କନକ ବ୍ୟୁରୋ : ଗହୀରମଥାରେ ସାମୁଦ୍ରିକ ଜମି କିଣାବିକା ମାମଲାରେ ପ୍ରଶାସନର ତତ୍ପରତା । କନକ ନ୍ୟୁଜରେ ବାରମ୍ୱାର ଖବର ପ୍ରସାରଣ ପରେ, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଆରମ୍ଭ କଲେ ରାଜନଗର ତହସିଲଦାର । ସମୁଦ୍ରଗର୍ଭକୁ ଚାଲିଯାଇଥିବା ଜମିକୁ ସରକାରୀ ଖାତାକୁ ଅଣାଯିବ ବୋଲି ସେ କହିଥିଲେ ବି, ଘଟଣା ପଛର ଗୁମରକୁ ନେଇ ଅସମାହିତ ରହିଛି ଅନେକ ପ୍ରଶ୍ନ ।
ରାଜନଗରର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ଜମି ବିକ୍ରି ଘଟଣାର ଆରମ୍ଭ ହେଲା ଖୋଳତାଡ଼ । କନକ ନ୍ୟୁଜରେ ଏହି ମହା ଦୁର୍ନୀତି ସମ୍ପର୍କରେ ଲଗାତାର ଖବର ପ୍ରସାରଣ ପରେ ଆକ୍ସନ୍ ମୋଡରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ତଦନ୍ତ ପରିସରଭୁକ୍ତ ହେଲା ସମୁଦ୍ରର ଏକର ଏକର ଜମିକୁ ବେଆଇନ ଭାବେ ବିଭିନ୍ନ କମ୍ପାନୀ କିଣିବା ମାମଲା । ପ୍ରାଥମିକ ତଦନ୍ତ ପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି ରାଜନଗର ତହସିଲଦାର । କେଉଁ ପରିସ୍ଥିତିରେ ନିଷିଦ୍ଧାଞ୍ଚଳରେ ଥିବା ଜମି ଗୁଡ଼ିକ ବଡ଼ ବଡ଼ କମ୍ପାନି ହାତକୁ ଟେକି ଦିଆଗଲା? ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ରାଜନଗର ତହସିଲ ପକ୍ଷରୁ ଏହାର ଖୋଳତାଡ଼ ଜୋରଦାର କରାଯାଇଛି । ଏଥିସହ ସମୁଦ୍ର ଗର୍ଭକୁ ଚାଲିଯାଇଥିବା ବ୍ୟକ୍ତିଗତ ଜମି ଗୁଡ଼ିକୁ ସରକାରୀ ଖାତାକୁ ଅଣାଯିବ ବୋଲି ତହସିଲଦାର କହିଛନ୍ତି ।
ଅଧିକ ପଢ଼ନ୍ତୁ-ଗହୀରମଥାରେ ମାଛ ମାଫିଆଙ୍କ ଆତଙ୍କରାଜ; ଅଭୟାରଣ୍ୟରେ ପାଟ୍ରୋଲିଂ ଟିମ୍ ଉପରେ କଲେ ଆକ୍ରମଣ
ଜୈବ ବିବିଧତା ଦୃଷ୍ଟିରୁ ଅତି ସଂବେଦନଶୀଳ ଗହୀରମଥା । ସେଠାକାର ସାତଭାୟାରେ ସମୁଦ୍ର ଗର୍ଭକୁ ଚାଲିଯାଇଥିବା ପ୍ରାୟ ୩ଶହ ଏକର ଜମିକୁ, ଶାଗମାଛ ଦରରେ କିଣିଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର କିଛି କମ୍ପାନି ଓ ବ୍ୟକ୍ତିବିଶେଷ । ସମୁଦ୍ର ଜୁଆର ଅଟକାଇ ମାଛ ଚାଷ କରିବା ଫଳରେ, ଭିତରକନିକା ପ୍ରତି ସଂକଟ ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି । ପୂର୍ବରୁ ଜୁଆରରେ ପ୍ରାକୃତିକ ଭାବେ ଆସୁଥିବା ମାଛ ଓ ଜାଆଁଳ ଏବେ ଜାତୀୟ ଉଦ୍ୟାନକୁ ଯାଇ ପାରୁନାହିଁ । ଫଳରେ ଜୀବଜନ୍ତୁଙ୍କ ଖାଦ୍ୟାଭାବ ଓ ଜୈବ ବିବିଧତା ପ୍ରତି ବିପଦ ଆଶଙ୍କା ଦେଖାଦେଇଛି ।
ପ୍ରଶ୍ନ ଉଠୁଛି, ଏତେ ଡେରିରେ କାହିଁକି ଚେତିଲା ପ୍ରଶାସନ? ସମୁଦ୍ର ଗିଳିଥିବା ଜମି ଗୁଡ଼ିକ କିଣାବିକା ହେଉଥିଲା କେମିତି ? ଏତେ ବଡ କେଳେଙ୍କାରୀକୁ ନେଇ କାହିଁକି ଚୁପ୍ ରହିଥିଲେ ବାବୁ? ଶାଗମାଛ ଦରରେ ବିକ୍ରି ହେଉଥିଲେ ବି, ସନ୍ଦେହ ହେଉନଥିଲା କେମିତି ? ଏ ଦିଗରେ ବି ତଦନ୍ତ ହେବାର ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/27/kendrapada-2025-11-27-20-04-21.jpg)