କନକ ବ୍ୟୁରୋ:  ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରି ନାହିଁ । ଦୁଇ ଦେଶ କୌଣସି ନିଷ୍କର୍ଷରେ ପହଞ୍ଚି ନାହାନ୍ତି । ଗତବର୍ଷ ଅଗଷ୍ଟରୁ ଭାରତର ରପ୍ତାନିକାରୀମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ୫୦ ପ୍ରତିଶତ ଚଢ଼ା ଶୁଳ୍କ ଗଣୁଛନ୍ତି । ଏଭଳି ସ୍ଥିତିରେ ଏବେ ଆଉ ଏକ ସମସ୍ୟା ସାମ୍‌ନାକୁ ଆସିଲାଣି । ଆମେରିକାରୁ ଡାଲି ଆମଦାନି ଉପରେ ଭାରତ ୩୦ ପ୍ରତିଶତ ଶୁଳ୍କ ଗତବର୍ଷ ଅକ୍ଟୋବର ୩୦ରେ ଘୋଷଣା କରିଥିଲା । ଗତବର୍ଷ ନଭେମ୍ବର ୧ରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ନଜର ଆଢ଼ୁଆଳରେ ରହିଯାଇଥିବା ଏହି ପ୍ରସଙ୍ଗ ଏବେ ସାମ୍‌ନାକୁ ଆସିଛି। ଆମେରିକାର ଦୁଇ ସିନେଟ୍‌ ସଦସ୍ୟ ଏଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଚିଠି ଲେଖି ନୂଆଦିଲ୍ଲୀ ଉପରେ ଚାପ ପକାଇବା ପାଇଁ କହିଛନ୍ତି । ଏଭଳି ଶୁଳ୍କ ପାତରଅନ୍ତରମୂଳକ ବୋଲି ସେମାନେ କହିଛନ୍ତି ।

Advertisment


ନର୍ଥ ