କନକ ବ୍ୟୁରୋ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭକୁ ନିଇତି କୋଟି କୋଟି ଶ୍ରଦ୍ଧାଳୁ ଯାଉଛନ୍ତି । ଧର୍ମ, ଆସ୍ଥା ଓ ବିଶ୍ବାସର ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଉତ୍କଣ୍ଠା । ହେଲେ କୁମ୍ଭରୁ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହାକୁ ନେଇ ପୁରା ଦେଶରେ ଚର୍ଚ୍ଚା । କାରଣ ସ୍ତ୍ରୀଙ୍କୁ ହାଣି ଟିକିଟିକି କରିବା ପରେ ପୋଲିସକୁ କହିଲା ପିଶାଚ ସ୍ବାମୀ ମୋ ସ୍ତ୍ରୀ କୁମ୍ଭମେଳାରେ ହଜିଗଲା । ଆଉ ପୁରା ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ବି ତାଜୁବ ହେଲା ।
ମହାକୁମ୍ଭକୁ ଯାଇଥିଲେ ପୁଣ୍ୟ କରିବାକୁ
ସ୍ତ୍ରୀକୁ ହାଣି ଖଣ୍ଡଖଣ୍ଡ କଲେ
ପୋଲିସକୁ କହିଲେ ହଜିଗଲା
ସ୍ବାମୀ ପାଲଟିଲା ପିଶାଚ
ମେଳା ବୁଲାଇଲା, ଫଟୋ ଉଠାଇଲା, ହାଣିଦେଲା
ଧର୍ମ ଓ ଆସ୍ଥାର ବୁଡ଼ ପକାଇବାକୁ ସାଙ୍ଗ ହୋଇ ସ୍ବାମୀ-ସ୍ତ୍ରୀ ଯାଇଥିଲେ କୁମ୍ଭମେଳା । ସ୍ନାନ କଲେ, ଫଟୋ ଉଠାଇଲେ ପରେ ପରେ ହୋଟେଲ ରୁମରେ ସ୍ତ୍ରୀଙ୍କୁ ହାଣି ଟିକିଟିକି କଲେ । ଖାଲି ଏତିକି ନୁହେଁ ବରଂ ହତ୍ୟା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଲେ ସ୍ବାମୀ । ଘରେ ପହଞ୍ଚିବା ପରେ ପୁଅ ଯେବେ ପଚାରିଥିଲା ମାଆ କୁଆଡ଼େ ଗଲେ ? ବାପା କହିଥିଲେ ମାଆ କୁମ୍ଭରେ ହଜିଗଲେ । ହେଲେ ବାପାଙ୍କ କଥାକୁ ବିଶ୍ବାସକୁ ନନେଇ ମାଆଙ୍କୁ ଖୋଜିବାକୁ କୁମ୍ଭରେ ପହଞ୍ଚିଥିଲେ ପୁଅ । ଏହାସହ ପୋଲିସରେ ମାମଲା ରୁଜୁ କରିବା ପରେ ଏକ ଶବ ଦେଖାଇଥିଲେ ପୋଲିସ । ନିଜ ମାଆଙ୍କୁ ଚିହ୍ନଟ କରିବା ପରେ ପୁରା ହତ୍ୟାକାଣ୍ଡର ଖୁଲାସା ହୋଇଥିଲା ।
ହତ୍ୟାକାରୀ ନାଁ ଅଶୋକ ବାଲ୍ମିକୀ
ଦିଲ୍ଲୀର ସଫେଇ କର୍ମୀ ଭାବରେ କାର୍ଯ୍ୟରତ
