କନକ ବ୍ୟୁରୋ:  ଫନି ବାତ୍ୟାକୁ ୬ ବର୍ଷ ବିତିଲାଣି। କିନ୍ତୁ ଏବେ ବି ଫନିର କ୍ଷତ ଜଳଜଳ ଦିଶୁଛି। ବାସ୍ତବତାକୁ ବୁଝିବାକୁ ସରକାର ଯେପରି ନାକ ଟେକୁଛନ୍ତି। ଥରେ ଭାବିଦେଖନ୍ତୁ, ଯଦି ପୁଣିଥରେ ଫନି ଭଳି ବାତ୍ୟାର ଓଡ଼ିଶା ସାମ୍ନା କରେ ତେବେ ପରିସ୍ଥିତି କଣ ହେବ?

Advertisment

ମେ ୩, ୨୦୧୯ । ଫଣା ମେଲାଇ ଆସିଥିଲା ଫନି। କେଇ ଘଣ୍ଟା ମଧ୍ୟରେ ସବୁକିଛି ଛାରଖାର କରି ଦେଇଥିଲା। ସ୍ଥଳଭାଗ ଛୁଇଁବା ପରେ ଫନିର ପ୍ରକୋପ ଦେଖିଥିଲା ପୁରୀ। ଫନି ସିନା ପୁରୀରେ ସ୍ଥଳଭାଗ ଛୁଇଁଥିଲା କିନ୍ତୁ ଭୁବନେଶ୍ବର ଦେଖିଲା ବାତ୍ୟା ବିଭୀଷିକାର କରାଳ ରୂପ। ଫନିର ପ୍ରକୋପରେ ରାଜଧାନୀର ପୂରା ବ୍ୟବସ୍ଥା ଅସହାୟ ହୋଇପଡିଲା। ସ୍ମାର୍ଟସିଟିରେ ବସି ବିପର୍ଯ୍ୟୟ ମୁକାବିଲାରେ ଏକ ନମ୍ବର ଡିଣ୍ଡିମ ପିଟୁଥିବା ଓଡ଼ିଶା ବିପର୍ଯ୍ୟୟ ମୁକାବିଲାରେ ସ୍ମାର୍ଟ ନଥିବାର ନଜିର ଦେଖିବାକୁ ମିଳିଲା। ଫାଇଲିନ ପରେ ଅଣ୍ଡର ଗ୍ରାଉଣ୍ଡ କେବୁଲ ବିଛାଇବାର ମିଛ ପ୍ରତିଶ୍ରୁତି ସେତେବେଳେ ପଦାକୁ ଆସିଲା ଯେତେବେଳେ ଫନିରେ ପୂରା ଭୁବନେଶ୍ବର ଅନ୍ଧାରରେ ରହିଲା। ୬ ବର୍ଷ ପରେ ମଧ୍ୟ ଯଥା ପୂର୍ବଂ ତଥା ପରଂ ସ୍ଥିତି । 

ବିପର୍ଯ୍ୟୟ ମୁକାବିଲାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ରାଜୀବ ଭବନ ଏବେ ବି ବିପଦସଙ୍କୁଳ ଅବସ୍ଥାରେ। ରାଜୀବ ଭବନ ବାତ୍ୟା ପ୍ରତିରୋଧକ ବିଲ୍ଡିଂ ହୋଇନଥିବା ବେଳେ ବାତ୍ୟା ଓ ଭୂମିକମ୍ପ ଭଳି ବିପର୍ଯ୍ୟୟକୁ ସାମ୍ନା କରିବାର ସାମର୍ଥ୍ୟ ନାହିଁ। ତେଣୁ ଫନି ଭଳି ସ୍ଥିତି ସୃଷ୍ଟି ହେଲେ କେମିତି ମୁକାବିଲା କରାଯିବ? ତାହା ସବୁଠୁ ବଡ ପ୍ରଶ୍ନ?

ଫନିର ପ୍ରକୋପରେ ସବୁଜିମା ହରାଇଥିବା ବାଲୁଖଣ୍ଡ ଅଭୟାରଣ୍ୟର ପୁନରୁଦ୍ଧାର କରିବାରେ ପ୍ରଶାସନ ଫେଲ ମାରିଛି। ବାତ୍ୟା ଫନି ପିପିଲିରେ ଅନେକ ଲୋକଙ୍କ ମୁଣ୍ଡରୁ ଛାତ ଉଡାଇ ନେଇଥିଲା। ୬ ବର୍ଷ ପରେ ଏବେ ଜରିପାଲକୁ ଛାତ କରି ସରକାରଙ୍କ ସହାୟତାକୁ ଅପେକ୍ଷା କରିଛନ୍ତି ବାତ୍ୟା ପ୍ରଭାବିତ। ୬ ବର୍ଷ ପୂର୍ବେ ବିପର୍ଯ୍ୟୟ ମୁକାବିଲାର ବାସ୍ତବତାକୁ ପଦାରେ ପକାଇଥିଲା ଫନି ବାତ୍ୟା। ଏହାପରେ ମଧ୍ୟ ବ୍ୟବସ୍ଥାରେ ସେଭଳି କିଛି ପରିବର୍ତ୍ତନ ହୋଇନି। ଏହାସତ୍ତ୍ବେ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ମଡେଲ କେମିତି ଏକ ନମ୍ବର ତାହା ସବୁଠୁ ବଡ଼ ପ୍ରଶ୍ନ?