କନକ ବ୍ୟୁରୋ : ବିଦାୟ ନେବ ୨୦୨୫ । ଆଉ ତିନି ଦିନ ପରେ ବଦଳିଯିବ କ୍ୟାଲେଣ୍ଡର । ନୂଆବର୍ଷ ୨୦୨୬କୁ ସ୍ୱାଗତ କରିବାକୁ ସବୁଆଡ଼େ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଆଜିଠୁ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଆଉ ଏହାରି ଭିତରେ ନୂ୍ଆବର୍ଷରେ ଅଧ ରାତିରେ ମହାପ୍ରଭୁଙ୍କୁ ରାତିଅନିଦ୍ରା କରି ଦର୍ଶନ ନିଷ୍ପତ୍ତିକୁ ନେଇ ମୁଣ୍ଡ ଟେକିଛି ନୂଆ ବିବାଦ ।

Advertisment

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏବେ ଶ୍ରୀକ୍ଷେତ୍ର ମୁହାଁ । ବଡ଼ଦାଣ୍ଡରେ ଜମିଲାଣି ଭକ୍ତଙ୍କ ଭିଡ଼ । ଜାନୁଆରୀ ପ୍ରଥମ ସପ୍ତାହ ଯାଏଁ ପୁରୀରେ ଲାଗି ରହିବ ଏଭଳି ଭିଡ଼ । ଆଉ ନୂଆବର୍ଷ ଦିନ ମହାପ୍ରଭୁଙ୍କ ଦର୍ଶନରୁ ଦିନ ଆରମ୍ଭ କରିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଭିଡ଼ ନିୟନ୍ତ୍ରଣ ପାଇଁ ମୁତୟନ ହେବେ ୬୦ ପ୍ଲାଟୁନ୍ ଫୋର୍ସ । ଜରୁରୀକାଳୀନ ପରିସ୍ଥିତି ପାଇଁ ରହିବେ ୬ କ୍ବିକ୍ ରେସ୍‌ପନ୍ସ ଟିମ୍ ।

ଅଧିକ ପଢ଼ନ୍ତୁ : ‘ନୂଆବର୍ଷରେ ମହାପ୍ରଭୁଙ୍କୁ କରନି ଅନିଦ୍ରା’; ଶ୍ରୀମନ୍ଦିର ପ୍ରଶାସନକୁ ପଣ୍ଡିତଙ୍କ ଚିଠି

ଏପଟେ ମହାପ୍ରଭୁଙ୍କ ଦର୍ଶନକୁ ନେଇ ଦେଖାଦେଲାଣି ନୂଆ ବିବାଦ । ପ୍ରତିବର୍ଷ ନୂଆବର୍ଷ ବେଳେ ଭକ୍ତଙ୍କ ଭିଡ଼ ଜମୁଥିବାରୁ ରାତିସାରା ଖୋଲା ରହିଥାଏ ଶ୍ରୀମନ୍ଦିର । ହେଲେ ଏଥର ଏହାକୁ ବିରୋଧ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା ସମିତିର ସଦସ୍ୟ ପଣ୍ଡିତ ମହେଶ ସାହୁ । ଗଜପତି ମହାରାଜା, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଓ ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖି ଆପତ୍ତି ଜଣାଇଛନ୍ତି । କହିଛନ୍ତି, ଜାନୁଆରି ୧ ପରମ୍ପରାଗତ ନବବର୍ଷ ନୁହେଁ । ତେଣୁ ମହାପ୍ରଭୁଙ୍କୁ ରାତି ଅନିଦ୍ରା କରାନଯାଉ । ରାତିରେ ନ ଖୋଲୁ ଶ୍ରୀମନ୍ଦିର ।

ଇଂରାଜୀ ନୂଆବର୍ଷରେ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ । ଅନ୍ୟ ତିନି ଦ୍ୱାରା ଦେଇ ପ୍ରସ୍ଥାନ କରିବେ । ଏମିତି ପ୍ରସ୍ତୁତି କରିଛି ପ୍ରଶାସନ । ଏବେ ନିଷ୍ପତ୍ତି ବଦଳିବ କି ପୂର୍ବ ଯୋଜନାରେ ଦର୍ଶନ ହେବ, ତା ଉପରେ ରହିଛି ନଜର ।