କନକ ବ୍ୟୁରୋ: ଆବେଗ ଓ ଅସହାୟତା, ଆଖିରେ ଆଖିଏ ଅପେକ୍ଷା ନେଇ ମଣିଷ ହାଟରେ ମନମାରି ବସିଛି ମଣିଷ । କୋଳରେ ଛୁଆ, କାନ୍ଧରେ ପରିବାରର ବୋଝ ନେଇ ବିକ୍ରି ହେବାକୁ ବି ପ୍ରସ୍ତୁତ । କାରଣ ଏମାନେ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ପରା, ଦୁଃଖ ଦୁଇଗୁଣା ହୋଇଗଲା ପରେ ଏମାନେ ଦାଦନ ଖଟିବାକୁ ବାହାରି ପଡ଼ିଛନ୍ତି । ପୁରୁଷ ପୁରୁଷ ଧରି ଏମାନେ ପାହାଡର ପାଦ ଦେଶରେ ରହୁଥିବାରୁ ଏଠି ସରକାରୀ ଯୋଜନା ଅପହଞ୍ଚ । କେବଳ ପିଡିଏସ୍ ଚାଉଳ ଓ ହାତଗଣତି ହିତାଧିକାରୀ ଭତ୍ତା ପାଉଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଯାତାୟାତ ଏମାନଙ୍କ ଜୀବନ-ଜୀବିକାରେ ସତେ ଯେମିତି ଯବନିକା ଟାଣିଦେଇଛି । ସେଥିପାଇଁ ଦିନକୁ ଦିନ ଡଙ୍ଗରିଆ ନିଜର ପରିଚୟ ହରାଇବାକୁ ବସିଲାଣି । ଏପରିକି ଡଙ୍ଗରିଆ ସମ୍ପ୍ରଦାୟର ପିଲାମାନେ ଦୁଇ ଅକ୍ଷର ପଢ଼ିବାରୁ ବି ବଞ୍ଚିତ ହେଉଛନ୍ତି । ଅନେକ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥିବା ଯୋଗୁଁ ପିଲାମାନେ ପୁଷ୍ଟିକର ଖାଦ୍ୟ ଖାଇବାରୁ ବଞ୍ଚିତ ହେଉଛନ୍ତି ।

Advertisment

ଜଙ୍ଗଲକୁ ସୁରକ୍ଷା ଦେଉଥିବା ଏ ଜନଜାତିଙ୍କ ପାଇଁ ସ୍ୱାସ୍ଥ୍ୟସେବା କଥା ନକହିବା ଭଲ । ଆଖପାଖରେ ଡାକ୍ତରଖାନାର ସୁବିଧା ନଥିବା ଯୋଗୁ ଡଙ୍ଗରିଆ ବହୁ ଅସୁବିଧାର ସମ୍ମୁଖିନ ହଉଛନ୍ତି । ନିଜ ଅଞ୍ଚଳରେ କିଛି କାମଧନ୍ଦା ନପାଇ ଶେଷରେ ନିଜ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଭିଟାମାଟି ଛାଡ଼ିବା ପାଇଁ ବାଧ୍ୟ ହେଉଛନ୍ତି । ରାୟଗଡା ଜିଲ୍ଲାର ବିଷମକଟକ, ମୁନିଗୁଡା ଓ କଲ୍ୟାଣସିଂହପୁର ବ୍ଳକର ୯୯ଟି ଗ୍ରାମରେ ୧୦ ହଜାରରୁ ଅଧିକ ଡଙ୍ଗରିଆ ବସବାସ କରନ୍ତି । ଏମାନଙ୍କର ମୁଖ୍ୟ ଜୀବିକା ସପୁରୀ, ଅଦା, ହଳଦୀ, ପଣସ, କମଳା, ଆମ୍ବ, ମାଣ୍ଡିଆ ସହ ଛେଳି ଓ କୁକୁଡା ପାଳନ କରିବା । ହେଲେ ବର୍ଷ ବର୍ଷ ଧରି ନିଜ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ କାରଣରୁ ଆର୍ଥିକ ସ୍ବାବଲମ୍ବୀ ହୋଇପାରିନାହାନ୍ତି  । ସରକାରଙ୍କ ସମସ୍ତ ଯୋଜନା ଡଙ୍ଗରିଆଙ୍କ ନିକଟରେ ସଠିକ ସମୟରେ ପହଞ୍ଚି ପାରନ୍ତା ତା’ହେଲେ ସେମାନେ ଦାଦନ ଖଟିବାକୁ ଯାଆନ୍ତେ ନାହିଁ । ଯଦି ବେଳ ହୁଁ ପ୍ରଶାସନ ଏମାନଙ୍କ ପାଖରେ ନପହଞ୍ଚେ ତେବେ ଡଙ୍ଗରିଆ ଜାତି ଇତିହାସ ହୋଇଯିବ ବୋଲି କହିବା ଭୁଲ ହେବନି ।

ଅଧିକ ପଢ଼ନ୍ତୁ--ପେଟ ପୂରା କରିପାରିବନି ବୋଲି ଶିଶୁପୁତ୍ରକୁ ଦେଇଦେଲେ ଗରିବ ଦମ୍ପତି