Dense Fog Photograph: (Kanak News)
କନକ ବ୍ୟୁରୋ : ପିକନିକ୍ ଋତୁ ଚାଲିଛି । ସ୍କୁଲ କଲେଜ ଛୁଟି ଥିବାରୁ ଲୋକେ ବହୁ ସଂଖ୍ୟାରେ ବୁଲିବାକୁ ଘରୁ ବାହାରୁଛନ୍ତି । କିନ୍ତୁ କାଳ ସାଜୁଛି କୁହୁଡ଼ି । ଦୁର୍ଘଟଣା ନେଉଛି ଜୀବନ । ସ୍ଥିତି ଗମ୍ଭୀର ଦେଖି ସତର୍କ କରାଇଛି ରାଜ୍ୟ ପରିବହନ ବିଭାଗ ।
ପ୍ରବଳ ଥଣ୍ଡା ସାଙ୍ଗକୁ କଲବଲ କରୁଛି ଘନ କୁହୁଡ଼ି । ଅଧ ରାତିରୁ ସକାଳ ୯ଟା ପର୍ଯ୍ୟନ୍ତ କୁହୁଡ଼ିରେ ଅଦୃଶ୍ୟ ହୋଇଯାଉଛି ରାସ୍ତା । ପଚାଶ ମିଟର ଦୁରତାରେ ବି କିଛି ଦେଖାଯାଉନି । ନୂଆବର୍ଷ ପର୍ଯ୍ୟନ୍ତ ବଦଳିବନି ପାଗ । ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଜିଲ୍ଲାରେ ଆସନ୍ତାକାଲି ସକାଳ ଯାଏଁ ଘନ କୁହୁଡ଼ି ହେବ । ଏହି ଅଞ୍ଚଳର ଲୋକମାନେ ଅଧିକ ସତର୍କ ରହିବାକୁ କୁହାଯାଇଛି ।
ଅଧିକ ପଢ଼ନ୍ତୁ : ଘନ କୁହୁଡ଼ିରୁ କୋରାପୁଟ ଲମତାପୁଟରେ ଦୁର୍ଘଟଣା : ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ
ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଜନିତ ବଡ଼ ଦୁର୍ଘଟଣା ଘଟିଛି । ଚାରିଟି ସ୍ଥାନରୁ ଆସିଥିବା ଏହି ଦୁର୍ଘଟଣା ଥିଲା ଛାତି ଥରାଇ ଦେବା ଭଳି । ଭୁବନେଶ୍ୱର ପାହାଳ ନିକଟରେ ରାସ୍ତା କଡରେ ଅଟକିଥିବା କାରକୁ ଧକା ଦେଇଥିଲା ଟ୍ରକ । କିଛି ଫୁଟ ଯାଏଁ କାରକୁ ଟାଣିନେଇଥିଲା । ସେପଟେ ଲମତାପୁଟ ବ୍ଲକ ମାଳିପେଟା ଗ୍ରାମ ନିକଟରେ କୁକୁଡ଼ା ବୋଝେଇ ଟ୍ରକ୍ ଓ ଇକୋ ଗାଡ଼ି ମୁହାଁମୁହିଁ ଧକା । କାରରେ ଥିବା ୬ ଜଣ ଗୁରୁତର ଥିବାବେଳେ, ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତ ଲୋକମାନେ କୁନ୍ଦୁରାରୁ ଆନ୍ଧ୍ରପ୍ରଦେଶ ବୁଲିବାକୁ ଯାଉଥିଲେ ।
ସେଇଭଳି ବସ୍ତା ଅଞ୍ଚଳରେ ମଧ୍ୟ କୁହୁଡି ପାଇଁ ବଡ଼ ଦୁର୍ଘଟଣା ଘଟିଛି । ସ୍କୁଟିକୁ ବାଲି ବୋଝେଇ ହାଇୱା ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ହେଇଛି । ବାଲେଶ୍ଵର ଚାନ୍ଦିପୁର ମଧ୍ୟ ପୋଲ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି କାର। ଅଳ୍ପକେ ବର୍ତିଛନ୍ତି ଡ଼୍ରାଇଭର ।
ବର୍ଷର ଶେଷ ସମୟକୁ ସ୍ମୃତିରେ ରଖିବାକୁ ଢେର୍ ଦିନରୁ ଯୋଜନା କରିଛନ୍ତି ଲୋକେ । ହେଲେ କୁହୁଡ଼ି ଆଢୁଆଳରେ ରାସ୍ତା ମଝିରେ ଛକି ବସିଛି ମୃତ୍ୟୁ । ଖୁସିର ସମୟକୁ ଛଡ଼ାଇ ନେଉଛି, ଅଣ୍ଟିରେ ପୂରାଇ ଦେଉଛି ପୁଳା ପୁଳା ଦୁଃଖ,କଷ୍ଟ, ଯନ୍ତ୍ରଣା ।
Follow Us