କନକ ବ୍ୟୁରୋ : ଡାକ୍ତର ହିଁ ଦ୍ୱିତୀୟ ଭଗବାନ । ତାଙ୍କ ପାଇଁ ରୋଗୀଟିଏ ନୂଆ ଜୀବନ ପାଏ, ନୂଆ ଜୀବନ ଦୁନିଆ ଦେଖେ । ଏମିତି ଜଣେ ଡାକ୍ତର ହେଉଛନ୍ତି ଗଜପତି ଜିଲ୍ଲା ରାୟଗଡ଼ ବ୍ଳକର ଅନଙ୍ଗ ସୁଜନ ଭୁୟାଁ । ପିଲାଦିନେ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ସ୍ଥିତିକୁ ଅନୁଭବ କରି ନିଜେ ଡାକ୍ତର ହୋଇ ଅଞ୍ଚଳରେ ସେବା ଯୋଗାଇ ଦେବାର ମନସ୍ଥ କରିଥିଲେ । ୧୨ ବର୍ଷ ହେଲାଣି ଗରିବ ଆଦିବାସୀଙ୍କୁ ନିରନ୍ତର ସେବା ଯୋଗାଇ ସମସ୍ତଙ୍କ ପ୍ରୀୟଭାଜନ ହୋଇପାରିଛନ୍ତି ।

Advertisment

ଡାକ୍ତର ଅନଙ୍ଗ ସୂଜନ ଭୁୟାଁ । ଡାକ୍ତର ସହ ସମାଜସେବୀ, ଗରିବ ଆଦିବାସୀଙ୍କ ସାଥୀ । ଏମିତି କେତେ କ’ଣ ୟାଙ୍କ ପରିଚୟ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସମସ୍ତଙ୍କ ପ୍ରିୟ ଅନଙ୍ଗ । ଦୀର୍ଘ ୧୨ ବର୍ଷ ହେଲାଣି ନିରନ୍ତର ଏହି ଗରିବ ଆଦିବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି । ଖାଲି ଏତିକିରେ ନିଜ ଦାୟିତ୍ୱ ସାରିନାହାନ୍ତି,ପରିବେଶ ଓ ଅନ୍ଧବିଶ୍ୱାସ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ସହ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଅଧିକ ପଢ଼ନ୍ତୁ : ଆକାଶରୁ ବର୍ଷୁଛି ଘନଘନ ବରଫ ; ଶରୀରକୁ ପଥର କରି ସୀମାକୁ ସୁରକ୍ଷା ଦେଉଛନ୍ତି ଯବାନ

ଗଜପତି ଜିଲ୍ଲା ରାୟଗଡ଼ ବ୍ଳକ ମୁନିସିଂ ଭଳି ଦୁର୍ଗମ ଅଞ୍ଚଳର ଏକ ଛୋଟିଆ ଗାଁରେ ଜନ୍ମଗ୍ରହଣ କରିଥିଲେ ଡାକ୍ତର ଭୂୟାଁ । ନିଜ ଗାଁର ସ୍ୱାସ୍ଥ୍ୟ ଅବସ୍ଥା ଦେଖି ହିଁ ପିଲାଟି ଦିନରୁ ନିଷ୍ପତ୍ତି ନେଇଥିଲେ ସେ ଜଣେ ଡାକ୍ତର ହେବେ । ନିଜ ପ୍ରଚେଷ୍ଟା ଓ ଦୃଢ଼ ମନୋବଳ ପାଇଁ ତାଙ୍କ ସ୍ୱପ୍ନ ସାକାର ହେଲା । ୨୦୧୨ରେ ଡାକ୍ତରୀ ପଢ଼ା ସାରିବା ପରେ ୨୦୧୪ରେ ପ୍ରଥମେ ଆର୍‌.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଥିଲେ । ସେଠାରୁ ଡେରେବା, ଛେଳିଗଡ଼, ରାମଗିରି ଆଦି ଅନେକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଛନ୍ତି ।

ଗାଁ ଗାଁରେ ସଚେତନ ସଭା, ବୃକ୍ଷରୋପଣ ଏବଂ ମ୍ୟାଲେରିଆ ଭଳି ରୋଗର ନିରାକରଣ ପାଇଁ ପଦକ୍ଷେପ ନେଇ ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇଛନ୍ତି ଡାକ୍ତର ଭୂୟାଁ । ତାଙ୍କ ଠାରୁ ପ୍ରେରଣା ପାଇ ତାଙ୍କ ନିଜ ଗାଁ ମୁନିସିଂରୁ ଆଉ ୪ ଜଣ ଛାତ୍ର ଡାକ୍ତରୀ ପାଠ ପଢ଼ୁଛନ୍ତି । ଯେକୌଣସି ବିଭାଗରେ କାର୍ଯ୍ୟ କରୁଥିଲେ ସୁଦ୍ଧା ସେବା କରିବା ମନୋବୃତ୍ତି ରହିଲେ ଲୋକେ ଉପକୃତ ହେବେ ବୋଲି କୁହନ୍ତି ଡାକ୍ତର ଭୂୟାଁ ।