Photograph: (kanak news)
କନକ ବ୍ୟୁରୋ : ଇରାନ ସହ ଇସ୍ରାଏଲ ଓ ଆମେରିକା ମଧ୍ୟରେ ଭୟଙ୍କର ଯୁଦ୍ଧ। ମଧ୍ୟପ୍ରାଚ୍ୟରେ ଚାଲିଥିବା ମହାଯୁଦ୍ଧର ଷଷ୍ଠ ଦିନରେ ଆକ୍ରମଣ ଆହୁରି ତୀବ୍ର ହୋଇଛି। ଯୁଦ୍ଧ ଭିତରେ ହଜାରେ ଅଧିକ ମୃତ୍ୟୁ ହେଲାଣି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇରାନ ୭୮୭, ଲୋବାନରରେ ୬୦ରୁ ଅଧିକ, ଇସ୍ରାଏଲରେ ୧୨ରୁ ଅଧିକ ନାଗରିକ ଓ ଆମେରିକାର ୬ ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ଯୁଦ୍ଧରେ ଆହତଙ୍କ ସଂଖ୍ୟା ୫ ହଜାର ଟପିଲାଣି ।
ଏହାରି ଭିତରେ ଇସ୍ରାଏଲର ଡିମୋନା ପରମାଣୁ ଠିକଣା ଉପରେ ଆକ୍ରମଣ କରିବାକୁ ଚେତାବନୀ ଦେଇଛି ଇରାନ। ଯାହା ମଧ୍ୟପ୍ରାଚ୍ୟର ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଛି। ସେପଟେ ଇସ୍ରାଏଲ ଏୟାରଫୋର୍ସ ଦାବି କରିଛି, ଇରାନ ଉପରେ ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ମିଶାଇଲ, ଡ୍ରୋନ ଓ ବୋମା ମାଡ଼ କରିଛି। କେବଳ ଇରାନର ସୈନ୍ୟ ଶିବିର ଓ ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଥିବା ସୂଚନା ଇସ୍ରାଏଲ ସେନା ପକ୍ଷରୁ ସୋସିଆଲ ମିଡ଼ିଆରେ ଦିଆଯାଇଛି ।
ଆହୁରି ପଢ଼ନ୍ତୁ:ନାଲିଆଖି ଦେଖାଇଲେ ଟ୍ରମ୍ପ:ତେହେରାନରେ ବିନାଶ କରିବାକୁ ଦେଲେ ଧମକ
ଇରାନର ରାଜଧାନୀ ତେହରାନ ସମେତ ବିଭିନ୍ନ ସହର ଉପରେ ଇସ୍ରାଏଲ ଓ ଆମେରିକା ଆକାଶରୁ ଅଗ୍ନିବର୍ଷା କରୁଛନ୍ତି। ସେପଟେ ଆମେରିକାର ସୈନ୍ୟଠିକଣା ସମେତ ଦୂତାବାସ ଗୁଡ଼ିକ ଉପରେ ଡ୍ରୋନ୍ ଆକ୍ରମଣ ଜାରି ରଖିଛି ଇରାନ୍। ରିଆଦ ଏବଂ ଦୁବାଇସ୍ଥିତ ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ ହୋଇଛି। ଉଭୟ ପକ୍ଷରୁ ସାମରିକ ଆଡ୍ଡାକୁ ଧ୍ୱଂସ କରାଯାଇ ବ୍ୟାପକ କ୍ଷୟକ୍ଷତି କରାଯାଉଥିବା ଦାବି କରାଯାଉଛି। ହେଲେ ଏହାର ପୁଷ୍ଟି କରିବା କରିବା ସମ୍ଭବ ହେଉନାହିଁ। ଲଗାତାର ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେଥିମଧ୍ୟରୁ କେଉଁଟା ସତ କେଉଁଟା ମିଛ ବାରିବା ମୁସ୍କିଲ ହୋଇପଡ଼ିଛି । ଏବେ ସମଗ୍ର ବିଶ୍ୱର ନଜର ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧର ବିଭୀଷିକା ଉପରେ ରହିଛି ।
Follow Us