କନକ ବ୍ୟୁରୋ : ଚିତ୍ରକୋଣ୍ଡା ବ୍ଲକ ସଦର ମହାକୁମାରେ ଶୋଚନୀୟ ରାସ୍ତା ଏବେ ଲୋକଙ୍କ ଚିନ୍ତାର ବିଷୟ ପାଲଟିଛି । ବର୍ଷା ଦିନେ ଏହି ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡୁଥିବା ବେଳେ ସମସ୍ୟା ଭୋଗୁଛନ୍ତି ଉପାନ୍ତ ଅଞ୍ଚଳବାସୀ । ତେବେ ବାରମ୍ବାର ଅଭିଯୋଗ ପରେ ଶୁଣୁନାହାଁନ୍ତି ଅଧିକାରୀ, ନିର୍ମାଣ ହୋଇ ପାରୁନି ରାସ୍ତା । ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମାର ଛାତି ଉପରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟଠାରୁ ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ଥିବା ଏକ କିମି ରାସ୍ତାର ଏ ହେଉଛି ଦୂରାବସ୍ଥା ।

Advertisment

କେଉଁଠି ମେଟାଲ ଉଠିଗଲାଣି ତ ଆଉ କେଉଁଠି ଡ୍ରେନ୍ ନଥିବାରୁ ନିଷ୍କାସନ ହୋଇନପାରି ଖାଲଖମାରେ ଜମିରହୁଛି ପାଣି । ବର୍ଷା ଦିନ ଆସିଲେ ଏହି ରାସ୍ତାର ଅବସ୍ଥା ନକହିବା ଭଲ । ପାଣି କାଦୁଅ କାରଣରୁ ସ୍କୁଲ ପିଲାମାନ ପାଠ ପଢ଼ିବାକୁ ଯିବାକୁ ଅସୁବିଧା ଭୋଗିଥାନ୍ତି । ସେହିପରି ଏହି ବାଟଦେଇ ବଜାର ଘାଟକୁ ଯାଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଖଣ୍ଡିଆଖାବରା ହେଉଛନ୍ତି ।

ଅଧିକ ପଢ଼ନ୍ତୁ---ସରକାରୀ କାର୍ଯ୍ୟାଳୟକୁ ଛାଡ଼ି ଗରିବଙ୍କ ଉପରେ ଟାଟା ପାୱାରର ଜୁଲମ୍

ଦୀର୍ଘ ୮ବର୍ଷ ଧରି ଅଞ୍ଚଳବାସୀ ସମସ୍ୟା ଭୋଗୁଥିଲେ ମଧ୍ୟ ଏହା ଉପରେ ସ୍ଥାନୀୟ ଜନପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀଙ୍କ ନଜର ପଡ଼ୁନାହିଁ । ରାସ୍ତା ନିର୍ମାଣ ଲାଗି ସରକାରଙ୍କ ପକ୍ଷରୁ ଅର୍ଥ ରାଶି ଅନୁମୋଦନ ହୋଇଥିଲେ ମଧ୍ୟ କାମ ଆରମ୍ଭ ନକରି କାହିଁକି ଚୁପ୍ ବସିଛି ପ୍ରଶାସନ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ବର୍ଷା ଦିନ ପୂର୍ବରୁ କାମ ସାରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଥିବା ବେଳେ ଖୁବଶୀଘ୍ର ରାସ୍ତା ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଚିତ୍ରୋକୋଣ୍ଡା ସରପଞ୍ଚ । କେବେ ଏହି ରାସ୍ତାର ଭାଗ୍ୟ ବଦଳିବ? କେବେ ଏହା ଉପରେ ବିଭାଗୀୟ ଅଧିକାରୀଙ୍କ ନଜର ପଡ଼ିବ? ଦେଖିବାକୁ ବାକି ରହିଲା ।