କନକ ବ୍ୟୁରୋ : ଗୋଟିଏ ପଟେ ଦକ୍ଷିଣ ସିନେ ଇଣ୍ଡଷ୍ଟ୍ରିରେ ଡ୍ୟାସିଙ୍ଗ୍ ଷ୍ଟାର୍ ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଖୁସିର ମାହୋଲ୍ ଥିବା ବେଳେ ଅନ୍ୟପଟେ ସୁପରଷ୍ଟାର୍ ଥାଲାପତି ବିଜୟଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଛି । ପୂର୍ବରୁ ଥାଲାପତିଙ୍କ ସିନେମା ‘ଜନ ନାୟାଗନ’ ଜାନୁଆରିରେ ରିଲିଜ୍ ହେବାର ଥିଲା କିନ୍ତୁ ବିବାଦ କାରଣରୁ ସିନେମାଟି ଅଧାରେ ଅଛି । ହେଲେ ଏବେ ଖବର ଆସୁଛି ଯେ ବିଜୟଙ୍କ ପତ୍ନୀ ତାଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ଆବେଦନ କରିଛନ୍ତି । ୨୭ ବର୍ଷର ଲମ୍ବା ସଂପର୍କ ପରେ ବିଜୟଙ୍କଠାରୁ ଛାଡ଼ପତ୍ର ନେବାକୁ ଚାହୁଛନ୍ତି ପତ୍ନୀ ସଙ୍ଗୀତା । ସଙ୍ଗୀତା ସୋର୍ନାଲିଙ୍ଗମ କାହା ନାଁ ନନେଇ କହିଛନ୍ତି ଯେ ବିଜୟଙ୍କ ଜଣେ ଅଭିନେତ୍ରୀଙ୍କ ସହିତ ଅନୈତିକ ସଂପର୍କ ଅଛି । ତେବେ ଛାଡ଼ପତ୍ରର ଖବର ପ୍ରକାଶ ପାଇବା ମାତ୍ରେ ଜଣେ ଅଭିନେତ୍ରୀଙ୍କୁ ୟୁଜର୍ସ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି । ଦୁହିଁଙ୍କ ଫଟୋ ଏବେ ଇଣ୍ଟରନେଟରେ ଭାଇରାଲ୍ ହେବାରେ ଲାଗିଛି । 

Advertisment

ଆଗକୁ ପଢ଼ନ୍ତୁ : କୋଚ୍ ଛିଡ଼ା ହୋଇଥିଲେ,ମିସାଇଲ୍ ମାଡ଼ ହେଲା... ମହାଯୁଦ୍ଧ ଭିତରେ ଦୁବାଇରେ ଫସିଲେ ପିଭି ସିନ୍ଧୁ । ପ୍ରଧାନମନ୍ତ୍ରୀଙ୍କୁ ଗୁହାରି କଲେ ଅଭିନେତା, ଅଭିନେତ୍ରୀ

