କନକ ବ୍ୟୁରୋ; ରୁଷରେ ସମ୍ପ୍ରତି ହୋଇଥିବା ଏକ ଛୁରୀମାଡ଼ ଘଟଣାରେ ଚାରି ଜଣ ଭାରତୀୟ ଛାତ୍ର ଆହତ ହୋଇଥିଲେ । ଏହି ଘଟଣା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ବୈଦେଶିକ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ବିଶ୍ୱବ୍ୟାପୀ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଦାଖଲ ହୋଇଥିବା ଶୋଷଣ ଓ ଜାତିଗତ ବୈଷମ୍ୟ ଅଭିଯୋଗର ଅଧା ବା ୫୦% ରୁଷରୁ ଆସିଛି । ମସ୍କୋ ଶୋଷଣ ଓ ଜାତିଗତ ବୈଷମ୍ୟର ପ୍ରମୁଖ କେନ୍ଦ୍ର ପାଲଟିଛି। ୨୦୨୫ମସିହାରେ, ୧୯୬ଟି ଦେଶରୁ ମୋଟ ୩୫୦ଟି ଅଭିଯୋଗ ଆସିଥିଲା । ଯେଉଁଥିରୁ ୨୦୦ରୁ ଅଧିକ କେବଳ ରୁଷରୁ ଆସିଥିଲା । ଗତ ତିନି ବର୍ଷ ମଧ୍ୟରେ ଏହି ମାମଲାରେ ଏକ ବଡ଼ ବୃଦ୍ଧି ଘଟିଛି । ୨୦୨୩ ମସିହାରେ ବିଦେଶରୁ ଆସିଥିବା ଭାରତୀୟଙ୍କ ଉପରେ ଆକ୍ରମଣର ୬୮ଟି ଅଭିଯୋଗ ଆସିଥିଲ। ଏଭଳି ଘଟଣା ୨୦୨୪ରେ ୭୮କୁ ବୃଦ୍ଧିପାଇଥିବାବେଳେ ୨୦୨୫ ରେ ବଢ଼ି ୨୦୧ରେ ପହଞ୍ଚିଥିବା‌ ଅଭିଯୋଗ ହୋଇଛି ।

Advertisment

ରୁଷରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଶୋଷଣ
ରୁଷରେ ପଢ଼ୁଥିବା ଅଧିକାଂଶ ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ ରାଜସ୍ଥାନ, ଗୁଜରାଟ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କେରଳ ଓ ତାମିଲନାଡୁରୁ ଯାଇଛନ୍ତି। କମ୍ ଶିକ୍ଷା ଫି ତଥା ସହଜ ପ୍ରବେଶ ପ୍ରକ୍ରିୟା ଯୋଗୁ ରୁଷର ଡାକ୍ତରୀ ଶିକ୍ଷା ବେଶ୍ ଲୋକପ୍ରିୟ। କିନ୍ତୁ ବଢୁଥିବା ଅଭିଯୋଗ ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଉଠାଇଛି। ବିଦେଶୀ ମେଡିକାଲ୍ ଗ୍ରାଜୁଏଟ୍ସ ଆସୋସିଏସନର ସଦସ୍ୟମାନେ ବ୍ୟାପକ ଜାତିଗତ ଭେଦଭାବ, ନିର୍ଯାତନା ଏବଂ ସମର୍ଥନର ଅଭାବକୁ ସ୍ୱୀକାର କରିଛନ୍ତି। ଅଲ୍ ଏଫ୍ଏମ୍‌ଜିଏସ୍‌ର ସଂଯୋଜକ ଡି. କୌଶଳ ଦାବି କରିଛନ୍ତି, ରୁଷ ନିୟମ ସତ୍ତ୍ୱେ, କିଛି ବିଶ୍ୱବିଦ୍ୟାଳୟ ୧୨୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ ନାମ ଲେଖାଇଥାନ୍ତି । ପରେ ସେମାନଙ୍କୁ ବହିଷ୍କାର କରିଥାନ୍ତି ।

 ଅଧିକ ପଢନ୍ତୁ: ବିଲ୍ ଗେଟ୍ସଙ୍କ ବିରୋଧରେ ଗୁରୁତର ଅଭିଯୋଗ: ରୁଷ ମହିଳାଙ୍କ ସହ ସମ୍ପର୍କ ନେଇ ଖୁଲାସା

ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଚିନ୍ତା
ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ କହିଛନ୍ତି ଯେ, ବିଦେଶରେ ଥିବା ଭାରତୀୟ ମିଶନରେ ଉତ୍ସର୍ଗୀକୃତ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ସେ କହିଛନ୍ତି, ଆମର ମିଶନଗୁଡ଼ିକ ବିଦେଶରେ ନାମ ଲେଖାଇଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କ ସହିତ ନିୟମିତ ଯୋଗାଯୋଗ ବଜାୟ ରଖିଥାନ୍ତି ଓ ସେଠାରେ ରହିବା ସମୟରେ ସେମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ତଥା ବିପଦ ବିଷୟରେ ସୂଚନା ହାସଲ କରିଥାନ୍ତି। ମିଶନ ମୁଖ୍ୟ ଓ ଦୂତାବାସର ବରିଷ୍ଠ ଅଧିକାରୀମାନେ ଭାରତୀୟ ଛାତ୍ରଛାତ୍ରୀ ତଥା ଛାତ୍ର ସଂଗଠନମାନଙ୍କ ସହିତ ଆଲୋଚନା କରିବା ପାଇଁ ସ୍ୱୀକୃତିପ୍ରାପ୍ତ ବିଦେଶୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମୟାନ୍ତରରେ ପରିଦର୍ଶନ କରିଥାନ୍ତି ।