କନକ ବ୍ୟୁରୋ : ସ୍କୁଲ ପିଲାଙ୍କୁ ମାଗଣାରେ ୟୁନିଫର୍ମ ଯୋଗାଇ ଦେଉଛନ୍ତି ସରକାର । କିନ୍ତୁ ବିଡମ୍ବନାର ବିଷୟ ଏ ବର୍ଷ ପିଲାଙ୍କ ସ୍କୁଲ୍ ସରିବାକୁ ବସିଲାଣି, ହେଲେ ଏଯାଏଁ ପିଲାଙ୍କୁ ଡ୍ରେସ ମିଳିନାହିଁ । ଏନେଇ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କୁ ମୁହଁ ଖୋଲିଲେ ଦିଆଯାଉଛି ଧମକ । ଏନେଇ ମୁହଁ ଖୋଲୁନାହାନ୍ତି ଜିଲ୍ଲା ଶିକ୍ଷାଧିକାରୀ ।

Advertisment

ଆଉ ମାସ କେଇଟା ପରେ ସରିଯିବ ଶିକ୍ଷାବର୍ଷ । ଦଶମ ଶ୍ରେଣୀ ପିଲା ସ୍କୁଲ ପାଠପଢ଼ା ସାରି କଲେଜ ଯିବେ । କିନ୍ତୁ ଏଯାଏଁ ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ମିଳିନି ସ୍କୁଲ ୟୁନିଫର୍ମ । ବାଧ୍ୟ ହୋଇ ପୁରୁଣା ପୋଷାକ ପିନ୍ଧୁଛନ୍ତି । ଗତକାଲି ବାଲେଶ୍ୱର ମୁନସିପାଲଟି ସ୍କୁଲର ଦୃଶ୍ୟ ଦେଖାଇବା ପରେ ଆଜି ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିଥିଲା କନକ ନ୍ୟୁଜ୍ ଟିମ୍ । ବାଲେଶ୍ୱର ପବ୍ଲିକ ସ୍କୁଲରେ ଦେଖିବାକୁ ମିଳିଥିଲା ସମାନ ସ୍ଥିତି ।

ଅଧିକ ପଢ଼ନ୍ତୁ : ଷାଣ୍ମାସିକ ପରୀକ୍ଷା ସରିଲା,ପୋଷାକ ମିଳିଲାନି : ଛାତ୍ରଛାତ୍ରୀ ପିନ୍ଧୁଛନ୍ତି ଚିରାଫଟା ୟୁନିଫର୍ମ

ପୁଣି ସ୍ଥିତି ପରଖିବାକୁ ପହଞ୍ଚିଥିଲୁ ଜିଲ୍ଲା ସ୍କୁଲ । ପିଲା ଏ ବର୍ଷ ୟୁନିଫର୍ମ ପାଇ ନ ଥିବା କହୁଥିଲାବେଳେ କାଲିଠାରୁ ଡ୍ରେସ ଦିଆ ଯାଉଥିବା କହିଛନ୍ତି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ । କିନ୍ତୁ ବାସ୍ତବ ଚିତ୍ର ଥିଲା ଭିନ୍ନ । ଏପର୍ଯ୍ୟନ୍ତ ପିଲାଙ୍କୁ କାହିଁକି ୟୁନିଫର୍ମ ଦିଆଯାଇନି ବୋଲି ପଚାରିବାରୁ ଅଜବ ଯୁକ୍ତି ବାଢ଼ିଥିଲେ ବାଲେଶ୍ୱର ଜିଲ୍ଲା ଶିକ୍ଷାଧିକାରୀ । ନିଜ ମୁଣ୍ଡରୁ ବୋଝ ଖସାଇବା ସହ ବୁମ୍ ଆଡେଇ ଚାଲିଯାଇଥିଲେ ।

ଏବେ ପ୍ରଶ୍ନ ଉଠୁଛି, ପିଲାଙ୍କୁ ୟୁନିଫର୍ମ ମିଳିବ କେବେ ? ଆଉ କେତେ ଦିନ ପିନ୍ଧିବେ ୟୁନିଫର୍ମ ? ସରକାର ଜୁନ୍ ମାସରୁ ନିର୍ଦ୍ଦେଶ ଦେବା ପରେ କାହିଁକି କାର୍ଯ୍ୟକାରୀ କଲେନି ଶିକ୍ଷାଧିକାରୀ ? ଏବେ ୟୁନିଫର୍ମ ନଦେଇ ଟଙ୍କା ଦେବା ପାଇଁ ବ୍ୟବସ୍ଥା କରିବେ କି ସରକାର ?