କନକ ବ୍ୟୁରୋ : ଭାରତବର୍ଷ ଏକ ବଡ଼ ବୃକ୍ଷ ହେଲେ ଆଧ୍ୟାତ୍ମିକତା ହେଉଛି ତା’ର ଚେର । ଆଧ୍ୟାତ୍ମିକ କ୍ଷେତ୍ରରେ ଭାରତର ସମକକ୍ଷ ଅନ୍ୟ କୌଣସି ଦେଶ ହୋଇନାହିଁ । କାରଣ ଏଠାକାର ପରମ୍ପରା,ସଂସ୍କୃତି ଏବଂ ସନାତନ ଧର୍ମର ଉତ୍ପତ୍ତି କାହିଁ କେଉଁ କାଳରୁ ହୋଇଛି ତାହାର ଠିକଣା ଅଗୋଚର । ଏଠାରେ ପ୍ରତିଟି ବାର ପ୍ରତିଟି ଦେବତାଙ୍କୁ ସମର୍ପିତ । ଯେମିତି ରବିବାର ସୂର୍ଯ୍ୟଦେବଙ୍କୁ ସମର୍ପିତ ଥିବା ବେଳେ ସୋମବାର ଦେବାଧିଦେବ ମହାଦେବଙ୍କୁ । ଯେହେତୁ ଆଜି ସୋମବାର । ଚାଲନ୍ତୁ ଜାଣିବା ଯେ ଶିବଙ୍କ ସୋମବାର କାହିଁକି ଏତେ ପ୍ରିୟ ? କାହିଁକି ସୋମବାରରେ ହିଁ ମହାଦେବଙ୍କ ମୁଖ୍ୟ ପୂଜା ହୋଇଥାଏ ? 

Advertisment

ଆଗକୁ ପଢ଼ନ୍ତୁ : କ’ଣ ମା’ କାଳୀଙ୍କ ଅବତାର ଥିଲେ ଶ୍ରୀକୃଷ୍ଣ ? କ’ଣ ଥିଲା ଶ୍ୟାମାକାଳୀଙ୍କ ରୂପ ପଛର କାହାଣୀ ?

ଓଡ଼ିଆରେ ଏକ ଲୋକପ୍ରିୟ ଭଜନ ରହିଛି ‘ରାତି ପାହିଲାଣି ସୋମବାର , ଯିବି ଯିବି ମୁଁ ଶିବମନ୍ଦିର ।’ ଏମିତି ଲାଗେ ଯେମିତି ସୋମବାରର ଉତ୍ପତ୍ତି କେବଳ ଶିବଙ୍କ ଆରାଧନା ପାଇଁ ହିଁ ହୋଇଛି । ‘ସୋମ’ଶବ୍ଦର ଅର୍ଥ ଚନ୍ଦ୍ର । ଚନ୍ଦ୍ରମା ମହାଦେବଙ୍କ ମସ୍ତକରେ ଶୋଭାପାଆନ୍ତି । ଶିବ ପୁରାଣ ଅନୁସାରେ, ଦେବାଧିଦେବ ମହାଦେବ ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ବିଷ କାଳକୁଟକୁ ନିଜ କଣ୍ଠରେ ଧାରଣ କରିଥିଲେ । ଯାହାପରେ ତାଙ୍କୁ ସୃଷ୍ଟି ନୀଳକଣ୍ଠ ରୂପେ ଆବାହନ କଲା । ସେହି ସମୟରେ ଚନ୍ଦ୍ର ଦେବ ପ୍ରଭୁଙ୍କ ମସ୍ତକରେ ସ୍ଥାନ ନେଇଥିଲେ ଏବଂ ଶିବ ସୋମେଶ୍ୱର ନାମ ପାଇଥିଲେ । ଏହି କାରଣରୁ ସୋମବାରକୁ ଶିବଙ୍କ ପୂଜା ପାଇଁ ସର୍ବୋତ୍ତମ ଦିନ ବୋଲି କୁହାଯାଏ । ଭୋଳାନାଥଙ୍କ ବ୍ୟତୀତ ଏହି ଦିନକୁ ଚନ୍ଦ୍ରଦେବଙ୍କ ପୂଜା ପାଇଁ ମଧ୍ୟ ଶୁଭ ବୋଲି କୁହାଯାଏ । କିମ୍ବଦନ୍ତୀ ଅନୁସାରେ ଯେତେବେଳେ ଶ୍ବଶୁର ଦକ୍ଷ ପ୍ରଜାପତି ଚନ୍ଦ୍ର ଦେବଙ୍କୁ ଅଭିଶାପ ଦେଇଥିଲେ ଯେ ସେ ଯକ୍ଷ୍ମା ରୋଗରେ ପୀଡ଼ିତ ହେବେ ଏବଂ ଧୀରେ ଧୀରେ କ୍ଷୀଣ ହୋଇଯିବେ । ସେତେବେଳେ ଚନ୍ଦ୍ରଦେବ ଏବଂ ତାଙ୍କ ଧର୍ମପତ୍ନୀ ମହାଦେବଙ୍କୁ ପୂଜା କରିଥିଲେ । ସୋମବାର ଦିନ ଉପବାସ କରି ସେ ଶିବଙ୍କ ଆଶୀର୍ବାଦ ପାଇଥିଲେ ଏବଂ ଶଶି ଉଜ୍ଜ୍ୱଳ ଆଲୋକ ଫେରି ପାଇଥିଲେ । ସେବେଠାରୁ ସୋମବାରକୁ ଶିବ ଏବଂ ଚନ୍ଦ୍ର ଦେବ ଉଭୟଙ୍କ ପୂଜା ପାଇଁ ବିଶେଷ ଦିନ ବୋଲି କୁହାଯାଏ । ଶିବ ଭକ୍ତମାନେ ସୋମବାର ଦିନ ଉପବାସ ପାଳନ କରନ୍ତି ଏବଂ ଭଗବାନ ଶିବ ଏବଂ ଚନ୍ଦ୍ର ଦେବଙ୍କୁ ପୂଜା କରନ୍ତି । ସୋମବାର ଦିନ ମହେଶ୍ବରଙ୍କ ପୂଜା ଏବଂ ଉପବାସ କରିବା ଦ୍ୱାରା ମନବାଞ୍ଛା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଅବିବାହିତା ଯୁବତୀ ଭଲ ସ୍ୱାମୀ ପାଇବା ପାଇଁ ଏହି ବ୍ରତ ପାଳନ କରନ୍ତି । ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ ଏବଂ ପାରିବାରିକ ସୁଖ ପାଇଁ ବ୍ରତ ପାଳନ କରନ୍ତି । ସୋମବାର ଦିନ ଉପବାସ,ସ୍ୱାସ୍ଥ୍ୟ, ଧନ ଏବଂ ସମୃଦ୍ଧି ପାଇଁ ଅତ୍ୟନ୍ତ ଲାଭଦାୟକ । ଚନ୍ଦ୍ରଙ୍କ ଅଶୁଭ ପ୍ରଭାବରୁ ମୁକ୍ତି ପାଇଁ ମଧ୍ୟ ଏହି ବ୍ରତକୁ ଉତ୍କୃଷ୍ଟ ବୋଲି କୁହାଯାଏ । ସୋମବାର ସକାଳେ ସ୍ନାନ କରି ସଫା ପୋଷାକ ପିନ୍ଧନ୍ତୁ । ଘରେ କିମ୍ବା ମନ୍ଦିରରେ ଗଙ୍ଗା ଜଳରେ ଶିବଲିଙ୍ଗକୁ ସ୍ଥାପନ କରାନ୍ତୁ । କ୍ଷୀର, ଦହି, ଘିଅ, ମହୁ ଏବଂ ଗୁଡ଼ ବ୍ୟବହାର କରି ପଞ୍ଚାମୃତ ଅଭିଷେକ କରନ୍ତୁ । ଶିବଲିଙ୍ଗକୁ ବେଲପତ୍ର, ଧଳା ଫୁଲ, ଦୁଦୁରା ଏବଂ ଅଖଣ୍ଡ ଚାଉଳ ଦାନା ଅର୍ପଣ କରନ୍ତୁ । ଦୀପ ଏବଂ ଧୂପ ଜାଳି