କନକ ବ୍ୟୁରୋ : ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ନାନା ଅଲୌକିକ ଘଟଣାମାନ ଘଟିବାର ଅନେକ ପ୍ରମାଣ ମିଳେ । ଭକ୍ତର ମାନ ରକ୍ଷା କରିବା ପାଇଁ କେତେବେଳେ ଭଗବାନ ବଳରାମ ଦାସଙ୍କ ବାଲି ରଥରେ ବିଜେ କରିଛନ୍ତି ତ କେତେବେଳେ ରାଜାଙ୍କୁ ସ୍ବପ୍ନାଦେଶ ଦେଇ ଭକ୍ତ ଜଗନ୍ନାଥ ଦାସଙ୍କୁ ବନ୍ଦୀଶାଳାରୁ ମୁକ୍ତ କରିଛନ୍ତି ତ କେତେବେଳେ ଭକ୍ତର ଭୋକ ଦୂର ପାଇଁ ନିଜକୁ ଅର୍ପିତ ସୁନାଥାଳିର ଦିବ୍ୟଅନ୍ନ ବଢ଼ାଇ ଦେଇଛନ୍ତି ଭକ୍ତ ବନ୍ଧୁ ମହାନ୍ତିଙ୍କର ହାତକୁ , ଦୂରରେ ଥାଇ ଭକ୍ତ ଦାସିଆ ବାଉରୀର ନଡ଼ିଆକୁ ଗ୍ରହଣ କରିଛନ୍ତି ନିଜର ମହାବାହୁ ବଢ଼ାଇ । ଗୀତଗୋବିନ୍ଦ ଶୁଣିବା ପାଇଁ ସୁଦୂର ପଲ୍ଲୀରେ ବାଇଗଣ ତୋଳୁଥିବା ଅବସ୍ଥାରେ ଗୀତଗୋବିନ୍ଦ ବୋଲୁଥିବା ବୁଢ଼ୀର ବାଇଗଣ କିଆରୀରେ ହାଜର ହୋଇଛନ୍ତି । ଗର୍ବୀର ଗର୍ବ ଚୁର୍ଣ୍ଣ ପାଇଁ କେତେବେଳେ ଅଟକି ରହନ୍ତି ତ ରଥ ଉପରେ । କେତେବେଳେ ଭକ୍ତ ହାତର ସ୍ପର୍ଶ ପାଇ ମାନ ଭାଙ୍ଗନ୍ତି ମାନଗୋବିନ୍ଦ । ମହାପ୍ରଭୁଙ୍କ ମହାନ ଲୀଳା ବୁଝିବା ସାଧାରଣ ମାନବ ପକ୍ଷେ ଅସମ୍ଭବ ।
/filters:format(webp)/kanak/media/media_files/2025/07/03/ratha-salabega-2025-07-03-13-25-40.jpg)
ସେ ଭାବକୁ ନିକଟ , ଅଭାବକୁ ଦୂର । ଯିଏ ତାଙ୍କୁ ଯେପରି ଭଜିଛି ସେ ସେପରି ତାଙ୍କୁ ପାଇଛି । ଯିଏ ତାଙ୍କୁ ଯେଉଁ ରୂପରେ ଦେଖିବାକୁ ଚାହିଛି ସେ ସେହି ରୂପରେ ଦେଖିବାକୁ ପାଇଛି । ସିଏ ପରା ଜଗତରନାଥ ଜଗନ୍ନାଥ ଏହା ନ କରନ୍ତେ ବା କିପରି? ତାଙ୍କରି ଭକ୍ତ ସାଲବେଗ । ମାତା ତାଙ୍କର ହିନ୍ଦୁ ରମଣୀ ହୋଇଥିଲେ ମଧ୍ୟ ପିତା ଥିଲେ ମୋଗଲ ସୁବେଦାର ଲାଲବେଗ । ସାଲବେଗ ଯୁବକ ଅବସ୍ଥାରେ ଏକଦା ଭୀଷଣ ଭାବରେ କ୍ଷତାକ୍ତ ଓ ପୀଡ଼ିତ ହୋଇଥିଲେ । ଯେତେ ଔେଷଧ ଲଗାଇଲେ ମଧ୍ୟ କ୍ଷତର ଉପଶମ ହେଲା ନାହିଁ । ନିଜ ମା’ଙ୍କ ପରାମର୍ଶକ୍ରମେ ବୃନ୍ଦାବନ ବିହାରୀଙ୍କୁ ଉପାସନା କରି ବ୍ୟାଧିମୁକ୍ତ ହୋଇଥିଲେ । ଶ୍ରୀକୃଷ୍ଣଙ୍କ କରୁଣାରୁ ମୃତ୍ୟୁମୁଖରୁ ରକ୍ଷା ପାଇଥିବାରୁ ନିଜର ସମଗ୍ର ଜୀବନ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ସମର୍ପଣ ପୂର୍ବକ ସନ୍ନ୍ୟାସୀ ଜୀବନଯାପନ କରିବାକୁ ସ୍ଥିର କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ଶ୍ରୀକ୍ଷେତ୍ରରେ ଆସି ଅବସ୍ଥାନ କରିଥିଲେ । ଶ୍ରୀକ୍ଷେତ୍ରରେ ଅବସ୍ଥାନ କାଳରେ ସାଲବେଗ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ବହୁ ଜଣାଣ, ଭଜନ ରଚନା କରିଥିଲେ ଓ ତାହାକୁ ଗାଉଥିଲେ ମଧ୍ୟ । ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିଲେ ମଧ୍ୟ ବୃନ୍ଦାବନ ଯାଇ ବୃନ୍ଦାବନ ବିହାରୀ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା ତାଙ୍କର ବଳବତ୍ତର ହୋଇ ଉଠିଥିଲା । ଶ୍ରୀଜଗନ୍ନାଥଙ୍କ ପ୍ରତି ସାଲବେଗଙ୍କର ଥିଲା ପ୍ରଗାଢ଼ ଭକ୍ତି । ଜାତିରେ ଯବନ ହୋଇଥିବାରୁ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ସୁଯୋଗ ନ ଥିବାରୁ ପ୍ରତିବର୍ଷ ରଥଯାତ୍ରାରେ ରଥାରୁଢ଼ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରୁଥିଲେ ।
/filters:format(webp)/kanak/media/media_files/2025/07/03/salabega-2025-07-03-13-16-28.jpg)
ଏକଦା ସାଲବେଗ ବୃନ୍ଦାବନ ଯାଇ ସେଠାରେ ପ୍ରାୟ ବର୍ଷେ ଯାଏଁ ରହିବା ପରେ ରଥଯାତ୍ରା ସମୟ ପାଖେଇ ଆସିବାରୁ ବୃନ୍ଦାବନରୁ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିଥିଲେ । ବାଟରେ ଅସୁସ୍ଥ ହୋଇ କିଛି ଦିନ ବିତିଗଲା । ରଥଯାତ୍ରା ସମୟ ହେଲା କିନ୍ତୁ ଶ୍ରୀକ୍ଷେତ୍ରଠାରୁ ସେ ଥିଲେ ଅନେକ ଦୂରରେ । ବାହୁଡ଼ା ଯାତ୍ରା ଶେଷ ମଧ୍ୟରେ ଶ୍ରୀକ୍ଷେତ୍ରରେ ପହଞ୍ଚି ପାରିବାର ଆଶା ନ ଥିବାରୁ ମନ ତାଙ୍କର ଆକୁଳିତ ହୋଇଉଠିଲା । ଚିତ୍ତ ତାଙ୍କର ଆନ୍ଦୋଳିତ ହେଲା । କରୁଣ ସ୍ୱରରେ ମନର ଆବେଗ ନେଇ ପଥରେ ଗାଇଲେ-
‘ଜଗବନ୍ଧୁ ହେ ଗୋସାଇଁ
ତୁମ୍ଭ ଶ୍ରୀଚରଣ ବିନୁ ଅନ୍ୟ ଗତି ନାହିଁ ।’
ସେହି ବର୍ଷ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ଫେରିବା ପଥରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ବଳଗଣ୍ଡି ନିକଟରେ ଅନିର୍ଦ୍ଦିଷ୍ଟ କାଳ ଲାଗି ଅଟକି ରହିଥିଲା । ଭକ୍ତ ସାଲବେଗ ଶ୍ରୀକ୍ଷେତ୍ରରେ ପହଞ୍ଚି ସେହିଠାରେ ନନ୍ଦିଘୋଷରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ନନ୍ଦିଘୋଷ ଚକ ଗଡ଼ି ଚାଲିଥିଲା ଶ୍ରୀମନ୍ଦିର ଅଭିମୁଖେ । ସାଲବେଗ ନିଜକୁ ଧନ୍ୟ ମଣିବା ସଙ୍ଗେ ସଙ୍ଗେ ସେହିଦିନଠାରୁ ବଡ଼ଦାଣ୍ଡର ସେହିଠାରେ (ଯେଉଁଠାରେ ନନ୍ଦିଘୋଷରେ ଶ୍ରୀଜଗନ୍ନାଥ ଦର୍ଶନ ଦେଇଥିଲେ) ନିଜର ଅବଶିଷ୍ଟ ଜୀବନ ଅତିବାହିତ କରିଥିଲେ । ତାଙ୍କର ପରଲୋକ ଗମନ ପରେ ସେହିଠାରେ ତତ୍କାଳୀନ ରାଜାଙ୍କ ନିର୍ଦ୍ଦେଶରେ ତାଙ୍କୁ ସମାଧି ଦିଆଯାଇଥିଲା । ସେହିଠାରେ ସାଲବେଗଙ୍କ ସମାଧି ପୀଠ ଅବସ୍ଥିତ ।
/filters:format(webp)/kanak/media/media_files/2025/07/03/salbeg-2025-07-03-13-17-48.jpg)