କନକ ବ୍ୟୁରୋ: ଆରସିବିର ଷ୍ଟାର୍‌ ବୋଲର୍‌ ୟଶ ଦୟାଲଙ୍କ ବଢ଼ିଲା ଅଡୁଆ । ଉତ୍ତରପ୍ରଦେଶର ଗାଜିଆବାଦରେ ରହୁଥିବା ଜଣେ ମହିଳାଙ୍କ ଅଭିଯୋଗ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଦ୍ରୁତ ବୋଲର ୟଶ ଦୟାଲଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା ରୁଜୁ ହୋଇଛି । ଇନ୍ଦିରାପୁରମ ଥାନାରେ ଧାରା ୬୯ ଅନୁଯାୟୀ ଏତଲା ଦାଖଲ ହୋଇଛି, ଯେଉଁଥିରେ ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଅଭିଯୋଗ ହୋଇଛି । ଅଭିଯୋଗକାରିଣୀ ଦାବି କରିଛନ୍ତି, ୟଶଙ୍କ ସହ ଗତ ପାଞ୍ଚ ବର୍ଷ ଧରି ମହିଳାଙ୍କ ସମ୍ପର୍କରେ ଥିଲେ, ଯେଉଁଥିରେ ୟଶ ତାଙ୍କୁ ମାନସିକ, ଶାରୀରିକ ଓ ଆର୍ଥିକ ଭାବେ ଶୋଷଣ କରିଥିଲେ । 

Advertisment

ଅଭିଯୋଗ ଅନୁସାରେ, ୟଶ ତାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ବିବାହ କଥା ପଡ଼ିବାରୁ ୟଶ ବିରୋଧ କରିଥିଲେ, ମହିଳାଙ୍କୁ ଶାରୀରିକ ଓ ମାନସିକ ହିଂସାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଗାଜିଆବାଦ ପୁଲିସ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରି ୟଶଙ୍କୁ ନୋଟିସ୍‌ ଜାରି କରିଛି । ଅଭିଯୋଗକାରିଣୀ ସୋସିଆଲ ମିଡିଆରେ ଏଫଆଇ୍‌ଆର୍‌ର କପି ସହ ୟଶଙ୍କ ସହ ଫଟୋ ପୋଷ୍ଟ କରି ନ୍ୟାୟ ଦାବି କରିଛନ୍ତି । ପୁଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି ।