କନକ ବ୍ୟୁରୋ : ଗଣତନ୍ତ୍ର ଦିବସ ପରେଡରେ ଭୈରବ ବଟାଲିୟନ ନିଜର ଅସୀମ ଶକ୍ତି ପ୍ରଦର୍ଶନ କରିଛି ଏବଂ ଏହା ପ୍ରଥମ ଥର ପାଇଁ ବିଶ୍ୱବାସୀଙ୍କ ସମ୍ମୁଖକୁ ଆସିଛି । ଭାରତୀୟ ସେନାର ଏହି ଏଲିଟ୍ କମାଣ୍ଡୋ ଫୋର୍ସ ଗତ ବର୍ଷ ଅକ୍ଟୋବର ମାସରେ ଗଠନ କରାଯାଇଥିଲା । ମେଜର ଅଞ୍ଜୁମ ଗୋରକାଙ୍କ ନେତୃତ୍ୱରେ ଯେତେବେଳେ ଏହି ସ୍ପେଶାଲ ଇନଫ୍ୟାଣ୍ଟ୍ରି ୟୁନିଟ୍ କର୍ତ୍ତବ୍ୟ ପଥକୁ ଓହ୍ଲାଇଥିଲା, ସେତେବେଳର ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା । ଏହି ବାଟାଲିୟନ ସାଧାରଣ ପଦାତିକ ବାହିନୀ ଏବଂ ସ୍ପେଶାଲ ଫୋର୍ସ ମଧ୍ୟରେ ଏକ ସଂଯୋଗକାରୀ ସେତୁ ଭାବେ କାର୍ଯ୍ୟ କରେ ।

Advertisment

କର୍ତ୍ତବ୍ୟ ପଥରେ ପରେଡ୍ କରିବା ସମୟରେ ଏହି ଯବାନମାନଙ୍କ ମୁହଁ ନାଲି ଏବଂ ଗାଢ଼ ସବୁଜ ରଙ୍ଗର ଲମ୍ବା ଗାରରେ ରଙ୍ଗାଯାଇଥିଲା । ଏହାକୁ 'କ୍ୟାମୋଫ୍ଲାଜ ପେଣ୍ଟ' କୁହାଯାଏ, ଯାହା ରାତିର ଅନ୍ଧାର କିମ୍ବା ପାହାଡ଼ ଏବଂ ଜଙ୍ଗଲରେ ଶତ୍ରୁର ନଜରରୁ ବଞ୍ଚିବା ପାଇଁ ବ୍ୟବହାର କରାଯାଇଥାଏ । ବିଶ୍ୱର ବିଭିନ୍ନ ସ୍ପେଶାଲ ଫୋର୍ସ ଏବଂ କମାଣ୍ଡୋମାନେ ନିଜ ମୁହଁକୁ ଏହିପରି ରଙ୍ଗ କରିଥାନ୍ତି ଯାହାଫଳରେ ସେମାନେ ଅପରେସନ ସମୟରେ ଲୁଚି ରହି ଶତ୍ରୁ ଉପରେ ହଠାତ୍ ଆକ୍ରମଣ କରିପାରିବେ ।

ଅଧିକ ପଢ଼ନ୍ତୁ---ଲିକ୍ ଅଡିଓ କ୍ଲିପ୍‌ରୁ ଟ୍ରମ୍ପଙ୍କ ପର୍ଦ୍ଦାଫାସ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ନେଇ ହ୍ୱାଇଟ୍ ହାଉସ୍‌ରେ ଗୃହଯୁଦ୍ଧ

ଗତ ବର୍ଷ ଭାରତୀୟ ସେନା ଦ୍ୱାରା ଗଠିତ ତିନୋଟି ନୂତନ ଟୁକୁଡ଼ି ମଧ୍ୟରୁ ଭୈରବ ବାଟାଲିୟନ ଅନ୍ୟତମ । ଏହାର ପ୍ରତ୍ୟେକ ବାଟାଲିୟନରେ ପ୍ରାୟ ୨୫୦ ଜଣ ସୈନିକ ଥାନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ଏହିପରି ୧୫ଟି ବାଟାଲିୟନ ପ୍ରସ୍ତୁତ ହୋଇସାରିଛି । ଆଗାମୀ ଦିନରେ ଏହି ସଂଖ୍ୟାକୁ ୨୫କୁ ବୃଦ୍ଧି କରିବା ପାଇଁ ଯୋଜନା ରହିଛି । ଶିଖ ଲାଇଟ୍ ଇନଫ୍ୟାଣ୍ଟ୍ରିର ଐତିହ୍ୟ ସହିତ ସାହସ, ଅନୁଶାସନ ଏବଂ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଏହା ଏକ ମିଶ୍ରଣ । ଭଗବାନ ଶିବଙ୍କର ଶକ୍ତିଶାଳୀ ଏବଂ ରକ୍ଷାକାରୀ ରୂପ ଅନୁସାରେ ଏହାର ନାମ 'ଭୈରବ' ରଖାଯାଇଛି ।

ଏହି ବାଟାଲିୟନର ପ୍ରତୀକ ଚିହ୍ନରେ ଏକ କୋବ୍ରା ସାପର ଚିତ୍ର ରହିଛି, ଯେଉଁଥିରେ 'ଭୈରବ, ଅଦୃଶ୍ୟ, ଅଦମ୍ୟ' ବୋଲି ଲେଖାଯାଇଛି । ଟିମ୍ କମାଣ୍ଡରଙ୍କ କହିବା ଅନୁଯାୟୀ, କୋବ୍ରା ଚିହ୍ନ ଶତ୍ରୁ ପାଇଁ ମୃତ୍ୟୁର ସଙ୍କେତ ଅଟେ କାରଣ ଏହାର ଆକ୍ରମଣରୁ ବଞ୍ଚିବା ଅସମ୍ଭବ । ମୋଟାମୋଟି ଭାବେ କହିବାକୁ ଗଲେ, ଭୈରବ ବାଟାଲିୟନ ଶତ୍ରୁମାନଙ୍କ ପାଇଁ ସାକ୍ଷାତ କାଳ ସଦୃଶ ଅଟେ ।