କନକ ବ୍ୟୁରୋ : ଭାଗ୍ୟ ଯେବେ ହାତ ଛାଡ଼ିଦିଏ, ମଣିଷ ଦାଣ୍ଡକୁ ଚାଲିଆସେ । ନା କେହି ଆହା ପଦେ କହିବାକୁ ଥାଏ, ନା କେହି ଭଲ ମନ୍ଦ ପଚାରେ । ସେମିତି ଏକ ଅଲୋଡ଼ା ଜୀବନ ଜିଉଁଛନ୍ତି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ନଛିବିନ୍ଧା ଗାଁର ରବୀନ୍ଦ୍ର ଦାସ । ରାସ୍ତା କଡ଼ରେ ଏହି ଭଙ୍ଗା ଦଦରା ଜରିପାଲ ତଳେ ଜୀବନ କାଟୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ରବୀନ୍ଦ୍ର । ବୟସ ୬୨, ନିଜର ବୋଲି କେହି ନାହାଁନ୍ତି । ଗାଁ ଲୋକଙ୍କ ଦୟାରେ କଟୁଛି ଜୀବନ । ଓଳିଏ ଖାଇଲେ ଓଳିଏ ଉପାସ । ଜୀବନ ସାରା ଦୁଃଖ କଷ୍ଟ ଆଉ ଯନ୍ତ୍ରଣା ନେଇ ବଞ୍ଚିଛନ୍ତି । ଏନେଇ ସରକାରଙ୍କୁ ବର୍ଷ ବର୍ଷ ଧରି ଗୁହାରି କରିଥିଲେ ମଧ୍ୟ କେହି ତାଙ୍କ ଗୁହାରି ଶୁଣୁନାହାଁନ୍ତି । ଏବେ ବେସାହାରା ହୋଇ ଗାଁରେ ଠାକୁର ପୂଜା କରୁଛନ୍ତି । ସେଥିରୁ ଯାହା ଭୋଗ ମିଳୁଛି ସେତକ ଖାଇ ବଞ୍ଚୁଛନ୍ତି । 

Advertisment

ସରକାରୀ ସହାୟତା କହିଲେ ରାସନ ଚାଉଳ ୫କେଜି । ବୟସ ଷାଠିଏ ଟପିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭତ୍ତା ତାଙ୍କୁ ମିଳିନାହିଁ । ତାଙ୍କୁ ଗୋଟେ ଜାଗା ଆଉ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ପିଲାଦିନୁ ରବୀନ୍ଦ୍ର ମା ଛେଉଣ୍ଡ, ୪୦ ବର୍ଷ ହୋଇଗଲା ବାପା ଅର୍ଜୁନ ସାହୁ ମଧ୍ୟ ତାଙ୍କ ହାତ ଛାଡ଼ି ଦେଇ ଆରପାରିକୁ ଚାଲିଗଲେଣି । ଏବେ ଏକାକୀ ଜୀବନ କାଟୁଛନ୍ତି , ନା ଭାଇ ଅଛନ୍ତି ନା ଭଉଣୀ ନା ଆତ୍ମୀୟ ସ୍ୱଜନ । ନିଜର ଜମି ବାଡ଼ି ଘର ଦ୍ୱାର କିଛି ନାହିଁ । ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିବାରୁ ଗାଁର ସ୍କୁଲ ବାରଣ୍ଡାରେ କଟିଛି ତାଙ୍କର ଶୈଶବ । ବାପାଙ୍କ ମୃତ୍ୟୁ ପରେ ଓଡ଼ଶପୁର ସ୍ଥିତ ରାଧାକୃଷ୍ଣ ଆଶ୍ରମରେ ଆଶ୍ରିତ ହୋଇ ରହିଲେ । ଠାକୁର ସେବା କରି  ଜୀବନ ଅତିବାହିତ କଲେ । ମାତ୍ର ତାହା ବା ବେଶି ଦିନ ରହିଲାନି । କୌଣସି କାରଣରୁ ଆଶ୍ରମ ବନ୍ଦ ହୋଇଯିବାରୁ ନିଜ ଗାଁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନଛିବିନ୍ଧାକୁ ଫେରି ଆସି ଗାଁ ଲୋକଙ୍କ ସହାୟତାରେ ରାସ୍ତା କଡ଼ରେ ଜରିପାଲ ଟାଙ୍ଗି ରହିଛନ୍ତି । 

ଅଧିକ ପଢ଼ନ୍ତୁ--ଜଙ୍ଗଲର ସାଥୀ ଡଙ୍ଗରିଆଙ୍କୁ ମିଳୁନି ମୌଳିକ ସୁବିଧା

ସେବେ ଠାରୁ କି ବର୍ଷା କି ଖରା, ଦୀର୍ଘ ୩୦ ବର୍ଷ ହେଲା ରହିବା ଖାଇବା ସହ ସମସ୍ତ କାର୍ଯ୍ୟ ସେହିଠାରେ ହିଁ କରୁଛନ୍ତି । ଗାଁ ଲୋକ ଯାହା ଦିଅନ୍ତି ସେଥିରେ ଚଳନ୍ତି । ଭୂମିହୀନ ରବୀନ୍ଦ୍ର ଜାଗା ଖଣ୍ଡେ ପାଇଁ ସରକାରଙ୍କୁ ବହୁବାର ଗୁହାରି କରି କରି ଥକିଗଲେଣି ହେଲେ ତାଙ୍କ କଥା ଶୁଣୁଛି କିଏ । ରାସନ ଚାଉଳ ୫ କେଜିକୁ ଛାଡ଼ିଦେଲେ ଆଉ କିଛି ନାହିଁ ତାଙ୍କ ସମ୍ବଳ । ଜରି ପାଲ ବାହାରେ ଏକ ଚୁଲି କରି ରୋଷେଇ କରୁଥିଲେ । ହେଲେ ବୁଲା ଗାଈ ଗୋରୁ କୁକୁର ତାକୁ ମଧ୍ୟ ଭାଙ୍ଗି ଦେଲେ । ଏବେ ପର ଲୋକଙ୍କ ହାତ ଟେକାରେ ବଞ୍ଚିଛନ୍ତି ରବୀନ୍ଦ୍ର । ପରିଣତ ବୟସରେ ତାଙ୍କୁ ଆହା ପଦେ କହିବାକୁ କେହି ନାହିଁ ।