୍ଷାର ସୁବିଧା ନାହିଁ ! ନିଜ ପିଲାଙ୍କ ଭବିଷ୍ୟତ ପାଇଁ ଏଠାକୁ ଆସିବାକୁ ମଙ୍ଗନାହାନ୍ତି ଡାକ୍ତର ।
ରାଇଘର, ଝରିଗାଁ ଓ ଚନ୍ଦାହାଣ୍ଡି ଭଳି ନକ୍ସଲ ପ୍ରଭାବିତ ଅଞ୍ଚଳରେ ମହିଳା ଡାକ୍ତର କାମ କରିବାକୁ ଭୟ କରୁଛନ୍ତି । ଅନେକ ସ୍ଥାନରେ କ୍ୱାର୍ଟର୍ସ ବି ନାହିଁ ! ଏସବୁ ଅବ୍ୟବସ୍ଥା ପାଇଁ ଡାକ୍ତର ନବରଙ୍ଗପୁରକୁ ଆସୁନଥିବା ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ନବରଙ୍ଗପୁରରେ ମେଡିକାଲ କଲେଜ ନେଇ ସରକାର ପ୍ରସ୍ତୁତ ହେଉଛନ୍ତି । ଡାକ୍ତର ଅଭାବ ସମସ୍ୟା ସମ୍ପର୍କରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ସଂସଦରେ ଦାବି ବି ଉପସ୍ଥାପନ କରିଛନ୍ତି । କେବେ ସରକାରଙ୍କ ନିଦ ଭାଙ୍ଗିବ ? ଆଉ ଶୁଭଦୃଷ୍ଟି ନବରଙ୍ଗପୁର ସ୍ବାସ୍ଥ୍ୟବସ୍ଥା ଉପରେ ପଡ଼ିବ ତାକୁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/06/nabarangapur-2026-01-06-18-20-56.jpg)