କନକ ବ୍ୟୁରୋ;  ଆଜି ହେଉଛି ୭୭ ତମ ସାଧାରଣତନ୍ତ୍ର ଦିବସ । ୧୯୫୦ ମସିହା ଆଜିର ଦିନରେ ସ୍ବାଧୀନ ଭାରତର ନୂତନ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ୧୯୫୧, ଜାନୁଆରୀ ୨୬ରେ ଦେଶ ପାଳିଥିଲା ପ୍ରଥମ ଗଣତନ୍ତ୍ର ଦିବସ। ଏହି ଦିନକୁ ଭାରତବାସୀ ଆନନ୍ଦ ଉଲ୍ଲାସରେ ପାଳନ କରିଆସୁଛନ୍ତି । 
 
ସମଗ୍ର ଭାରତ ଆଜି ଉତ୍ସବମୁଖର । ଭାରତର ପ୍ରତ୍ୟେକଟି ନାଗରିକ ଆଜି ବେଶ ଗର୍ବର ସହ ପାଳନ କରିଛି ସାଧାରଣତନ୍ତ୍ର ଦିବସ । ଚାରିଆଡ଼େ ଉତ୍ସାହ ଓ ଉଦ୍ଦୀପନାର ମାହୋଲ । ଏହି ଅବସରରେ ନବରଙ୍ଗପୁରର ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ । ନବରଙ୍ଗପୁର ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ୨୭ଟି ପ୍ୟାରେଡ୍‌ ଦଳ ଏଥିରେ ସାମିଲ ହୋଇଥିଲେ। ସେହିପରି କଟକର କିଶନନଗର ହାଇସ୍କୁଲ ପଡ଼ିଆ ଓ ମୟୂରଭଞ୍ଜ ରାଇରଙ୍ଗପୁର କଚେରୀ ଷ୍ଟାଡିୟମରେ ବେଶ ଉତ୍ସାହର ସହ ପାଳନ ହୋଇଛି ଗଣତନ୍ତ୍ର ଦିବସ ।

Advertisment

ଅଧିକ ପଢନ୍ତୁ:  ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ : ଦିଲ୍ଲୀଠୁ ପଲ୍ଲୀ ସବୁଠି ଚଳଚଞ୍ଚଳ

କଳାହାଣ୍ଡି ଜିଲ୍ଲା ଜୟପାଟଣା, ଯାଜପୁର, ବୌଦ୍ଧ ଠାରେ ମଧ୍ୟ ବେଶ୍ ଧୁମଧାମରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ ମୁଖ୍ୟ ଅତିଥି । ଛାତ୍ରଛାତ୍ରୀଙ୍କ ଦ୍ବାରା ଆକର୍ଷଣୀୟ ପ୍ୟାରେଡ୍ ପ୍ରଦର୍ଶନ ସହ କୁନି କୁନି ପିଲାଙ୍କ ଦେଶପ୍ରେମୀ ସଙ୍ଗୀତ ଓ ସ୍ଲୋଗାନରେ ସାରା ପରିବେଶ ପ୍ରକମ୍ପିତ ହୋଇଉଠିଥିଲା । ଦେଶର ଅଖଣ୍ଡତା ରକ୍ଷା ପ୍ରତ୍ୟେକ ନାଗରିକର ପ୍ରଥମ କର୍ତ୍ତବ୍ୟ, ଯାଜପୁରରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ଯୋଗ ଦେଇ ଏହି ଅଭିଭାଷଣ ରଖିଥିଲେ ଯାଜପୁର ଜିଲ୍ଲାପାଳ ।  ରାଜ୍ୟର କୋଣ ଅନୁକୋଣରେ ବେଶ ଧୂମ୍‌ଧାମରେ ପାଳନ ହୋଇଛି ସାଧାରଣତନ୍ତ୍ର ସମାରୋହ । ସାଧାରଣତନ୍ତ୍ର ଦିବସର ମହତ୍ତ୍ୱ ବର୍ଣ୍ଣନା କରି ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତି ଚାରଣ କରିଥିଲେ ପ୍ରତ୍ୟେକଟି ନାଗରିକ ।