Rourkela Plane Accident Photograph: (Kanak News)
କନକ ବ୍ୟୁରୋ : ଏଯାଏଁ ସାମ୍ନାକୁ ଆସିନି ରାଉଲକେଲାରେ ବିମାନ ଦୁର୍ଘଟଣାର ସତ । କାରଣ ଖୋଜୁଛନ୍ତି DGCA ଓ AAIB ତଦନ୍ତକାରୀ ଟିମ୍ । ପରିବହନ ସଚିବଙ୍କ ସହ ଖୋଦ୍ ପରିବହନ ମନ୍ତ୍ରୀ ଆହତଙ୍କୁ ଭେଟିବା ସହ ଘଟଣାସ୍ଥଳକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି । ଇଣ୍ଡିଆନ୍ ୱାନ୍ ଏୟାର ପ୍ରମୋଟରଙ୍କ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି । ଏପଟେ ଭୁବନେଶ୍ଵରରୁ ରାଉଲକେଲା ଉଡୁଥିବା ସିଙ୍ଗଲ ଇଞ୍ଜିନ VT - KSS ବିମାନର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଛନ୍ତି ସହରବାସୀ ।
ରାଉରକେଲାରେ ଚାର୍ଟର ବିମାନ କେମିତି ହେଲା ଦୁର୍ଘଟଣା ? ୪୮ ଘଣ୍ଟା ପରେ ବି ଜଣାପଡ଼ିନି ଫୋର୍ସ ଲ୍ୟାଣ୍ଡିଂର କାରଣ । ସାମ୍ନାକୁ ଆସିନି ଡିଜିସିଏ ଓ ଏଏଆଇବିର ତଦନ୍ତ ରିପୋର୍ଟ । ବ୍ଲାକ ବକ୍ସ ଅନୁଧ୍ୟାନ ପରେ ଦୁର୍ଘଟଣାର ରହସ୍ୟ ଖୋଲିବ । ଏହାରି ଭିତରେ ରାଉରକେଲାରେ ପହଞ୍ଚିଛନ୍ତି ଇଣ୍ଡିଆନ୍ ୱାନ୍ ଏୟାରର ପ୍ରମୋଟର ଶୈଶବ ଶାହ । ଯାନ୍ତ୍ରିକ ତ୍ରୁଟିରୁ ବିମାନର ଦୁର୍ଘଟଣା ହୋଇଥାଇପାରେ ବୋଲି ସୂଚନା ଦେଇଛନ୍ତି । ହସ୍ପିଟାଲ ଯାଇ ଆହତ ପାଇଲଟ୍ ଓ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ପରିବହନ ମନ୍ତ୍ରୀ ବିଭୂତି ଜେନା ଦୁର୍ଘଟଣାସ୍ଥଳ ଯାଇ ଅନୁଧ୍ୟାନ କରିଛନ୍ତି । ଘଟଣାର ଯେମିତି ପୁନରାବୃତ୍ତି ନହେବ ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ମନ୍ତ୍ରୀ ।
ଅଧିକ ପଢ଼ନ୍ତୁ : ରାଉରକେଲା ବିମାନ ଦୁର୍ଘଟଣାର ତନାଘନା, ବ୍ଲାକ୍ବକ୍ସରେ ଦୁର୍ଘଟଣା ରହସ୍ୟ
୯ ସିଟର୍ ବିମାନ VT-KSS l ପୂର୍ବରୁ ଏହା କଳାହାଣ୍ଡି ଭବାନୀପାଟଣା ଉତ୍କେଲାରୁ ଭୁବନେଶ୍ୱରକୁ ସେବା ଯୋଗାଉଥିଲା । ୨୦୨୫ ଡିସେମ୍ବର ୫ରୁ ଭୁବନେଶ୍ୱର-ରାଉରକେଲାକୁ ପ୍ରଥମ ଉଡ଼ାଣ ଭରିଥିଲା । ସେତେବେଳେ ମୋଟ ୩୬ ଦିନ ଯାତ୍ରୀଙ୍କୁ ନେଇ ଉଡ଼ିଥିଲା ବିମାନ । ପୂର୍ବରୁ ଏହି ସିଙ୍ଗଲ ଇଞ୍ଜିନ ୯ ସିଟର ବିମାନ ଚଳାଚଳକୁ ନେଇ ଆପତ୍ତି ଉଠାଇଥିଲେ ଏୟାରପୋର୍ଟ ଆକ୍ସନ କମିଟିର ସଦସ୍ୟ । ବିମାନଟିରେ ସିଙ୍ଗଲ ଇଞ୍ଜିନ ଥିବାରୁ ଏହା ବିମାନ ଯାତ୍ରା ପାଇଁ ସୁରକ୍ଷିତ ନୁହଁ ବୋଲି କହିଥିଲେ । ତେବେ ବିମାନଟି ଭୁବନେଶ୍ଵରରେ ଘଟଣା ଦିନ କୌଣସି କାରଣକୁ ନେଇ ବିଳମ୍ବରେ ଉଡ଼ାଣ ଭରିଥିଲା । ଯଦି ବିମାନରେ ଯାନ୍ତ୍ରିକ ତ୍ରୁଟି ଥିଲା ତେବେ ଉଡିବା ପାଇଁ କେମିତି ଗ୍ରୀନ ସିଗନାଲ ମିଳିଲା, ସେ ନେଇ ଉଠିଛି ପ୍ରଶ୍ନ ।
ଦୁର୍ଘଟଣା ପରେ ଅନୁଧ୍ୟାନ କରି ବିମାନର ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶକୁ ସାଂଗରେ ନେଇ ଯାଇଛନ୍ତି ଡିଜିସିଏ ଟିମ୍ । (ଏଏଆଇବି) ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋର ୪ଜଣିଆ ଟିମ୍ ବି ଦୁର୍ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।
Follow Us