କନକ ବ୍ୟୁରୋ: ପଶ୍ଚିମବଙ୍ଗକୁ ନେଇ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି । ଅର୍ଥାତ୍‌ ଦିଦିଙ୍କ ଗଡ଼ରେ ଧସେଇ ପଶିବାକୁ ରାହୁଲ ଓ ଖଡଗେ ପ୍ଲାନ୍‌ କରୁଛନ୍ତି । ଦିଦି ଚାହୁଁଛନ୍ତି ଏଥର ବିଧାନସଭା ନିର୍ବାଚନରେ ଟିଏମସି ଓ ବିଜେପି ମଧ୍ୟରେ ଫାଇଟ୍‌ ହେଉ । ହେଲେ ବଙ୍ଗରେ କେମିତି କଂଗ୍ରେସ ସ୍ଥିତି ମଜଭୁତ୍‌ ହେବ ସେନେଇ ରାହୁଲ ଗାନ୍ଧି ବି ଯୋଜନା କରୁଛନ୍ତି । ଯାହା ଦିଦିଙ୍କୁ ଟେନସନ୍‌ରେ ପକାଇଲାଣି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ରାହୁଲ ବଙ୍ଗକୁ ନେଇ ଖଡଗେଙ୍କ ସହ ଆଲୋଚନା କରିଛନ୍ତି । କହିଛନ୍ତି, ବଙ୍ଗରେ ଦିଦିଙ୍କ ସହ ମେଣ୍ଟ ହେବାର କୌଣସି ଆଶା ନାହିଁ । ତେଣୁ ଏମିତି ସ୍ଥିତିରେ ବଙ୍ଗରେ କଂଗ୍ରେସକୁ ମଜଭୁତ୍‌ କରିବାକୁ ପଡ଼ିବ । ତେଣୁ ଏବେଠୁ ରଣନୀତି ପ୍ରସ୍ତୁତ କରିବାକୁ ହେବ ବୋଲି ରୁଦ୍ଧଦ୍ବାର ବୈଠକରେ ନିଷ୍ପତ୍ତି ହୋଇଛି ।

Advertisment

୨୦୨୬ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ
ଏବେଠୁ ଆରମ୍ଭ ହେଲାଣି ରାଜନୀତି

ଆଗାମୀ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ । ହାତରେ ଅନେକଦିନ ରହିଛି । ହେଲେ ଏବେଠୁ ସରଗରମ ହୋଇଛି ରାଜନୀତି । ପୂର୍ବଥର ବି ଦିଦିଙ୍କୁ ଚେକ୍‌ ଦେଇଥିଲା ବିଜେପି । ହେଲେ ଦିଦି ବାଜି ମାରିନେଇଥିଲେ । ହେଲେ ଏସନ କଂଗ୍ରେସ ବି ଦିଦିଙ୍କ ବିରୋଧରେ ପ୍ରଚାର କରିପାରେ । ଯଦି ଏମିତି ହେବ ତେବେ ଦିଦିଙ୍କ ଖେଳ ଖତମ୍‌ ହେବ ବୋଲି ଚର୍ଚ୍ଚା ହେଉଛି । 

କୁଆଡ଼େ ଗଲା ଇଣ୍ଡି ମେଣ୍ଟ
ବିହାରରେ ଯାହା, ବଙ୍ଗରେ ତାହା  !

ମୋଦୀଙ୍କୁ ଚେକ୍‌ ଦେବାକୁ ଇଣ୍ଡି ମେଣ୍ଟ ତିଆରି କରାଯାଇଥିଲା । ଲକ୍ଷ୍ୟ ଥିଲା ବିଜେପିକୁ କ୍ଷମତାରୁ ଦୂରେଇ ରଖିବା । ହେଲେ ବିଜେପି ବହୁମତ ପାଇବା ସହ ସରକାର ବି କଲା । ତେଣୁ ଇଣ୍ଡି ମେଣ୍ଟରେ ନିରାଶ ଖେଳିଯାଇଥିଲା । ସେପଟେ, ବିହାର ନିର୍ବାଚନରେ ବି କଂଗ୍ରେସ ଆରଜେଡି ସହ ନଲଢି ନିଜେ ପ୍ରତି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବ । ତେଣୁ ଇଣ୍ଡି ମେଣ୍ଟ ଗୋଟିଏ ପ୍ରକାର ଭାଙ୍ଗିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । 

