କନକ ବ୍ୟୁରୋ : ନାହିଁ ନାହିଁରେ ଚାଲିଛି ବିଦ୍ୟାଳୟ । ଗୋଟିଏ କୋଠରିରେ ବସୁଛନ୍ତି ୫ଟି ଶ୍ରେଣୀର ପାଠପଢ଼ା । କାରଣ ଶ୍ରେଣୀଗୃହ ପୁନଃ ନିର୍ମାଣ କାର୍ଯ୍ୟ  ଅଧପନ୍ତରିଆ ହୋଇପଡ଼ିରହିଛି । ଠିକାଦାରଙ୍କ ମନମାନି ପାଇଁ ସମସ୍ୟା ଭୋଗୁଛନ୍ତି ଛାତ୍ର ଛାତ୍ରୀ।

Advertisment

ଅଧିକ ପଢ଼ନ୍ତୁ : ଗଜପତି ପାରଳାଖେମୁଣ୍ଡିରେ ସ୍ୱଚ୍ଛ ଭାରତ ଅଭିଯାନ ବାଟବଣା, ସହରର ୧୦ ରୁ ଅଧିକ ଶୌଚାଳୟ ଅଚଳ

ଛାତରୁ ପ୍ଲାଷ୍ଟର ଛାଡ଼ିଗଲାଣି। ରଡ୍‌ ଦେଖାଯାଉଛି । ଏମିତି ଭଙ୍ଗା ଦଦରା କୋଠରୀରେ ଗୋଟିଏ ନୁହେଁ, ୫ଟି ଶ୍ରେଣୀର ପିଲା ପାଠ ପଢ଼ୁଛନ୍ତି । ଖାଲି ପାଠ କାହିଁକି, ଗୋଦାମ ଘର, ରୋଷେଇ ସାମଗ୍ରୀ, ଆସବାପତ୍ର ସବୁ କିଛି ଏଇଠି । ଏହା ବି ନିଜସ୍ବ ଗୃହ ନୁହେଁ, ଅସ୍ଥାୟୀ ଭାବେ ଏଠାରେ ବିଦ୍ୟାଳୟ ଚାଲିଛି। ବିଦ୍ୟାଳୟର ପୁନଃନିର୍ମାଣ ପାଇଁ କୋଠାକୁ ଭାଙ୍ଗି ଦିଆଯାଇଥିଲା। ୨ ବର୍ଷ ପରେ ବି ଖାଲି ପିଲର୍‌ ଉଠାଇ ଛାଡ଼ିଦେଇଛି ଠିକାଦାର ! ଫଳରେ କୌଣସି ବ୍ୟବସ୍ଥା ନଥାଇ ଅନ୍ୟ ଗାଁର ଏକ କୋଠ ଘରେ ଚାଲିଛି ପାଠପଢ଼ା । ଏଠି ନା ପାନୀୟଜଳ ବ୍ୟବସ୍ଥା ଅଛି, ନା ଶୌଚାଳୟ। ରୋଷେଇ ଘର, ଖେଳପଡ଼ିଆ ନାହିଁ। ଆଲୋକୀକରଣ ବ୍ୟବସ୍ଥା ବି ନାହିଁ। 

୩ଟି ବିଦ୍ୟାଳୟକୁ ମିଶାଇ ଗଠନ ହୋଇଥିଲା ଗଜପତି ଜିଲ୍ଲା ଗୋସାଣି ବ୍ଲକ ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟ। କିନ୍ତୁ ପିଲାଙ୍କ ଭବିଷ୍ୟତ ଏଠାରେ ଉପହାସ ପାଲଟିଯାଇଛି। ବାରମ୍ବାର ଏନେଇ ବ୍ଲକ ଉନ୍ନୟନ ଅଧିକାରୀ ଓ ଶିକ୍ଷା ବିଭାଗକୁ ଅବଗତ ପରେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ ଆସିଛି। ଅନ୍ୟପଟେ ବ୍ଳକ ଶିକ୍ଷା ଅଧିକାରୀ ବିଦ୍ୟାଳୟ ଗସ୍ତ କରି ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଅଧିକ ପଢ଼ନ୍ତୁ : ଗରିବ ଆଦିବାସୀଙ୍କ ସାଥୀ ଗଜପତିର ଡାକ୍ତର ଅନଙ୍ଗ ସୂଜନ ଭୁୟାଁ; ୧୨ ବର୍ଷ ହେଲାଣି ନିରନ୍ତର ଯୋଗାଉଛନ୍ତି ସେବା

 ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବାରେ ବିଫଳ ଶିକ୍ଷା ବିଭାଗ! ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ସପ୍ନ ଦେଖୁଛି। ଏବେ ବିଇଓଙ୍କ ପ୍ରତିଶ୍ରୁତି ସତରେ ପୂରଣ ହେବ ନା ସିଏ ବି ପାଣିର ଗାର ଭଳି ମିଳେଇଯିବ ତାକୁ ଅପେକ୍ଷା।