ଶିବ ଚାଳିଶା କିମ୍ବା ରୁଦ୍ରାଷ୍ଟକମ୍ ପାଠ କରନ୍ତୁ । ଶିବ ଆରତୀ ଗାନ କରି ପୂଜା ସମାପ୍ତ କରନ୍ତୁ । ଶେଷରେ ଚନ୍ଦ୍ରଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ "ଓଁ ଚନ୍ଦ୍ରାୟ ନମଃ" ମନ୍ତ୍ର ଜପ କରନ୍ତୁ । ସମସ୍ତ ବାଧାରୁ ମୁକ୍ତି ପାଇଁ ସୋମବାରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ । ସମସ୍ତ ଇଚ୍ଛା ପୂରଣ ପାଇଁ ପଞ୍ଚାକ୍ଷରୀ ମନ୍ତ୍ର ଜପ କରନ୍ତୁ । 

ଯଦି ବିବାହରେ ବାଧା ସୃଷ୍ଟି ହେଉଛି ତେବେ ସୋମବାର ସକାଳେ ଶୀଘ୍ର ଉଠି ସ୍ନାନ କରନ୍ତୁ ଏବଂ  ନିୟମିତ ଭାବରେ ଭଗବାନ ଶିବଙ୍କୁ ପୂଜା କରନ୍ତୁ । ଭୋଳାନାଥଙ୍କ ଅଭିଷେକ କରନ୍ତୁ । ଏଭଳି କରିବା ଦ୍ୱାରା ଜୀବନରୁ ସମସ୍ତ ବିବାହ ସମ୍ବନ୍ଧୀୟ ସମସ୍ୟା ଶୀଘ୍ର ଦୂର ହୁଏ ବୋଲି ମାନ୍ୟତା ରହିଛି । ସୋମବାର ପୂଜାରେ ବେଲପତ୍ର,ଚନ୍ଦନ,ଦୁଦୁରାର ବ୍ୟବହାର କରନ୍ତୁ । ଯେକୌଣସି ଇଚ୍ଛା ପୂରଣ କରିବା ପାଇଁ ସୋମବାର ଦିନ ସ୍ନାନ ଇତ୍ୟାଦି ପରେ ୧୦୮ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ । କ୍ୟାରିୟର ଏବଂ ଚାକିରିରେ ଉନ୍ନତି ପାଇଁ, ଶିବଲିଙ୍ଗରେ ଗଙ୍ଗା ଜଳ ଅର୍ପଣ କରନ୍ତୁ ଏବଂ "ଓଁ ନମଃ ଶିବାୟ" ଜପ କରନ୍ତୁ । ଚନ୍ଦ୍ରଦୋଷ ଦୂର କରିବା ପାଇଁ ରାତିରେ ଚନ୍ଦ୍ରଙ୍କୁ କ୍ଷୀର ଅର୍ପଣ କରନ୍ତୁ । ସୋମବାରରେ ଧଳା ବସ୍ତ୍ର ଦାନ କରିବା ଦ୍ବାରା ଶିବ ଏବଂ ଚନ୍ଦ୍ର ପ୍ରସନ୍ନ ହୁଅନ୍ତି । ଶିବଲିଙ୍ଗରେ କ୍ଷୀର କିମ୍ବା ଦହି ଅର୍ପଣ କରିବା ପରେ ଗରିବ ଲୋକଙ୍କୁ ଦାନ କରନ୍ତୁ । ମହାଦେବଙ୍କୁ ଅର୍ପଣ ହୋଇଥିବା ଚାଉଳ ଦାନ କରିବା ଅତ୍ୟନ୍ତ ଶୁଭ । ପ୍ରଭୁଙ୍କୁ ଧଳା ମିଠା ଅର୍ପଣ କରି ଗରିବଙ୍କୁ ଦାନ କରନ୍ତୁ ଜୀବନରେ ମଧୁରତାର ଆଭାସ ମିଳିବ ।