ଦିଲ୍ଲୀର ସଫେଇ କର୍ମୀଙ୍କ କାଣ୍ଡକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ମହାକୁମ୍ଭକୁ ସ୍ତ୍ରୀଙ୍କୁ ନେଇ ଯାଇ ସେଠାରେ ହାଣି ଦେଇଛି ଅଶୋକ । ପରେ ପରେ ୫୦୦ ଟଙ୍କା ଦେଇ ଏକ ହୋଟେଲ ବୁକ କରିଥିଲେ । ପୋଲିସର ସୂଚନା ଅନୁସାରେ, ହୋଟେଲର ଗାଧୁଆ ଘରେ ଅତି ନିର୍ମମ ଭାବରେ ସ୍ତ୍ରୀ ମୀନୀକ୍ଷୀଙ୍କୁ ସେ ହତ୍ୟା କରିଥିଲା । ରୁମ୍ ବୁକ କରିବା ବେଳେ ପରିଚୟ ପତ୍ର ଦେଇନଥିବାରୁ ହତ୍ୟା ହୋଇଥିବା ମହିଳାଙ୍କ ସମ୍ପର୍କରେ କୌଣସି ସୁରାଗ ପାଇନଥିଲା ପୋଲିସ । ହେଲେ ପୋଲିସ ମୃତ ଶରୀରକୁ ଶବସଂରକ୍ଷଣ ଗୃହରେ ରଖିଥିବା ବେଳେ ମୃତକଙ୍କ ଫଟୋ ସୋସିଆଲ ମିଡିଆରେ ଅପଲୋଡ୍ ବି କରିଥିଲା । ହେଲେ ମୃତକଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳିପାରୁନଥିଲା । ଏହାରି ଭିତରେ ଅଶ୍ବିନୀ ନାମକ ଜଣେ ଯୁବକ ନିଜ ମାଆ ନିଖୋଜ ହେବା ନେଇ ପୋଲିସରେ ରିପୋର୍ଟ ପ୍ରକାଶ କରିଥିଲେ । ହେଲେ ପୁଅକୁ ଦେଖିବା ପରେ ପୋଲିସର ସନ୍ଦେହ ବଢିଥିଲା । ପରେ ପରେ ଶବ ଦେଖାଇଥିଲା । ଏହାପରେ ଅଶ୍ବିନୀଙ୍କ ମାଧ୍ୟମରେ ପୋଲିସ ଅଶୋକଙ୍କୁ ପ୍ରୟାଗରାଜ ଡାକିଥିଲା । ଆଉ ପଚରାଉଚରା ପରେ ପୁରା ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇଥିଲା ।
କାହାଣୀ ଥିଲା କିଛି ଏମିତି
ପୋଲିସ ତଦନ୍ତରେ ଜାଣିବାକୁ ପାଇଥିଲା କି, ଅଶୋକଙ୍କର ଏକ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଯାହାକୁ ବିରୋଧ କରୁଥିଲେ ମୀନାକ୍ଷୀ । ତେଣୁ ରାସ୍ତାରୁ ସବୁଦିନ ଲାଗି କଣ୍ଟା ଉଠାଇବାକୁ ମର୍ଡର ପ୍ଲାନ ରଚିଥିଲା ଅଶୋକ । କୁମ୍ଭ ଚାଲିଥିବାରୁ ସେଠାରେ ନେଇ ହତ୍ୟା କରିବା ସହ ନିଖୋଜ ହେବାର ନାଟକ ବି ରଚିଥିଲା । ଆଉ ନିଜର ଲକ୍ଷ୍ୟ ପୂରଣ କରିବାକୁ କୁମ୍ଭ ଯାଇଥିଲା । ସ୍ବାମୀଙ୍କ ହତ୍ୟା ପ୍ଲାନର କୌଣସି ସୁରାଗ ପାଇନଥିଲେ ମୀନାକ୍ଷୀ । ଶେଷରେ କୁମ୍ଭକୁ ଯାଇ ହତ୍ୟାର ଶିକାର ହେଲେ । କିନ୍ତୁ ପୁଅ ଅଶ୍ବିନୀଙ୍କର ସନ୍ଦେହ ବଢିବା ପରେ ପୁରା ଘଟଣାରୁ ପୋଲିସ ପରଦା ଉଠାଇଥିଲା । ତେବେ ମହାକୁମ୍ଭରେ ଏମିତି ମର୍ଡର ପ୍ଲାନ ପ୍ରଥମ ବୋଲି କୁହାଯାଉଛି ।