ବଙ୍ଗ ପାଇଁ ରାହୁଲଙ୍କ ନୂଆ ମିଶନ୍‌

ବିରୋଧୀ ଦଳ ନେତା ତଥା କଂଗ୍ରେସର ସାଂସଦ ରାହୁଲ ଗାନ୍ଧି । ଦେଶରେ ହେଉଥିବା ନିର୍ବାଚନ ତାଙ୍କ ଦଳ ସପକ୍ଷରେ ଯାଉନି । ହେଲେ ବଙ୍ଗକୁ ନେଇ ସେ କୁଆଡ଼େ ସ୍ବତନ୍ତ୍ର ରଣନୀତି କରିବାକୁ ଯାଉଛନ୍ତି । ଆଉ ଏହି ରଣନୀତି ବଳରେ କଂଗ୍ରେସ ବଙ୍ଗରେ କ୍ଷମତା ଦଖଲ କରିପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ଏମିତି ହୁଏ, ତା'ହେଲେ ଦିଦିଙ୍କୁ ଖୋଲା ମୈଦାନ ମିଳିବ ନାହିଁ । ଉଭୟ କଂଗ୍ରେସ ଓ ବିଜେପି ସହ ଲଢେଇ କରିବାକୁ ପଡ଼ିବ ଦିଦିଙ୍କୁ । ସେପଟେ ଦିଦିଙ୍କୁ ପୂରା ଦମ୍‌ରେ ଚେକ୍‌ ଦେବାକୁ ଅଧ୍ୟକ୍ଷ ପଦରୁ ଅଧୀର ରଂଜନ ଚୌଧୁରୀଙ୍କୁ ହଟାଇ ଦିଆଯାଇଥିବା କୁହାଯାଉଛି । 

ଦିଲ୍ଲୀରୁ ବଦଳିଛି କଂଗ୍ରେସ ନିର୍ବାଚନ ରଣନୀତି

ଦିଲ୍ଲୀରେ କଂଗ୍ରେସ ଏତେ ପ୍ରଚାର କରିବା ପରେ ହାରିଲା । ତେଣୁ ଦିଲ୍ଲୀ ପରେ କଂଗ୍ରେସ ରଣନୀତି ବଦଳାଇ ଦେଇଛି । କେଜ୍ରିୱାଲଙ୍କୁ ଯେଉଁପରି ଭାବରେ ରାହୁଲ ଆକ୍ରମଣାତ୍ମକ ମୁଦ୍ରାରେ ଟାର୍ଗେଟ୍‌ କରିଥିଲେ ଠିକ୍‌ ସେମିତି ଦିଦିଙ୍କୁ ବି ଟାର୍ଗେଟ୍‌ କରିବେ । ଏମିତି ହେଲେ ଦିଦିଙ୍କ ସ୍ଥିତି ଗମ୍ଭୀର ହେବ । ତେବେ କେଉଁ କେଉଁ ପ୍ରସଙ୍ଗରେ ରାହୁଲ ଦିଦିଙ୍କୁ ଘେରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ବି ଚର୍ଚ୍ଚା ଜୋର ଧରିଛି । ମୋଟ୍‌ ଉପରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଖରାପ ହେଉଥିବା ବେଳେ ଆଗାମୀ ଦିନରେ ଦଳକୁ ମଜବୁତ୍‌ କରିବାକୁ ରାହୁଲ ଚିନ୍ତା କରୁଛନ୍ତି । ଏବେ ସମୟ କହିବ ରାହୁଲଙ୍କ ରଣନୀତି କେତେ କାମ ଦେଉଛି ।