କନକ ବ୍ୟୁରୋ : ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବର୍ଷିଲେ ପୁରୀ ଶଙ୍କରାଚାର୍ଯ୍ୟ । ଇଂରେଜମାନେ ଯେପରି ଭାରତକୁ ବ୍ୟବସାୟ କରିବା ପାଇଁ ଆସିଥିଲେ, ସେହିଭଳି ଇସ୍କନ ପକ୍ଷରୁ ବିଦେଶରେ ଅଦିନିଆ ରଥଯାତ୍ରା କରାଯାଉଛି । ଏହା ହିନ୍ଦୁଙ୍କ ବିରୁଦ୍ଧରେ ବଡ଼ ଷଡ଼ଯନ୍ତ୍ର ବୋଲି କହିଛନ୍ତି ଜଗଦ୍‌ଗୁରୁ । ପୁରୀଠାରେ ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ବିଶ୍ୱବ୍ୟାପୀ ସଂଗଠନ ପକ୍ଷରୁ ଆୟୋଜିତ ଶ୍ରୀଜଗନ୍ନାଥ ବିଶ୍ଵ ଆଧ୍ୟାତ୍ମିକ ସମାବେଶକୁ ଉଦ୍‌ଘାଟନ କରି ଏଭଳି ବର୍ଷିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ।

Advertisment

ସାରା ବିଶ୍ୱରେ ଶ୍ରୀଜଗନ୍ନାଥ ସଂସ୍କୃତି, ସନାତନ ଧର୍ମ ବହୁ ପ୍ରାଚୀନ । ଏହି ମହାନ ସଂସ୍କୃତି ବିଶ୍ୱରେ ଅନନ୍ୟ । ତେଣୁ ଇସ୍କନର ଏଭଳି ଅଦିନିଆ ରଥଯାତ୍ରା ଶାସ୍ତ୍ର ବିରୋଧୀ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ଏଥିସହ ପଶ୍ଚିମବଙ୍ଗ ଦିଘାରେ ଯେଉଁ ଜଗନ୍ନାଥ ମନ୍ଦିର ନିର୍ମାଣ କରି ଜଗନ୍ନାଥ ଧାମ କୁହାଯାଉଛି, ତାହା ଓଡ଼ିଶାର ଅର୍ଥନୈତିକ ସ୍ରୋତକୁ ରୋକିବା ପାଇଁ ମମତା ବାନାର୍ଜୀଙ୍କ ପ୍ରୟାସ ବୋଲି କହିଛନ୍ତି ।

ଅଧିକ ପଢ଼ନ୍ତୁ : ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ମାନୁନି ଇସ୍କନ, ବିଦେଶରେ କରୁଛି ଅଦିନିଆ ରଥଯାତ୍ରା

ଆଜିଠୁ ପୁରୀ ପୌରସଦନରେ ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ବିଶ୍ୱବ୍ୟାପୀ ସଂଗଠନ ପକ୍ଷରୁ ଆରମ୍ଭ ହୋଇଛି ତିନିଦିନିଆ ଶ୍ରୀଜଗନ୍ନାଥ ବିଶ୍ଵ ଆଧ୍ୟାତ୍ମିକ ସମାବେଶ । ଏଥିରେ ବିଶ୍ୱରୁ ୫୩ ଟି ଦେଶର ପ୍ରତିନିଧିମାନେ ଯୋଗ ଦେଇଛନ୍ତି । ଏହି ସମାବେଶରେ ମହାପ୍ରଭୁଙ୍କ ମହାପ୍ରସାଦର ମହିମା ହେଉ କି ଶ୍ରୀ ଜଗନ୍ନାଥ ଚେତନା ଜାଗରଣ ସମ୍ପର୍କରେ ହେବ ଆଲୋଚନା ।