କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ପୁରୀ ଆଉ ପୌରାଞ୍ଚଳ ମାନ୍ୟତାରେ ରହିବ ନାହିଁ । ଏଣିକି ମହାନଗର ନିଗମ ହେବ ଜଗନ୍ନାଥ ଧାମ ପୁରୀ । ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି । ତା' ସହିତ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ, ଗ୍ରନ୍ଥାଗାର ଏବଂ ଗବେଷଣା କେନ୍ଦ୍ର ହେବ ପ୍ରତିଷ୍ଠା । ଶ୍ରୀ ଜଗନ୍ନାଥ ସଂସ୍କୃତି, କିମ୍ବଦନ୍ତୀ ଓ ଇତିହାସର ହେବ ପ୍ରଚାର ପ୍ରସାର । ଓଡ଼ିଆ ଅସ୍ମିତାକୁ ଦିଆଯିବ ଗୁରୁତ୍ୱ । ନାଗରିକମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ସାଙ୍ଗକୁ, ବହୁବିଧ ସେବା, ପର୍ଯ୍ୟଟକଙ୍କ ଚର୍ଚ୍ଚା ଦ୍ୱାରା ଏକ ବିରାଟ ସକାରାତ୍ମକ ପରିବର୍ତ୍ତନ ନେଇ ଲକ୍ଷ୍ୟ ରଖିଛନ୍ତି ସରକାର । ଏନେଇ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିବା ବେଳେ ତାଙ୍କ ସହ ରହିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । ୨୦୩୬ ସୁଦ୍ଧା ପୁରୀ ହେବ ସୁନ୍ଦର, ସବୁଜ ଓ ବିକଶିତ ପୁରୀ । ସମୃଦ୍ଧ ପୁରୀ ବିନା ବିକଶିତ ଓଡ଼ିଶ ସମ୍ଭବ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ଏବେ ପବିତ୍ର ପୁରୀ ସହରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଜାରି ରହିଛି । ବାହୁଡ଼ା ଯାତ୍ରା ପାଇଁ ମହାପ୍ରଭୁ ଆଜ୍ଞା ଦେଇସାରିଛନ୍ତି । ଏହି ଯାତ୍ରାକୁ ସୂଚାରୁ ରୂପେ ଏବଂ ସୁରକ୍ଷିତ ଢଙ୍ଗରେ ସଂପୂର୍ଣ୍ଣ କରିବା ପାଇଁ ଠାକୁରଙ୍କ ନିର୍ଦ୍ଦେଶରେ ସମସ୍ତେ ନିଜ ନିଜ ସେବା ପ୍ରଦାନ କରୁଛନ୍ତି । ପୁରୀ ଜଗନ୍ନାଥ ଧାମ ସାରା ଭାରତର ସବୁ ଧର୍ମସ୍ଥଳୀ ଠାରୁ ଅନନ୍ୟ । ଏଠାରେ ଭକ୍ତ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ଏକାକାର ହୋଇଯାଆନ୍ତି । ନବଦିନ ବ୍ୟାପି ଏହି ପବିତ୍ର ଯାତ୍ରା ସମୟରେ ବଡ଼ଦାଣ୍ଡରେ ଚାଲୁଥିବା ସବୁ ଭକ୍ତ ଜଣେ ଜଣେ ଦାସିଆ । ମୁଁ ବି ଏହି ଅସଂଖ୍ୟ ଜଗନ୍ନାଥ ଭକ୍ତଙ୍କ ମଧ୍ୟରୁ ଜଣେ ସାଧାରଣ ଭକ୍ତ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟର ମୁଖ୍ୟ ସେବକ ଭାବେ ରାଜ୍ୟବାସୀ ଯେଉଁ ଗୁରୁ ଦାୟିତ୍ଵ ମୋତେ ଅର୍ପଣ କରିଛନ୍ତି, ସେଥି ମଧ୍ୟରୁ ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସହିତ ପୁରୀବାସୀଙ୍କୁ ଗୁଣାତ୍ମକ ମୌଳିକ ସୁବିଧା ପ୍ରଦାନ କରିବା । ମୁଁ ବ୍ୟକ୍ତିଗତ ଭାବେ ପୂର୍ବରୁ ଅନୁଭବ କରିଛି ଯେ କୌଣସି ନା କୌଣସି କାରଣରୁ ବର୍ତ୍ତମାନର ପୁରୀ ପୌରପାଳିକା ଉଭୟ ଭକ୍ତ ଏବଂ ସହରବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହୋଇନାହିଁ ।

ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସ୍ଥାନୀୟ ସ୍ଵାୟତ୍ତ ଶାସନ ପଦ୍ଧତିରେ ସଂସ୍କାର ଆଣିବାକୁ ପଡ଼ିବ । ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତଦାରଖ, ପୁନର୍ବିନ୍ୟାସ ଏବଂ ରକ୍ଷଣାବେକ୍ଷଣ କରିବା ପାଇଁ ନୂତନ ଢାଞ୍ଚାର ଆବଶ୍ୟକତା ରହିଛି । କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ବର୍ଷସାରା ସହରକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ଆମ ସରକାର ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୁରୀ ସହର ଏବଂ ଆଖପାଖ ଅବସ୍ଥିତ ଗ୍ରାମ ପଞ୍ଚାଯତକୁ ସାମିଲ କରି ପୁରୀ ମହାନଗର ନିଗମ ଗଠିତ ହେବ । ଏହା ଦ୍ଵାରା ପୁରୀ ସଦର ଏବଂ ବ୍ରହ୍ମଗିରି ବ୍ଲକର ପ୍ରାୟ ସାତରୁ ଆଠଗୋଟି ଗ୍ରାମ ପଞ୍ଚାୟତକୁ ସାମିଲ କରାଯିବ । ଯାହା ଫଳରେ ଏହି ପଞ୍ଚାୟତବାସୀ ସହର ପରି ସୁବିଧା ପାଇ ପାରିବେ । ଆସନ୍ତା କାଲିଠାରୁ ଏହ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ ।

ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳ ଭାବେ ଗଢି ତୋଳିବାକୁ ଆମ ସରକାର ବଦ୍ଧପରିକର । ଏଥିପାଇଁ ଅନେକ ନୂତନ ପ୍ରକଳ୍ପର ନିର୍ମାଣ ଏବଂ ରକ୍ଷଣାବେକ୍ଷଣର ଅବଶ୍ୟକତା ରହିଛି । ୨୦୩୬ ସୁଦ୍ଧା ପୁରୀକୁ ଦେଶର ଏକ ମୁଖ୍ୟ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏକ ସୁନ୍ଦର, ସବୁଜ, ବିକଶିତ ପୁରୀ ସହର ବିନା ସମୃଦ୍ଧ ଓଡିଶାର ପରିକଳ୍ପନା ଅସମ୍ଭବ । ଆଜିର ଏହି ଘୋଷଣା ସରକାରଙ୍କ ଏହି ଭିଜନର ଏକ ଅଂଶ ବିଶେଷ ।