କନକ ବ୍ୟୁରୋ: ଆଇପିଏଲ ୨୦୨୬ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ସମସ୍ତ ଖେଳାଳି ନିଜ ନିଜ ରିଟେନସନ୍ ଲିଷ୍ଟ ବି ଜାରି କରି ସାରିଛନ୍ତି । ଆଉ କିଛି ଖେଳାଳିଙ୍କୁ ଅଦଳବଦଳ ମଧ୍ୟ କରାଯାଇଛି । ମିନି ଅକ୍ସନ ପୂର୍ବରୁ ଖେଳାଳି ଅଦଳବଦଳ ସବୁଠାରୁ ଚର୍ଚ୍ଚାରେ ରହିଥିଲା । ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଚେନ୍ନାଇକୁ ଯିବା ଆଉ ଜାଡେଜା ରାଜସ୍ଥାନକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆଉ ଏହାରି ଭିତରେ ଆଉ ଏକ ଖବର ବି ଏବେ ଚର୍ଚ୍ଚାରେ ରହିଛି । ତାହା ହେଉଛି ଆରସିବି ୟଶ ଦୟାଲଙ୍କୁ ରିଟେନ୍ ରଖିବା । ତେବେ କାହିଁକି ଏହି ଖବର ଚର୍ଚ୍ଚା ସୃଷ୍ଟି କରିଛି ଆସନ୍ତୁ ଜାଣିବା । 

Advertisment

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର IPL ୨୦୨୬ ପାଇଁ ଏହାର ରିଟେନସନ ତାଲିକାରେ ୟଶ ଦୟାଲଙ୍କୁ ମଧ୍ୟ ସାମିଲ କରିଛି । RCBର ଏହି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରାଯାଉଛି, କାରଣ ୟଶଙ୍କ ବିରୋଧରେ ବର୍ତ୍ତମାନ ୨ ଟି ଗମ୍ଭୀର ଅପରାଧିକ ମାମଲା ରୁଜୁ ହୋଇଛି, ଯେଉଁଥିରେ ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ମଧ୍ୟ ରହିଛି। ଗତ ବର୍ଷ RCB ୟଶ ଦୟାଲଙ୍କୁ ୫ କୋଟି ଟଙ୍କାରେ ରିଟେନ କରିଥିଲା।

ଆହୁରି ପଢ଼ନ୍ତୁ... Team India: ଭାରତର ଲଜ୍ଜାଜନକ ପରାଜୟ; ଦକ୍ଷିଣ ଆଫ୍ରିକା ଜିତିଲା ଇଡେନ୍ ଟେଷ୍ଟ

ୟଶ ଦୟାଲଙ୍କ ବିରୋଧରେ ଗାଜିଆବାଦ ଏବଂ ଜୟପୁରରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି ଏବଂ ଉଭୟ ଯୌନ ଶୋଷଣ ସହିତ ଜଡିତ । RCB ଦ୍ୱାରା ତାଙ୍କୁ ରିଟେନ କରାଯିବା ଫ୍ରାଞ୍ଚାଇଜର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ରିଟେନସନକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ପ୍ରବଳ ସମାଲୋଚନା କରିଛନ୍ତି । କିଛି ଲୋକ ତ ଏହା ମଧ୍ୟ କହିଛନ୍ତି ଯେ ଗମ୍ଭୀର ମାମଲା ରୁଜୁ ହୋଇଥିଲେ ମଧ୍ୟ ୟଶଙ୍କୁ ରିଟେନ କରି RCB ଫ୍ରାଞ୍ଚାଇଜ ସମାଜରେ ଭୁଲ ବାର୍ତ୍ତା ଦେଉଛି ।

RCB ଫ୍ରାଞ୍ଚାଇଜ ୟଶ ଦୟାଲଙ୍କୁ ରିଟେନ କରିବା ଉପରେ କୌଣସି ପୃଥକ ବିବୃତ୍ତି ଜାରି କରିନାହିଁ । ଦଳ ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ ଯେ ୟଶ ଦୟାଲଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ନେଇ ସେ BCCI ସହିତ ଯୋଗାଯୋଗ କରିଛନ୍ତି କି ନାହିଁ । ଆପଣଙ୍କୁ କହିରଖୁଛୁ ଯେ ୟଶ ଦୟାଲ IPL ୨୦୨୫ ଫାଇନାଲ ପରେ କୌଣସି ପ୍ରତିଯୋଗିତାମୂଳକ କ୍ରିକେଟ ଖେଳି ନାହାନ୍ତି ।

ଏହି ବର୍ଷ ଅଗଷ୍ଟରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ଗମ୍ଭୀରତାକୁ ଦୃଷ୍ଟିରେ ରଖି UP T20 ଲିଗର ଆୟୋଜକମାନେ ୟଶ ଦୟାଲଙ୍କୁ ଲିଗରେ ଭାଗ ନେବାରୁ ରୋକି ଦେଇଥିଲେ । ସେ ଗୋରଖପୁର ଲାୟନ୍ସ ପାଇଁ ଖେଳିବାକୁ ଥିଲେ । ଡୋମେଷ୍ଟିକ ସିଜିନରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ପାଇଁ ଗୋଟିଏ ବି ମ୍ୟାଚ ଖେଳିବାର ଦେଖାଯାଇ ନାହିଁ । ଏହି ସବୁ ଖବର ତାଙ୍କ କ୍ରିକେଟ ଭବିଷ୍ୟତକୁ କାଠଗଡ଼ାକୁ ଠେଲି ଦେଇଛି ।

ୟଶ ଦୟାଲ ସେହି ଖେଳାଳି ଯାହାଙ୍କୁ ରିଙ୍କୁ ସିଂ ଗୋଟିଏ ଓଭରରେ ୫ଟି ଛକା ମାରି ତାଙ୍କ କ୍ୟାରିୟର ଖରାପ କରିଦେଇଥିଲେ । ହେଲେ ପରବର୍ତ୍ତୀ ସିଜିନରେ ୟଶ ଦୟାଲ ଆରସିବି ପାଇଁ ଲକି ସାବ୍ୟସ୍ତ ହୋଇଥିଲେ । ଭଲ ପ୍ରଦର୍ଶନ କରି ଦଳ ବିଜୟର ସାରଥୀ ସାଜିଥିଲେ । ଯେଉଁଥିପାଇଁ ଦଳ ତାଙ୍କୁ ରିଟେନ୍ ରଖିଛି ।