କନକ ବ୍ୟୁରୋ : ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଆଲୋକୀକରଣ କରାଗଲା । ଆଉ ଅନ୍ଧାରରେ ରହିବାକୁ ପଡ଼ିବନି ଭାବି ଲୋକ ଖୁସି ହେଲେ । କିନ୍ତୁ ଉଦଘାଟନର ୭ ମାସ ଜଳିବା ପରେ ୩ ବର୍ଷ ହେଲାଣି ଅଚଳ ହୋଇପଡ଼ିଛି ଷ୍ଟ୍ରିଟ୍‌ ଲାଇଟ୍‌ । ଫଳରେ ସଂଧ୍ୟାହେଲେ ବଜାର ଆସିବାକୁ ଭୟ କରୁଛନ୍ତି ଲୋକେ । କଣ୍ଟପଡ଼ା ବଜାର , କେନ୍ଦ୍ରାପଡ଼ା ରାଜକନିକା ବ୍ଲକର ବ୍ୟାବସାୟିକ ପେଣ୍ଠସ୍ଥଳୀ । ୫ଶହରୁ ଅଧିକ ବ୍ୟବସାୟୀ ଏଠାରେ ବେପାର କରନ୍ତି । ସମସ୍ତଙ୍କ ସୁବିଧା ପାଇଁ ଗୋଟିଏ କିମି ରାସ୍ତାରେ ୫୭ଟି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଥିଲା । ଏଥିପାଇଁ ସାଂସଦ ପାଣ୍ଠିରୁ ଖର୍ଚ୍ଚ ହୋଇଥିଲା ପାଖାପାଖି ୭୦ ଲକ୍ଷ ଟଙ୍କା । ୨୦୨୨ ଜାନୁୟାରୀ ୧ରେ ଏହାର ଉଦଘାଟନ କରାଗଲା । ଅଞ୍ଚଳବାସୀ ଭାରି ଖୁସି ଥିଲେ ଯେ, ଗ୍ରାମାଞ୍ଚଳରେ ସହରୀକରଣ ଭଳି ବ୍ୟବସ୍ଥା ହେଉଛି । ହେଲେ ଅଳ୍ପ ଦିନରେ ସବୁ ଖୁସି ଫସର ଫାଟିଗଲା । ୭ ମାସ ଠିକ୍‌ଠାକ୍‌ ଷ୍ଟ୍ରିଟ୍‌ ଲାଇଟ୍‌ ଜଳିଲା । ୩ ବର୍ଷ ହେଲାଣି ମୋଟରୁ ଜଳୁନି । ଏକଦମ ଅଚଳ । 

Advertisment

ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନାହିଁ , ରାତିରେ ଲୋକ ବଜାରକୁ ଆସିବାକୁ ଡରୁଛନ୍ତି । ଏହାର ଫାଇଦା ନେଉଛନ୍ତି ଚୋର । ତେବେ ଷ୍ଟ୍ରିଟ ଲାଇଟକୁ ସଜାଡ଼ିବା ପାଇଁ ବିଡିଓ ଙ୍କ ଠାରୁ ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ କରିଆସୁଛୁ । ହେଲେ ଆମ କଥା କେହି ଶୁଣୁନାହାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି କଣ୍ଟପଡା ସତ୍ୟ ନାରାୟଣ ବଣିକ ସଂଘ । ତୁରନ୍ତ ଆଲୋକୀକରଣ ବ୍ୟବସ୍ଥା କରାନଗଲେ ସଂଘ ପକ୍ଷରୁ ଆନ୍ଦୋଳନ ନେଇ ଚେତାବନୀ ଦିଆଯାଇଛି । ବିଡିଓଙ୍କ ମତରେ ଲାଇଟ୍‌ ଗୁଡ଼ିକୁ ମରାମତି କରିବା ପାଇଁ ଚେଷ୍ଟା କରାଯାଉଛି । ତେବେ ଅଞ୍ଚଳବାସୀ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ୟାର ସମାଧାନ କରିବାକୁ ଦାବି କରାଯାଇଛି ।

ଅଧିକ ପଢ଼ନ୍ତୁ---ପୁନରୁଦ୍ଧାର ନାଁରେ ଭାଙ୍ଗିଦେଲେ;ସରିଲା ଟଙ୍କା, ହୋଇପାରିଲାନି ଉନ୍ନତୀକରଣ