କନକ ବ୍ୟୁରୋ : ପୁଣି ରତ୍ନସିଂହାସନରେ ବିରାଜିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ଭାଇରାଲ୍ । କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ବାରମ୍ବାର ଶ୍ରୀମନ୍ଦିର ଭିତରକୁ ମୋବାଇଲ, ହିଡେନ୍ କ୍ୟାମେରା ଯିବାରୁ ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶାସନର ଅବହେଳାକୁ ଦାୟୀ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶ୍ରଦ୍ଧାଳୁ ।

Advertisment

କଟକଣା ସତ୍ତ୍ୱେ ମାନୁନାହାନ୍ତି ଅମାନିଆ । ବଡ଼ଦେଉଳ ଭିତରେ ଉଠାଉଛନ୍ତି ଫଟୋ । ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି । ସେମିତି ଶ୍ରୀମନ୍ଦିର ଗର୍ଭଗୃହ ଭିତରର ଫଟୋ ହୋଇଛି ଭାଇରାଲ୍ । ଆର୍ଶୀବାଦ ୯୪୫ ନାମକ ଜଣେ ବ୍ୟକ୍ତି ତାଙ୍କ ସୋସିଆଲ ମିଡିଆରେ ରତ୍ନସିଂହାସନରେ ବିରାଜିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ପୋଷ୍ଟ କରିଛନ୍ତି । ଭିତର ଫଟୋ ଭାଇରାଲ ପରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଅମାନିଆଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବାକୁ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ : ଅନ୍ତିମ ସଂସ୍କାର ପାଇଁ ସ୍ବର୍ଗଦ୍ବାରରେ ବଢୁଛି ଶବ ସଂଖ୍ୟା: କାଠ ଯୋଗାଣ ନେଇ ବଢ଼ିଲା ଚିନ୍ତା

ରତ୍ନସିଂହାସନର ଫଟୋ ଭାଇରାଲ ପରେ ଘଟଣାକୁ ଗୁରୁତର ସହ ନେଇ ସିଂହଦ୍ୱାର ଥାନାରେ ମାମଲା ରୁଜୁ କରିଛି ପୁଲିସ୍ । ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ପାଇଁ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚିଠି ଲେଖିଛନ୍ତି । ଏହି ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୁରୁଣା ଆଇନରେ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଚାଲିଛି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ହେବ ।

ଶ୍ରୀମନ୍ଦିର ଭିତର ଫଟୋ ବାରମ୍ବାର ଭାଇରାଲ ହେଉଛି । ଅନେକ ସମୟରେ ଶ୍ରଦ୍ଧାଳୁଙ୍କ ନିକଟରୁ ମୋବାଇଲ ଓ ହିଡେନ କ୍ୟାମେରା ଜବତ ହେଉଛି । କିନ୍ତୁ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେଉନି । କେବଳ ଜରିମାନା କରି ଛାଡ଼ି ଦିଆଯାଉଛି । ପ୍ରଶ୍ନ ଉଠୁଛି, ମହାପ୍ରଭୁଙ୍କ ସହ ଆଉ କେତେ ବୁଝାମଣା ? କେବେ ସୁନିଶ୍ଚିତ ହେବ ଶ୍ରୀମନ୍ଦିର ସୁରକ୍ଷା ?