କନକ ବ୍ୟୁରୋ : ପିଲାଙ୍କୁ ମାଗଣା ସ୍କୁଲ ପୋଷାକ ଦେବା ପାଇଁ ଟଙ୍କା ଦେଉଛନ୍ତି ସରକାର । ସରିଗଲା ଷାଣ୍ମାସିକ ପରୀକ୍ଷା, ସବୁ ସ୍କୁଲରେ ପିଲାଙ୍କୁ ମିଳିପାରିଲାନି ୟୁନିଫର୍ମ । ଟେଣ୍ଡରକୁ ଡର, ଭେଣ୍ଡର ଚୟନରେ ବିଳମ୍ବ । ସବୁ ଜାଣି ବି ବିଭାଗ ଚୁପ୍ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ପୋଷାକ ଯୋଗାଇ ଦେବାକୁ ସରକାର କୋଟି କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ସବୁ ପିଲାଙ୍କୁ ଠିକ୍ ସମୟରେ ପୋଷାକ ଯୋଗାଇ ଦେବାକୁ ତିନି ମାସ ତଳୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ବି ଦେଇଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ ବାବୁମାନଙ୍କ ଖାମଖିଆଲି ମନୋଭାବ ଯୋଗୁ ଏଯାଏଁ ପିଲାଙ୍କୁ ମିଳିନି ପୋଷାକ । 
 
ସ୍କୁଲ ଖୋଲୁ ଖୋଲୁ ପିଲାଙ୍କୁ ପୋଷାକ ଦେବା ପାଇଁ ସରକାର ତିନି ମାସ ତଳୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଗଷ୍ଟ ୧୫ ସୁଦ୍ଧା ପୋଷାକ ବାଣ୍ଟିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶକୁ ଫୁ’କରି ଉଡ଼ାଇ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ଫଳରେ ଚିରା ଫଟା ପୋଷାକ ପିନ୍ଧି ସ୍କୁଲ ଆସୁଛନ୍ତି ଛାତ୍ରଛାତ୍ରୀ । ଓସେପା ପକ୍ଷରୁ ଜୁନ୍ ୨୧ରେ ନିର୍ଦ୍ଦେଶ ଦିଆଯାଇଥିଲା କିନ୍ତୁ କିଏ ପୋଷାକ ଯୋଗାଇବ ତାହା ଚୟନ କରିବା ପାଇଁ ତିନି ମାସ ସମୟ ନେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ । ଷାଣ୍ମାସିକ ପରୀକ୍ଷା ଚାଲିଥିବାବେଳେ ତରବରିଆ ଭାବେ ଗତ ବୁଧବାର ଦିନ ଭେଣ୍ଡର ଚୟନ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଭଳି କୋରାପୁଟ, ବାଲେଶ୍ବର ଜିଲ୍ଲାରେ ମଧ୍ୟ ପୋଷାକ ବଣ୍ଟନ ହୋଇନାହିଁ । ଭେଣ୍ଡର ଚୟନ ହୋଇନପାରିବାରୁ ପୋଷାକ ବଣ୍ଟନ ହୋଇନଥିବା ସୂଚନା ମିଳିଛି । ମାଲକାନଗିରି ଜିଲ୍ଲାର କିଛି ବ୍ଲକରେ ପୋଷାକ ବଣ୍ଟନ ହୋଇଥିବାବେଳେ ଆଉ କିଛି ବ୍ଲକରେ ଛିଡ଼ିନି ବିବାଦ । ତେବେ ଭେଣ୍ଡର ଚୟନ ନହୋଇପାରିବା ପଛର ଡିଲ୍ ଛିଡୁନଥିବା ଅଭିଯୋଗ କରିଛନ୍ତି ଅଭିଭାବକ ମହାସଂଘ । ପ୍ରଶ୍ନ ଉଠୁଛି, ଛାତ୍ରଛାତ୍ରୀଙ୍କୁ କେବେ ମିଳିବ ପୋଷାକ ? ଦଶମ ଶ୍ରେଣୀ ପିଲାମାନେ ପୋଷାକ ନେଇ ଏବେ କେତେ ଦିନ ପିନ୍ଧିବେ? ସରକାରଙ୍କ ନିର୍ଦ୍ଦେଶକୁ ଖାତିର କରିନଥିବା ଅଧିକାରୀଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ? 

Advertisment