କନକ ବ୍ୟୁରୋ : ପକ୍କାଘର ଖଣ୍ଡିଏ ପାଇଁ ୧୫ ବର୍ଷର ଅପେକ୍ଷା , ଜରିପାଲ ତଳେ ବିତୁଛି ଜୀବନ । ପରିବାର ଚଳାଇବା ପାଇଁ ପ୍ରତିଦିନ ସଂଘର୍ଷ କରୁଛି ଗୋଟିଏ ଅଭାବି ପରିବାର । ୬୬ ବର୍ଷୀୟ ବୃଦ୍ଧ ଓ ତାଙ୍କ ପରିବାରର କାହାଣୀ ଶୁଣିଲେ ଆପଣଙ୍କ ଆଖି ବି ଛଳଛଳ ହୋଇଯିବ । ଯାହାଙ୍କ ଉପରେ ଆଜି ପର୍ଯ୍ୟନ୍ତ ପଡ଼ିନି ପ୍ରଶାସନର ନଜର , ମିଳିନି ଖଣ୍ଡିଏ ଆବାସ । ଭଙ୍ଗା କାନ୍ଥ ଛିଣ୍ଡା ଜରିପାଲ ପକା ଚାଳଛପର ଘର ପାଲଟିଛି ଏହି ପରିବାରର ସାହାରା । 

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅମେଇପାଳ ଗ୍ରାମରେ ନିଜ ପରିବାର ସହିତ ରୁହନ୍ତି ୬୬ ବର୍ଷୀୟ ବୃଦ୍ଧ ବିମ୍ବାଧର ମହାନ୍ତି । ପରିବାର କହିଲେ ବିମ୍ବାଧର ତାଙ୍କର ୬୦ ବର୍ଷିୟା ମାନସିକ ଭାରସାମ୍ୟ ହରାଇଥିବା ରୋଗୀଣା ପତ୍ନୀ ନିରୁପମା, ଚାରି ଝିଅ ଓ ଗୋଟେ ପୁଅକୁ ମିଶାଇ ସମୁଦାୟ ସାତ ଜଣ । ବୃଦ୍ଧ ବିମ୍ବାଧର ବହୁତ କଷ୍ଟରେ ଝିଅଙ୍କ ବିବାହ ସାରିଦେଇଛନ୍ତି । ବିମ୍ବାଧରଙ୍କର ବିଶେଷ ଜମିବାଡି ନଥିବାବେଳେ ମୂଲ ମଜୁରୀ ଲାଗି ପରିବାର ପୋଷିଥାନ୍ତି । ହେଲେ ଏବେ ବୟସର ଅପରାହ୍ନରେ ସେ ଆଗଭଳି ଆଉ ମୂଲମଜୁରି ଲାଗି ପାରୁନାହାନ୍ତି । ଅର୍ଥାଭାବରୁ ମୁଣ୍ଡ ଗୁଁଜିଥିବା ଛାଳ ଛପର ଘରଟି ଭାଙ୍ଗିରୁଜି ଗଲାଣି । ଘରର କାନ୍ଥ ଭାଙ୍ଗିପଡ଼ି ପେଟଇ ପଡିଥିବା ବେଳେ ତିନି ବର୍ଷ ହେବ ଘରର ଛପର ହୋଇନି । ଛପର ଉପରେ ଛିଣ୍ଡା ଜରିପାଲ ଖଣ୍ଡିଏ ପଡିଛି । ଶୀତକାକରରେ ପରିବାର ସହିତ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି ବୃଦ୍ଧ ବିମ୍ବାଧର । 

ଅଧିକ ପଢ଼ନ୍ତୁ--ମଧ୍ୟରାତ୍ରିରେ ଜଳି ପାଉଁଶ ହୋଇଗଲା ଘର, ପୋଡ଼ିଗଲା ଟଙ୍କା ପଇସା

ଅସହାୟ ବୃଦ୍ଧ ବିମ୍ବାଧର ପକ୍କା ଘର ଖଣ୍ଡିଏ ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଦୌଡି ଦୌଡି ନିରାଶ ହୋଇ ଭାଗ୍ୟକୁ ଆଦରି ବସି ରହିଛନ୍ତି । ଏପଟେ ବିମ୍ବାଧର ଓ ତାଙ୍କର ପତ୍ନୀଙ୍କର ଭତ୍ତା ହୋଇନଥିବା ବେଳେ ସରକାରୀ ସହାୟତା କହିଲେ ଅନ୍ତୋଦୟ ଯୋଜନାରେ ୨୫ କେଜି ଚାଉଳ । ସେପଟେ ଅର୍ଥାଭାବରୁ ମାନସିକ ଭାରସାମ୍ୟ ହରାଇଥିବା ପତ୍ନୀଙ୍କର ଚିକିତ୍ସା କରିପାରୁନାହାନ୍ତି ବୋଲି କହିଛନ୍ତି ବିମ୍ବାଧର । ଘରର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଗୋଟେ ବୋଲି ପୁଅ ଏବେ ସୁଦୁର ତାମିଲନାଡୁରେ ରହି ଏକ କମ୍ପାନିରେ କାମ କରୁଛନ୍ତି ।

ଛିଣ୍ଡା ଜରିପାଲ ପକା ଭଙ୍ଗା ଚାଳଛପର ଘରେ ରହି ନିଜ ପରିବାର ସହିତ ଜିବନ ବିତାଉଥିବା ଅସହାୟ ପରିବାରକୁ ପକ୍କା ଘର ଖଣ୍ଡିଏ ପ୍ରଦାନ କରିବାପାଇଁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ଗ୍ରାମବାସି ଓ ନିଜେ ବୃଦ୍ଧ ବିମ୍ବାଧର । ତେବେ ଦେଖିବା ବାକି ରହିଲା କେବେ ସରକାରଙ୍କ ନଜର ଏହି ଅସହାୟ ପରିବାର ଉପରେ ପଡୁଛି ।