କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଅନେକ କ୍ଷେତ୍ରରେ ବିକାଶ ଆଗେଇଛି । କିନ୍ତୁ ଚାଷୀଙ୍କୁ ଜଳ ଯୋଗାଇବାରେ ଫେଲ ମାରିଛି ପ୍ରଶାସନ । ଆମେ କହୁଛୁ ସ୍ୱାଭିମାନ ଅଞ୍ଚଳର ଉଠା ଜଳସେଚନ ପ୍ରକଳ୍ପ ବିଷୟରେ । ପ୍ରକଳ୍ପ ସରିବା ଦିନଠୁ ଦିନେ ପାଣି ଆସିନି । ଫଳରେ ଆଜି ବି ଜଳ ସଙ୍କଟରୁ ମୁକୁଳି ପାରିନି ମାଲକାନଗିରି ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳ ।

Advertisment

ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ୨୦୨୨ରେ କୋଟିକୋଟି ଟଙ୍କା ବ୍ୟୟବରାଦରେ ଯୋଡ଼ାଆମ୍ବ, ପାପରମେଟଲା ପଞ୍ଚାୟତର ଅନେକ ଗାଁରେ ଉଠା ଜଳସେଚନ ପ୍ରକଳ୍ପ କରାଯାଇଥିଲା । ଜମିକୁ ପାଣି ମାଡ଼ିବା ସହ ଚାଷୀର ଜଳ ସଙ୍କଟ ଦୂର ନେଇ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଆଜି ଯାଏଁ ଏହି ପ୍ରକଳ୍ପର ଲାଭ ଚାଷୀ ପାଇପାରିନାହାନ୍ତି । କେଉଁଠି ମୋଟର୍‌ ପମ୍ପ ଖରାପ ତ’ ଆଉ କେଉଁଠି ବିଦ୍ୟୁତ ତାର ସବୁ ଛିଡ଼ିଗଲାଣି । ଅନ୍ୟପଟେ ଜମିରେ ପାଣି ଆସୁନଥିବା ବେଳେ ଯେଉଁ ଚାଷୀଙ୍କ ଜମିରେ ପାଇପ ପଡ଼ିଛି ତାଙ୍କୁ ପ୍ରତି ମାସ ବିଜୁଳି ବିଲ୍‌ ଧରାଇ ଦେଉଛି ବିଦ୍ୟୁତ୍‌ ବିଭାଗ । ଯାହାକୁ ନେଇ କ୍ଷୁବ୍ଧ ଚାଷୀ ।

ଅଧିକ ପଢ଼ନ୍ତୁ : କୃଷକ ଦିବସରେ ଚାଷୀଙ୍କ ଯନ୍ତ୍ରଣା; ଟୋକନ୍‌ ସମସ୍ୟାର ତାତି, ପୁଲିସ-ଚାଷୀ ଧସ୍ତାଧସ୍ତି

ସ୍ୱାଭିମାନ ଅଞ୍ଚଳର ଅନେକ ଚାଷୀ ପନିପରିବା ଚାଷ ମଧ୍ୟ କରୁଛନ୍ତି । ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଜମି ମଧ୍ୟ ରହିଛି । ହେଲେ ଜଳସେଚନ ଲାଗି ବ୍ୟବସ୍ଥା ନଥିବାରୁ ଚାଷ ହୋଇପାରୁନି । ଆଉ ଜମିରେ ପାଇପ ପୋତି ଦେଇ ହାତ ଝାଡ଼ି ବସିଛି ଜଳ ସମ୍ପଦ ବିଭାଗ ।

ବାରମ୍ବାର ଏନେଇ ପ୍ରଶାସନକୁ ଜଣାଇ ଆସୁଥିଲେ ସୁଦ୍ଧା କେହି ଚାଷୀର କଥାକୁ କର୍ଣ୍ଣପାତ କରୁନାହାନ୍ତି । ଫଳରେ ଯେଉଁ ଚାଷୀ ଗଞ୍ଜେଇ ଚାଷ ଛାଡ଼ି ଅର୍ଥକାରୀ ଫସଲ ମୁହାଁ ହୋଇଥିଲେ ସେମାନେ ଘରେ ହାତ ବାନ୍ଧି ବସିଛନ୍ତି ।