ଶ୍ରୀହରିଙ୍କ କଥା କହେ ନୀଳଚକ୍ର; ପୁରାଣରେ ରହିଛି ଏକ ସୁନ୍ଦର କାହାଣୀ

ନୀଳକନ୍ଦରରେ ଶୋଭାପାଉଥିବା ନୀଳଚକ୍ରରେ ବନ୍ଧା ଯାଇଥିବା ପତିତପାବନ ବାନା ସବୁବେଳେ ପବନର ବିପରୀତ ଦିଗରେ ଉଡ଼ିଥାଏ । କୁହାଯାଏ, ନୀଳଚକ୍ରକୁ ଦର୍ଶନ କଲେ ରତ୍ନସିଂହାସନରେ ଶ୍ରୀଜୀଉଙ୍କ ଦର୍ଶନର ସମାନ ଫଳ ମିଳିଥାଏ । ନୀଳଚକ୍ରକୁ ଅତି ପାଖରୁ ଦେଖିଲେ ଜଣାପଡ଼େ ଯେ ଚକ୍ର ପାର୍ଶ୍ୱରେ କିଛି ଆକୃତି ବିଦ୍ୟମାନ ଅଛନ୍ତି ।

Navagunjara

Navagunjara Photograph: (Kanak News)

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ରହିଛି ଅନେକ ଆଶ୍ଚର୍ଯ୍ୟ । କୋଟି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ୱାକ୍ଷର ବହନ କରିଥାଏ ନୀଳଚକ୍ର । ନୀଳକନ୍ଦରରେ ଶୋଭାପାଉଥିବା ନୀଳଚକ୍ରରେ ବନ୍ଧା ଯାଇଥିବା ପତିତପାବନ ବାନା ସବୁବେଳେ ପବନର ବିପରୀତ ଦିଗରେ ଉଡ଼ିଥାଏ । କୁହାଯାଏ, ନୀଳଚକ୍ରକୁ ଦର୍ଶନ କଲେ ରତ୍ନସିଂହାସନରେ ଶ୍ରୀଜୀଉଙ୍କ ଦର୍ଶନର ସମାନ ଫଳ ମିଳିଥାଏ । ନୀଳଚକ୍ରକୁ ଅତି ପାଖରୁ ଦେଖିଲେ ଜଣାପଡ଼େ ଯେ ଚକ୍ର ପାର୍ଶ୍ୱରେ କିଛି ଆକୃତି ବିଦ୍ୟମାନ ଅଛନ୍ତି । ତେବେ ଏହି ଆକୃତି ପଛର ରହସ୍ୟ କ’ଣ ବେଳେବେଳେ ମନରେ ପ୍ରଶ୍ନ ଉଠେ? ଶ୍ରୀଜଗନ୍ନାଥ ସଂସ୍କୃତିରେ ଏକ ବାଲିକଣିକାର ବି ପୌରାଣିକ କାହାଣୀ ରହିଛି ଠିକ୍ ସେମିତି ଏହି ଆକୃତିର ମଧ୍ୟ ଏକ ସୁନ୍ଦର କାହାଣୀ ରହିଛି ଯାହା ପ୍ରଭୁ ନାରାୟଣଙ୍କୁ ସମର୍ପିତ ।

"କୁକ୍କୁଟ ମୁକୁଟ ମୟୂର କଣ୍ଠ ବୃଷଭ ଚୂଳ ସିଂହ କଟିତଟ, ଲାଞ୍ଜ ହୋଇଅଛି ସର୍ପ ଯେ, ଅଶ୍ଵ, ବ୍ୟାଘ୍ର, ହସ୍ତୀ ଏ ତିନି ଚରଣ ମାନବର ଏକ ହସ୍ତ ଯେ।”

ସାରଳା ମହାଭାରତର ମଧ୍ୟପର୍ବରୁ ଜଣାପଡ଼େ ଯେ ପାଣ୍ଡବ ପାଞ୍ଚ ଭାଇ ଯେତେବେଳେ ଦ୍ରୌପଦୀଙ୍କୁ ବିବାହ ହେଲେ ସେମାନଙ୍କ ମଧ୍ୟରେ ଏକ ସର୍ତ୍ତ ରହିଲା । ସର୍ତ୍ତ ଥିଲା କେହି ଯଦି ଦ୍ରୌପଦୀଙ୍କ ସଙ୍ଗରେ ଏକାକୀ ଶୟନ ପ୍ରକୋଷ୍ଠରେ ଥିବେ ତା’ହେଲେ ସେଠିକି ଆଉ କେହି ଯିବେ ନାହିଁ । ଯଦି କେହି ଯାଆନ୍ତି ତା’ହେଲେ ବାର ବର୍ଷ ପାଇଁ ବନସ୍ତରେ ଲୁଚି ରହିବେ । ଥରେ ଯୁଧିଷ୍ଠିର ଦ୍ରୌପଦୀଙ୍କ ସହିତ ଏକାନ୍ତରେ ଥିବାବେଳେ ଅଗ୍ନିଦେବ ଏକ ବ୍ରାହ୍ମଣ ବେଶରେ ଆସି ଅର୍ଜୁନଙ୍କୁ କହିଲେ ଯେ ମୋର ଯୁଧିଷ୍ଠିରଙ୍କ ପାଖରେ କାର୍ଯ୍ୟ ଅଛି ତାଙ୍କୁ ଜଣାନ୍ତୁ ।

