କନକ ବ୍ୟୁରୋ : ପୁଣି ଫେରିଲା ଶୀତ ଲହରି । ଟ୍ବିନ୍ ସିଟିଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପାରଦ ତଳମୁହାଁ । ରାଜଧାନୀ ଭୁବନେଶ୍ବର ତୁଳନାରେ କଟକରେ ଅନୁଭୂତ ହୋଇଛି ପ୍ରବଳ ଥଣ୍ଡା । ଝାରୁସୁଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସହରରେ ପଣିଣତ ହୋଇଛି । ଗୋଟିଏ ପଟେ କଲବଲ କରୁଛି ଶୀତ । ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଆଗାମୀ ୨୪ ଘଣ୍ଟା ଭିତରେ ଲଘଚୁାପ ଘନୀଭୂତ ହୋଇ ଅବତାର ରୂପ ନେବ । ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡିବନି । କାଁ ଭାଁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ଆଲର୍ଟ କରାଯାଇଛି । 

Advertisment

ଲଘୁଚାପ ଭିତରେ ଆସିଛି ଶୀତ ଲହରି । ପ୍ରବଳ ଜାଡ଼ ଓ ଘନକୁହୁଡ଼ିକୁ ନେଇ ଚେତାବନୀ ଦିଆଯାଇଛି । ଆସନ୍ତାକାଲି ସକାଳ ଯାଏଁ କନ୍ଧମାଳ, ନୟାଗଡ଼, ବୌଦ୍ଧ, କୋରାପୁଟରେ ଘନକୁହୁଡ଼ି ଦେଖାଯିବ । ସର୍ବନିମ୍ନ ଦୃଶ୍ୟମାନ ଦୂରତା ୫୦ ମିଟର ରହିବ । ୯ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, କଟକ, ଜଗତସିଂହପର, କେରାପୁଟରେ ଅନୁଭୂତ ହେବ ଥଣ୍ଡାର ଥାର୍ଡ ଡିଗ୍ରୀ । ଆସନ୍ତାକାଲି ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ କଟକ, ଜଗତସିଂହପୁର, କୋରାପୁଟ ପାଇଁ ୱାର୍ଣ୍ଣିଂ ଜାରି ହୋଇଛି । 

ଅଧିକ ପଢ଼ନ୍ତୁ---ସିଲ୍‌ଭର ସିଟିରେ ବଢ଼ିଚାଲିଛି ଭିକ୍ଷୁକଙ୍କ ସଂଖ୍ୟା ; ୨ ବର୍ଷ ହେଲା ହୋଇନି ଗଣନା

ଏପଟେ ଝାରସୁଗୁଡ଼ାରେ ୭୩ ବର୍ଷର ରେକର୍ଡ ଭାଙ୍ଗିଛି ଥଣ୍ଡା । ଝାରସୁଗୁଡ଼ାରେ ରାତି ତାପମାତ୍ରା ୫.୧ ଡିଗ୍ରି ରେକର୍ଡ ହୋଇଛି । ରାଜ୍ୟର ୧୬ ସହରରେ ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ କରାଯାଇଛି । ରାଉରକେଲାରେ ୬.୬ ଡିଗ୍ରି, କିରେଇ ଓ ଜି.ଉଦୟଗିରିରେ ୬.୮ ଡିଗ୍ରି, ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରି, ସୁନ୍ଦରଗଡ଼ରେ ୭.୬ ଡିଗ୍ରି, ସେମିଳିଗୁଡ଼ାରେ ୮.୫ ଡିଗ୍ରି, ବଲାଙ୍ଗୀରରେ ୮.୮ ଡିଗ୍ରି, ଫୁଲବାଣୀ ଓ କେନ୍ଦୁଝର ୯ ଡିଗ୍ରି, ସୋନପୁରରେ ୯.୧ ଡିଗ୍ରି, ଢେଙ୍କାନାଳରେ ୯.୯ ଡିଗ୍ରି ରେକର୍ଡ କରାଯାଇଛି । ଚଳିତ ବର୍ଷ ପ୍ରଥମଥର କଟକରେ ରାତିର ପାରଦ ୧୦ ଡିଗ୍ରି ଛୁଇଁଥିବା ବେଳେ ଭୁବନେଶ୍ବରରେ ୧୨.୯ ଡିଗ୍ରି ରେକର୍ଡ ହୋଇଛି । ଥଣ୍ଡା ସାଙ୍ଗକୁ ଘନ କୁହୁଡି ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି । ରାଜ୍ୟରେ ଆହୁରି ୩ରୁ ୪ ଦିନ ଯାଏଁ ଶୀତର ପ୍ରକୋପ ରହିବ। ତିନି-ଚାରି ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।