କନକ ବ୍ୟୁରୋ : ଚାଷ ଜମିରେ ଧାନ ଫସଲ ଅମଳ ହେବା ଅବସ୍ଥାରେ, ହେଲେ ଏହି ସମୟରେ ବାର୍‌ହା ଚାଷ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି । ବାର୍‌ହା କବଳରୁ ନିଜ ଚାଷ ଜମିକୁ ସୁରକ୍ଷା ଦେବା ନିମନ୍ତେ ମଞ୍ଚା କରି ଫସଲ ଜଗୁଛି ଚାଷୀ । କାହା ହାତରେ ଡାକବାଜି ଯନ୍ତ୍ର, ତ’ ଆଉ କିଏ ଧରିଛି ଟର୍ଚ୍ଚ । ନିଜ ଫସଲ ବଞ୍ଚାଇବାକୁ ଦିନ ରାତି ଏକ କରିଦେଇଛି ଚାଷୀ । ସନ୍ଧ୍ୟା  ହେଲେ ଘର ଦ୍ବାରା ଛାଡ଼ି କ୍ଷେତକୁ ଚାଲିଆସୁଛନ୍ତି । ମଞ୍ଚା ଉପରେ ଶୀତ କାକରରେ ସେମିତି ଜଗି ବସୁଛନ୍ତି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ଅଗସ୍ତି ନୂଆଗାଁ ପଞ୍ଚାୟତର ୪ଟି ଗାଁରେ ବାର୍‌ହା ଉପଦ୍ରବ ଦେଖିବାକୁ ମିଳିଛି । ସନ୍ଧ୍ୟା ହେଲେ ବିଲରେ ପଶୁଛନ୍ତି, ଖାଉଛନ୍ତି କମ ନଷ୍ଟ କରୁଛନ୍ତି ବେଶୀ । 
 
ପରିବାରରୁ ଜଣେ ଜଣେ ପାଳି କରି ଫସଲ ଜଗୁଛନ୍ତି । ଅନେକ ସମୟରେ ବାର୍‌ହା ଆକ୍ରମଣରେ ଆହାତ ମଧ୍ୟ ହୋଇଛନ୍ତି । ହେଲେ କରିବେ ବା କ’ଣ ? ବନ ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ ! ସେଥିପାଇଁ ନିଜ ଜୀବନକୁ ବିପଦରେ ପକାଇ ଫସଲ ଜଗୁଥିବା କହିଛି ଚାଷୀ । ତୁରନ୍ତ ଗାଁରୁ ବାର୍‌ହା ଘଉଡ଼ାଇବା ଦିଗରେ ପଦକ୍ଷେପ ନେବା ଜରୁରୀ ।

Advertisment

ଅଧିକ ପଢ଼ନ୍ତୁ : ଶୀତରେ ଗରମ ପାଣିରେ ଗାଧୋଉଥିଲେ ସାବଧାନ, ହୋଇପାରେ ୫ ବଡ଼ ସମସ୍ୟା