କନକ ବ୍ୟୁରୋ : ଯେଉଁ ବୟସରେ ପାଠ ପଢ଼ା, ସ୍ଵପ୍ନ ଓ ଭବିଷ୍ୟତ ଗଢ଼ିବାର କଥା, ସେହି ବୟସରେ ଜିତୁ ଆଜି ଜୀବନ ମୃତ୍ୟୁ ସହ ଯୁଦ୍ଧ କରୁଛନ୍ତି । ବୟସ ମାତ୍ର ୨୧, ହେଲେ ଜୀବନ ଜିଇଁବା ପାଇଁ ସେ ଯେଉଁ ସଂଘର୍ଷ କରୁଛନ୍ତି, ସେ କଷ୍ଟ ଭଗବାନ କାହାକୁ ନଦିଅନ୍ତୁ । ଜିତୁ ବାପା ମା'ଙ୍କର ଗୋଟିଏ ପୁଅ ହୋଇଥିବାରୁ ପୁଅକୁ ଭଲ କରିବାକୁ ବାପା ମା' ସର୍ବସ୍ୱ ହରାଇସାରିଲେଣି , ଏବେ କେବଳ ସହାୟତାକୁ ଅପେକ୍ଷା । କୋରାପୁଟ ପୌରସଭା ଅନ୍ତର୍ଗତ ସୁନାପୁରରେ ରହୁଛନ୍ତି ୨୧ ବର୍ଷୀୟ ଜିତୁ ଖରା । ଘରେ ମା-ବାପାଙ୍କୁ ନେଇ ଛୋଟିଆ ପରିବାର । ଅନ୍ୟ ପିଲାମାନଙ୍କ ଭଳି ସେ ମଧ୍ୟ ପାଠପଢ଼ି ବଡ଼ ଚାକିରି କରି ନିଜ ବାପା ମା'ଙ୍କ ନାଁ ରଖିବାକୁ ସ୍ୱପ୍ନ ଦେଖୁଥିଲେ । କିନ୍ତୁ ହଠାତ ଦିନେ ତାଙ୍କ ଦେହ ଖରାପ ହେଲା । ପ୍ରଥମେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଗଲା । ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ଖାଦ୍ୟନଳୀରେ ସମସ୍ୟା ଥିଲା , ଅସ୍ତ୍ରୋପଚାର କରାଗଲା । କିନ୍ତୁ ସେତେବେଳେ ମଧ୍ୟ ଅବସ୍ଥା ଭଲ ହେଲା ନାହିଁ ।
ଦିନକୁ ଦିନ ତାଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ବିଶାଖାପାଟନମର ଗୋଟିଏ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଜଣାଇଲେ ଯେ ଖାଦ୍ୟନଳୀ ସଢ଼ିଯାଇଛି , ସେହି ଅଂଶକୁ କାଟି ଦେବାକୁ ପଡ଼ିବ । ସରକାରଙ୍କ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡରୁ ପ୍ରାୟ ଦୁଇ ଲକ୍ଷ ଟଙ୍କାରେ ସେଇ ଅସ୍ତ୍ରପଚାର ହେଲା । ପରେ ଭୁବନେଶ୍ୱର ଏମ୍ସକୁ ନେଇଥିଲେ, କିନ୍ତୁ ସେଠାରେ ଲାଭ ହେଲା ନାହିଁ । ପଛରେ ଏକ ପ୍ରାଇଭେଟ୍ ହସ୍ପିଟାଲେ ଭର୍ତ୍ତି କରାଗଲା, ତେବେ ସେଠାରେ ବୀମା କାର୍ଡର ଟଙ୍କା ସରିଗଲା ପରେ ତାଙ୍କୁ ଫେରାଇ ଦିଆଗଲା ।
ଅଧିକ ପଢ଼ନ୍ତୁ--ଦିବ୍ୟାଙ୍ଗ ଦମ୍ପତିଙ୍କ ଅନନ୍ୟା ପ୍ରତିଭା ; କ୍ରିକେଟରେ କରୁଛନ୍ତି କମାଲ
କୋରାପୁଟକୁ ଫେରିବା ପରେ ପରିବାର ଜାଣିଲେ ଯେ ଏହି ପ୍ରକାରର ଟ୍ରାନ୍ସପ୍ଲାଣ୍ଟ କେବଳ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ହୁଏ , ଋଣ କରି ମୁମ୍ବାଇ ନେଲେ । ଏପର୍ଯ୍ୟନ୍ତ ପନ୍ଦର ଲକ୍ଷ ଅଧିକ ଖର୍ଚ୍ଚ ହୋଇସାରିଛି । ଏବେ ଟ୍ରାନ୍ସପ୍ଲାଣ୍ଟ ପାଇଁ ଲାଗିବ ପ୍ରାୟ ପଚାଶ ଲକ୍ଷ ଟଙ୍କା , ବିପନ୍ନ ପରିବାର ପାଇଁ ଏହା ସମ୍ଭବ ନୁହେଁ । ସେହିପାଇଁ ମା–ବାପା ସରକାରଙ୍କ ସହାୟତା ଲାଗି ଅନୁରୋଧ କରୁଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ ଏହି ପରିସ୍ଥିତିକୁ ଗମ୍ଭୀର ଭାବେ ନେଇଛି । ଯେଉଁ ସବୁ ସରକାରୀ ସୁବିଧା ଥାଏ, ସେଗୁଡ଼ିକ ଜିତୁଙ୍କୁ ଦେବା ପାଇଁ ପଦକ୍ଷେପ ନିଆଯାଇବ ବୋଲି ଅତିରିକ୍ତ ଜିଲ୍ଲାପାଳ ଭକ୍ତ ବନ୍ଧୁ ଜନାର୍ଦ୍ଦନ ଦଳେଇ କହିଛନ୍ତି । ଆପଣ ବି ଚାହିଲେ ଜିତୁ ଖରାଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇପାରିବେ । ଯଦି କୌଣସି ବ୍ୟକ୍ତି ଜିତୁଙ୍କୁ ସାହାଯ୍ୟ କରିବାକୁ ଚାହୁଛନ୍ତି ତେବେ ଲେଖି ରଖନ୍ତୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ।
ଦାମୋଦର ଖରା
ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ (କୋରାପୁଟ ବ୍ରାଞ୍ଚ)
ଆକାଉଣ୍ଟ ନମ୍ବର- 32290897644
IFSC Code - SBIN000121
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/09/help-for-jitu-2025-12-09-18-29-33.jpg)