REPO RATE Photograph: (KANAK NEWS)
କନକ ବ୍ୟୁରୋ: କମିବ ଇଏମଆଇ, କମ ସୁଧରେ ଆପଣ ପାଇବେ ଋଣ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହାର ମୁଦ୍ରାନୀତି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି, ରେପୋ ରେଟକୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ରେପୋ ବେଟ୍ ବର୍ତ୍ତମାନ ୫.୫୦% ରୁ ୫.୨୫% କୁ ହ୍ରାସ ପାଇଛି । RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ରେପୋ ରେଟ୍ ହ୍ରାସ ତୁରନ୍ତ କାର୍ଯ୍ୟକାରୀ ହେବ । ତେବେ RBIର ଏହି ପଦକ୍ଷେପ ଆପଣଙ୍କର ଗୃହ ଋଣ EMI ହ୍ରାସ କରିବ ଏବଂ ଏହାଦ୍ୱାରା ବ୍ୟାଙ୍କଗୁଡ଼ିକ କମ ହାରରେ ଋଣ ମଧ୍ୟ ପ୍ରଦାନ କରିପାରିବେ।
ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, "ଗତ ମାସଟି ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ଥିଲା, କିନ୍ତୁ ଆଗାମୀ ମାସଗୁଡ଼ିକ ଜିଡିପି ଏବଂ ମୁଦ୍ରାସ୍ଫୀତି ଉଭୟ ଦୃଷ୍ଟିରୁ ଭଲ ହେବ। ସମ୍ପୂର୍ଣ୍ଣ ବର୍ଷ ପାଇଁ ଆମର ମୁଦ୍ରାସ୍ଫୀତି ୨ ପ୍ରତିଶତ ରହିବା ନେଇ ପୂର୍ବାନୁମାନ ରହିଛି । ତେବେ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଜିଡିପି ଅଭିବୃଦ୍ଧି ୮ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।"
ଜାଣିରଖିବା ଉଚିତ ଯେ, MPC ସଦସ୍ୟମାନେ ସର୍ବସମ୍ମତିକ୍ରମେ ରେପୋ ହାରକୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛନ୍ତି । CRRକୁ ୩% ରେ ରଖାଯାଇଥିଲା, ଯେତେବେଳେ SDF ହାର ୫.୨୫%, MSF ହାର ୫.୭୫% ଏବଂ ବ୍ୟାଙ୍କ ହାର ୫.୭୫% ରେ ରଖାଯାଇଥିଲା।
ଆହୁରି ପଢ଼ନ୍ତୁ : ରାସ୍ତାରେ ବୁଲିଲା ଖଣ୍ଡା; ପାରାଦୀପ ଅଠରବାଙ୍କ ମେଡିକାଲ ରାସ୍ତାରେ ନିଶାସକ୍ତ ଯୁବକର ଉନ୍ମତ୍ତକାଣ୍ଡ
ସୂଚନାଯୋଗ୍ୟ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୫ ମସିହାରେ ଲଗାତାର ଚାରିଥର ରେପୋ ରେଟ୍ ହ୍ରାସ କରିଛି । ଫେବୃଆରୀରେ, RBI ରେପୋ ରେଟକୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଥିଲା । ସେହିପରି ଏପ୍ରିଲରେ ରେପୋ ରେଟକୁ ଆଉ ୨୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିଲା ଏବଂ ଜୁନରେ ବର୍ଷର ସବୁଠାରୁ ବଡ଼ ହ୍ରାସ ୫୦ ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିଲା। ଏବେ ଆଉ ୨୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଛି। ମୋଟ ଉପରେ, ଏହି ବର୍ଷ ରେପୋ ହାର ୧୨୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଛି । ଚଳିତ ବର୍ଷ ରେପୋ ରେଟ୍ ହ୍ରାସ ପୂର୍ବରୁ, ରେପୋ ହାର ଦୁଇଥର ସ୍ଥିର ରହିଥିଲା । କିନ୍ତୁ ଏହା ଏବେ ୬.୫୦ ପ୍ରତିଶତରୁ ହ୍ରାସ ପାଇ ୫.୨୫ ପ୍ରତିଶତ ହୋଇଛି।
Follow Us