କନକ ବ୍ୟୁରୋ:  ବାତ୍ୟା ଫନିରେ ବେସାହାରା ହୋଇଥିବା ପରିବାରଙ୍କୁ କ୍ଷତିପୂରଣ ଦେଲେନି, ହାଇକୋର୍ଟଙ୍କ ରାୟକୁ ବି ମାନିଲେନି । ଶେଷରେ ସୁପ୍ରିମ୍‌କୋର୍ଟ ଯାଇ ହାରିଲା ଜିଲ୍ଲା ପ୍ରଶାସନ, ଏବେ ଫନି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବେ । ସାଢ଼େ ୬ବର୍ଷ କାଳ ଅସହାୟଙ୍କୁ ବାରଦୁଆର କରିବା ସହ ରାଜକୋଷରୁ ଅର୍ଥ ଖର୍ଚ୍ଚକରି କେସ୍‌ ଲଢ଼ିବା ଏବଂ ଏବେ କ୍ଷତିପୂରଣ ପ୍ରଦାନ କରିବା ଜିଲ୍ଲା ପ୍ରଶାସନକୁ ଶକ୍ତ ଧକ୍କା ବୋଲି କୁହାଯାଉଛି । ଫନିରେ ବେସାହାରା ହୋଇଥିବା ପରିବାରଙ୍କର ସର୍ଭେ ହୋଇଥିଲା ।

Advertisment

ଅଧିକ ପଢନ୍ତୁ: ୬ ବର୍ଷ ପରେ ବି ଶୁଖିନି ଫନି କ୍ଷତ ; ଜଳଜଳ ହୋଇ ଦିଶୁଛି ସତ

ସର୍ଭେରେ ଯୋଗ୍ୟ ହୋଇଥିଲେ ମଧ୍ୟ ପୁରୀ ସଦର ବ୍ଲକ୍‌ କହ୍ନେଇ ବିଦ୍ୟାଧରପୁର ଗ୍ରାମର ୬୭ ପରିବାରକୁ କ୍ଷତିପୂରଣ ଦେଲେନି ।  ୨ବର୍ଷ ପରେ ଆଉ ଥରେ ସର୍ଭେ କରି ପ୍ରଶାସନ ଏ ସମସ୍ତଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା । ଏଣୁ ବେସାହାରା ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ବିଚାର କରି କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ସହାୟତା ରାଶି ୯୫ହଜାର ୧୦୦ ଟଙ୍କା ଲେଖାଏଁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ପ୍ରଶାସନ ଏହାକୁ ପାଳନ କରି ନଥିଲା ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନ ହେବାରୁ କ୍ଷତିଗ୍ରସ୍ତଙ୍କ ମଧ୍ୟରୁ ୪ ଜଣ ପୁରୀ ତହସିଲ୍‌ଦାରଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା କରିଥିଲେ । ତହସିଲ୍‌ଦାର ହାଜର ହୋଇ ପକ୍ଷ ରଖିଥିଲେ । ଜିଲ୍ଲା ପ୍ରଶାସନ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା । ଏବେ ସୁପ୍ରିମକୋର୍ଟ ମାମଲାର ବିଚାର କରି କ୍ଷତିଗ୍ରସ୍ତଙ୍କୁ ନିର୍ଦ୍ଧାରିତ କ୍ଷତିପୂରଣ ସହିତ ମୁଣ୍ଡ ପିଛା ୧୦ ହଜାର ଲେଖାଏଁ ଜରିମାନା ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।