ଅଧିକ ପଢ଼ନ୍ତୁ : ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଓ ଭକ୍ତ ସାଲବେଗ

କିନ୍ତୁ ଅର୍ଜୁନ ଅଗ୍ନିଙ୍କ କଥାକୁ ଉପେକ୍ଷା କଲେ କାରଣ ସେ ସମୟରେ ତାଙ୍କର ଯୁଧିଷ୍ଠିରଙ୍କ ପାଖକୁ ସର୍ତ୍ତ ଅନୁସାରେ ଯିବାର ନଥିଲା । ଅଗ୍ନି କ୍ରୋଧିତ ହୋଇ ତାଙ୍କ ପ୍ରାସାଦକୁ ଜାଳି ଦେବେ ବୋଲି ଆହ୍ୱାନ ଦେଲେ । ଅର୍ଜୁନ ନିରୁପାୟ ହୋଇ ନିୟମ ଭଙ୍ଗ କରି ଯୁଧିଷ୍ଠିରଙ୍କୁ ଖବର ଦେଲେ ଏବଂ ନିଜେ ସର୍ତ୍ତ ରକ୍ଷା କରି ବନକୁ ଗମନ କଲେ । ଯୁଧିଷ୍ଠିରଙ୍କ ଭୟରେ ଅଗ୍ନି ଛଳନା କରି ଏକ ଶିକାରୀରେ ପୀଡ଼ିତ ହୋଇଥିବା କଥା କହି ଅର୍ଜୁନଙ୍କୁ ଔଷଧ ପାଇଁ ଖାଣ୍ଡବବନକୁ ପଠାଇଛନ୍ତି ବୋଲି ଯୁଧିଷ୍ଠିରଙ୍କ ଆଗରେ ପ୍ରକାଶ କଲେ । ଏହି ସମୟରେ ଶ୍ରୀକୃଷ୍ଣ ପାଣ୍ଡବ ଭାଇମାନଙ୍କୁ ଦେଖା କରିବା ପାଇଁ ଆସିଥିଲେ । ଅର୍ଜୁନ ବନକୁ ଯିବା କଥା ସେ ଶୁଣି ମଣିଭଦ୍ର ପର୍ବତକୁ ଚାଲିଗଲେ । ସେଠାରେ ଅର୍ଜୁନଙ୍କୁ ପରୀକ୍ଷା କରିବା ପାଇଁ ସେ ଏକ ବିଚିତ୍ର ରୂପ ଧାରଣ କଲେ ।

ଏହି ଅବିସ୍ମରଣୀୟ ରୂପକୁ ‘ନବଗୁଞ୍ଜର ରୂପ’ କୁହାଗଲା । ଯେଉଁଥିରେ କୁକୁଡ଼ା ମୁକୁଟ, ମୟୂର କଣ୍ଠ , ବୃଷଭ ଚୂଳ, ସିଂହ କଟି, ହାତୀ ଗୋଡ଼, ବ୍ୟାଘ୍ର ଗୋଡ଼, ଘୋଡ଼ା ଗୋଡ଼, ଲାଞ୍ଜ ହୋଇଥିବା ସର୍ପ ଏବଂ ଜଣେ ମାନବ ହାତରେ ଚକ୍ର ଧରିଥିବା ଦୃଶ୍ୟ ଅଛି । ଚିତ୍ରକରମାନେ ଏପ୍ରକାର ଚିତ୍ରକୁ ମନେରଖିବା ପାଇଁ ନବଗୁଞ୍ଜର ଶ୍ଲୋକ ବୋଲିଥାଆନ୍ତି । ଅର୍ଜୁନ ଏହି ବିଚିତ୍ର ରୂପକୁ ଦେଖି ଶ୍ରୀକୃଷ୍ଣଙ୍କର ମାୟା ବୁଝିପାରି ତାଙ୍କୁ ପ୍ରଣାମ ଜଣାଇ ପାଦବନ୍ଦନା କରିଥିଲେ ଓ ସର୍ତ୍ତ ରକ୍ଷା କରିଥିବାରୁ ଶ୍ରୀକୃଷ୍ଣଙ୍କ ଦ୍ୱାରା ଦୋଷମୁକ୍ତ ହୋଇ ପୁନଃ ଉଆସକୁ ଫେରି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe