କନକ ବ୍ୟୁରୋ : ବଜାରରେ ଆଲୋକୀକରଣ କରାଯିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲା । ଆଶା ଥିଲା ଏହା ବଜାରର ସୌନ୍ଦର୍ଯ୍ୟ ବଢାଇବା ସହ ଆପରାଧିକ କାର୍ଯ୍ୟ କଳାପ ଉପରେ ରୋକ ଲଗାଇପାରିବ । ହେଲେ ନିମ୍ନ ମାନର କାମ ପାଇଁ ଏହି ଯୋଜନା ସମ୍ପୂର୍ଣ ଫେଲ୍‌ ମାରିଛି । ସରକାରୀ ଅର୍ଥ ହଡପ କରି ଠିକାଦାର ଛୁ ମାରିଥିବା ବେଳେ ସାଧାରଣ ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

Advertisment

୨୦୨୩-୨୪ରେ କେନ୍ଦ୍ରାପଡ଼ାର ରାଜନଗର ଓ ଗୋପାଳପୁର ବଜାରରେ ୬୦ଟି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଗଲା । ୨ କି.ମି ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା । ଉଜ୍ଜ୍ୱଳ ଆଲୁଅରେ ବଜାର ସହ ବସ୍‌ଷ୍ଟାଣ୍ଡ, ତ୍ରିନାଥବଜାର, ହଂସୁଆ ସେତୁ, ବାଇପାସ ପ୍ରଭୃତି ଝଲସୁଥିଲା । ହେଲେ ୨ରୁ ୩ମାସ ଭିତରେ ସେଗୁଡ଼ିକ ଅଚଳ ହୋଇପଡ଼ିଛି । ଅଧାରୁ ଅଧିକ ଖୁଣ୍ଟରେ ଲାଇଟ୍‌ ଆଦୌ ଜଳୁନାହିଁ । ଅନେକ ଖୁଣ୍ଟରେ ଲାଇଟ ଗୁଡିକ ଦିନରେ ଜଳୁଛି, ରାତି ହେଲେ ଲିଭିଯାଉଛି । 

ରାଜନଗର ବଜାର ଉପରେ ରାଜନଗର ବ୍ଲକର ୨୯ଟି ପଞ୍ଚାୟତର ଲୋକ ନିର୍ଭରଶୀଳ । ଦୂରଦୂରାନ୍ତରରୁ ଲୋକ ଭିତରକନିକା ବୁଲିବାକୁ ଆସିଲେ ଏହି ବଜାରରେ ଦେଇ ଯାଇଥାନ୍ତି । ତେଣୁ ଅନେକ ସମୟରେ ଘଟୁଥିବା ଚୋରି, ଡକାୟତିକୁ ରୋକିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଇଥିଲା । ହେଲେ ନିମ୍ନମାନର କାମ ପାଇଁ ଲାଇଟ୍‌ ଗୁଡ଼ିକ ଅଳ୍ପ ଦିନରେ ଅଚଳ ହୋଇପଡ଼ିଥିବା ଅଭିଯୋଗ ହୋଇଛି । ଏପଟେ ଲାଇଟ୍ ଗୁଡ଼ିକୁ ମରାମତି କରିବା ପରିବର୍ତ୍ତେ ପରସ୍ପରକୁ ଦୋଷାରୋପ କରୁଛନ୍ତି ବ୍ଲକ ପ୍ରଶାସନ ଓ ପଞ୍ଚାୟତ । ରାଜନଗର ସଦର ମହକୁମାର ସ୍ଥିତି ଯଦି ଏପରି, ଅନ୍ୟ ପଞ୍ଚାୟତ ଗୁଡିକରେ ଏହି ଆଲୋକୀକରଣ ଯୋଜନା କେତେ ସୁଫଳ ତାହା ବେଶ ଅନୁମେୟ ।