ସଙ୍ଗୀତା ସୋର୍ନାଲିଙ୍ଗମଙ୍କ ପାଖରେ ୟୁକେ ନାଗରିକତା ଥିବାରୁ ୧୯୯୯ ରେ ବିଜୟ ତାଙ୍କୁ ୟୁକେରେ ବିବାହ କରିଥିଲେ । ଦୁହିଁଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସଙ୍ଗୀତା ଅଭିଯୋଗ କରିଛନ୍ତି ଯେ ବିଜୟ ୨୦୨୧ ଏପ୍ରିଲଠାରୁ ଜଣେ ଅଭିନେତ୍ରୀଙ୍କ ଏକ୍ସଟ୍ରା ମ୍ୟାରିଟାଲ୍ ଆଫାୟାରରେ ଅଛନ୍ତି । ସେ ଏନେଇ ଚେନ୍ନାଇର ଚେଙ୍ଗଲପଟୁ ଫ୍ୟାମିଲି କୋର୍ଟରେ ଆବେଦନ ମଧ୍ୟ କରିଛନ୍ତି । ରିପୋର୍ଟ ଅନୁଯାୟୀ, ସଙ୍ଗୀତା ଦାବି କରିଛନ୍ତି ଯେ ବିଜୟ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଏହି ପରକୀୟା ପ୍ରୀତିକୁ ଶୀଘ୍ର ଶେଷ କରିଦେବେ କିନ୍ତୁ ସେ ଏପର୍ଯ୍ୟନ୍ତ ଅନୈତିକ ସଂପର୍କରୁ ବାହାରକୁ ଆସିନାହାନ୍ତି । ସ୍ବାମୀଙ୍କ ଆଚରଣ ଯୋଗୁଁ ସଙ୍ଗୀତା ମାନସିକ ଏବଂ ଭାବପ୍ରବଣ ଯନ୍ତ୍ରଣାରେ ପୀଡ଼ିତ ଅଛନ୍ତି ବୋଲି କହିଛନ୍ତି । ତେବେ ସଙ୍ଗୀତା ଉକ୍ତ ଅଭିନେତ୍ରୀଙ୍କ ନାଁ ଏଠାରେ ପ୍ରକାଶ କରିନାହାନ୍ତି । ସଙ୍ଗୀତା କହିଛନ୍ତି ସେ ନିଜେ ଏହି ମାମଲାକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ ଏବଂ ଏହି ଘଟଣାକୁ ଅପବାଦର ରୂପ ଦେବାକୁ ଚାହୁନଥିଲେ କିନ୍ତୁ ବିଜୟ ସୁଧୁରିବାର ନାଁ ନେଉନଥିଲେ ତେଣୁ ସେ ବାଧ୍ୟ ହୋଇ ସ୍ୱତନ୍ତ୍ର ବିବାହ ଆଇନ ଅନୁଯାୟୀ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ଖାଲି ଏତିକି ନୁହେଁ ପିଲାଙ୍କ ଭବିଷ୍ୟତ ପାଇଁ ଅଭିନେତାଙ୍କ ରୋଜଗାରରୁ ସ୍ଥାୟୀ ଭରଣପୋଷଣ ଏବଂ ତାଙ୍କ ଶ୍ୱଶୁର ଘରେ ରହିବାର ଅଧିକାର ମଧ୍ୟ ସେ ଦାବି କରିଥିଲେ ।

ଏହି ଅଭିଯୋଗ ଭିତରେ ସଙ୍ଗୀତା କହିଛନ୍ତି ଯେ ଉକ୍ତ ଅଭିନେତ୍ରୀ ବିଜୟଙ୍କ ସହିତ ସୋସିଆଲ୍ ମିଡିଆରେ ଅନେକ ଫଟୋ ସେୟାର୍ କରିଛନ୍ତି । ଦୁହେଁ ଏକାଠି ବିଦେଶ ଯାତ୍ରା କରିଛନ୍ତି । ସୋସିଆଲ୍ ମିଡିଆରେ ଦୁହିଁଙ୍କ ଫଟୋ ଭାଇରାଲ୍ ହେବା ଦ୍ବାରା ତାଙ୍କୁ ଏବଂ ତାଙ୍କ ପିଲାମାନଙ୍କୁ ଲଜ୍ଜାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଏହି ସମ୍ପୂର୍ଣ୍ଣ ମାମଲାରେ ବର୍ତ୍ତମାନ ୟୁଜର୍ସ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ନାଁକୁ ସାମ୍ନାକୁ ଆଣୁଛନ୍ତି । ତାଙ୍କର ଏବଂ ବିଜୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଦାବି କରାଯାଉଛି ଯେ ଦୁହେଁ ସମ୍ପର୍କରେ ଅଛନ୍ତି । ପ୍ରଶଂସକମାନେ ଏବେ ପ୍ରମାଣ ଖୋଜୁଛନ୍ତି ଏବଂ ବିଜୟଙ୍କ ଜନ୍ମଦିନରୁ ତ୍ରିଶା ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ପ୍ରତ୍ୟେକ ଫଟୋ ସେୟାର କରୁଛନ୍ତି । ତେବେ ଦୁହେଁ ଏକାଠି ଫିଲ୍ମରେ କାମ କରିଥିବାରୁ ସେମାନଙ୍କ ଆକାଉଣ୍ଟରେ ପ୍ରମୋସନାଲ୍ ଫଟୋ ମଧ୍ୟ ରହିଛି । ୟୁଜର୍ସଙ୍କ ଅନୁମାନକୁ ଏଠାରେ ସତ କୁହାଯାଇପାରିବ ନାହିଁ । ତେବେ ୟୁଜର୍ସ ଏବେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି ।