କନକ ବ୍ୟୁରୋ: ରାଜନୀତି ଚର୍ଚ୍ଚାରୁ ବିହାର ଆଦୌ ବାଦ୍‌ ପଡୁନି । ପ୍ରତି ମୁହୂର୍ତ୍ତରେ ସ୍ଥାନୀୟ ନେତା ଦେଉଥିବା ବିବାଦୀୟ ବୟାନକୁ ନେଇ ଆଲୋଚନା ସରଗରମ ହେଉଛି । ଖାସ କରି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତଙ୍କୁ ଆରଜେଡିର ନେତା ତେଜ ପ୍ରତାପ ଯାଦବ ନିଜ ଦଳ ଅର୍ଥାତ୍‌ ଆରଜେଡିକୁ ଆସିବାକୁ ଅଫର ଦେଇଛନ୍ତି । ଯାହାକୁ ନେଇ ଏବେ ଆଲୋଚନା ଚାଲିଛି । ସେ କହିଛନ୍ତି, ନିଶାନ୍ତ ଏବେ ରାଜନୀତିକୁ ଆସିବା ଦରକାର । ହେଲେ ଆରଜେଡିରୁ ଲଢିଲେ ସେ ଲାଭବାନ ହେବେ । ତେଣୁ ବିଳମ୍ବ ନକରି ତୁରନ୍ତ ଦଳରେ ସାମିଲ ହୁଅନ୍ତୁ ବୋଲି ସେ କହିଛନ୍ତି । ପୂର୍ବରୁ ନୀତିଶ କୁମାରଙ୍କୁ ନେଇ ଲାଲୁ ବୟାନ ରଖି କହିଥିଲେ ତାଙ୍କ ପାଇଁ ଆମ ଦ୍ବାର ସବୁବେଳେ ଖୋଲା । ଆଉ ଏବେ ପୁଣି ଥରେ ନୀତିଶଙ୍କ ପୁଅକୁ ଅଫର ମିଳିଥିବାରୁ ଚର୍ଚ୍ଚା ଜୋର ଧରିଛି । 

Advertisment

ବିହାର ରାଜନୀତିକୁ ନେଇ ପୁଣି ଚର୍ଚ୍ଚା 
ଆରଜେଡି ଯିବା ପାଇଁ ନୀତିଶଙ୍କ ପୁଅଙ୍କୁ ଅଫର
ବିଧାନସଭା ନିର୍ବାଚନ ପାଖେଇ ଆସୁଛି, ରାଜନୀତି ତାତି ବଢୁଛି
ମୋଦୀ ଓ ଶାହ ବାରମ୍ବାର ବିହାର ଆସୁଛନ୍ତି
ସ୍ବାଗତ କରାଯାଉଛି ସତ ହେଲେ ଲାଭ କିଛି ନାହିଁ

ବିହାର ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବାରମ୍ବାର ବିହାର ଗସ୍ତରେ ଆସୁଛନ୍ତି । ତାଙ୍କୁ ସ୍ବାଗତ କରାଯାଉଛି ସତ ହେଲେ ବିହାରର କୌଣସି ଲାଭ ହେଉନି ବୋଲି ତେଜପ୍ରତାପ କହିଛନ୍ତି । ଖାଲି ଏତିକି ନୁହେଁ ଶାନ୍ତ ବିହାରରେ କେମିତି ଅଶାନ୍ତ ବୃଦ୍ଧି ପାଇବ ସେନେଇ ନେତାଏ ଚେଷ୍ଟା କରନ୍ତି । ସେପଟେ ବାବା ବାଗେଶ୍ବର ଦେଇଥିବା ବୟାନକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ବାଗେଶ୍ବର ବାବା କହିଥିଲେ, ଯେଉଁମାନେ କୁମ୍ଭ ଯାଉନାହାନ୍ତି ସେମାନେ ଦେଶଦେହ୍ରୀ…ହେଲେ ତେଜପ୍ରତାପ କହିଛନ୍ତି ସେ ନିଜେ ହିଁ ଦେଶଦ୍ରୋହୀ । 

ଆଇଆଇଟିଆନ ବାବାଙ୍କୁ ନେଇ ଦେଲେ ବଡ଼ ବୟାନ

ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଭାରତ ନୁହେଁ ବରଂ ପାକିସ୍ତାନ ବିଜୟ ହେବ ବୋଲି ଆଇଆଇଟିଆନ ବାବା କହିଥିଲେ । ହେଲେ ଗତକାଲିର ମ୍ୟାଚ୍‌ରେ କେମିତି ଭାରତ ଜିତିଲା ତାହା ପୂରା ବିଶ୍ବ ଦେଖିଲା । ଏନେଇ ତେଜପ୍ରତାପ କହିଛନ୍ତି, ସେ ବାବା ନୁହେଁ ବରଂ ଭଣ୍ଡ । ତାଙ୍କ କଥାକୁ ଆଦୌ ବିଶ୍ବାସ କରିବା ଆବଶ୍ୟକତା ନୁହେଁ । ସେ ନିଜ ବାପା-ମାଆଙ୍କ କଥା ବୁଝିପାରୁନାହାନ୍ତି ଅନ୍ୟଙ୍କ କଥା କଣ ବୁଝିବେ । ଖାଲି ଏତିକି ନୁହେଁ ସେ ପ୍ରଶ୍ନ କରିଛନ୍ତି ଯଦି ବାବା ଏତେ କଥା ଜାଣିପାରୁଛନ୍ତି ତାହାଲେ ନିଆଁ ଲାଗିବା ସମ୍ପର୍କରେ କେମିତି କିଛି ଜାଣିପାରିଲେ ନାହିଁ । 

ବାଗେଶ୍ବରଙ୍କୁ ନେଇ କହିଲେ…

ବାବା ବାଗେଶ୍ବର କହିଥିଲେ ଭାରତ ହିନ୍ଦୁ ରାଷ୍ଟ୍ର ହେବ । ହେଲେ ତେଜପ୍ରତାପ କହିଛନ୍ତି ହିନ୍ଦୁ-ମୁସଲିମ୍‌-ଶିଖ-ଇସାଇ ସମସ୍ତେ ଭାଇଭାଇ । ଏମିତି ସାମ୍ପ୍ରଦାୟିକ ବୟାନ ଦେବାର କୌଣସି ଆବଶ୍ୟକତା ନାହିଁ । ଖାଲି ଏତିକି ନୁହେଁ ସେ କହିଛନ୍ତି ଗଙ୍ଗା ପୂଣ୍ୟର ନଦୀ । ଯେଉଁଠି ଯେଉଁଠି ଅଛି ସେଇଠି ସମସ୍ତେ ସ୍ନାନ କରିପାରିବେ ଏଥିରେ କୌଣସି ଦ୍ବିମତ ନାହିଁ । ମୋଟ୍‌ ଉପରେ ବଜେଟ୍‌ରେ ବିହାରକୁ ପ୍ରାଥମିକତା କେନ୍ଦ୍ର ସରକାର ଦେବା ପରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାକୁ ନେଇ ରାଜନୀତି ବି ଜୋରଦାର ହୋଇଛି । ହେଲେ ଏହାରି ଭିତରେ ତେଜପ୍ରତାପ ଯେଉଁ ବୟାନ ରଖିଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ।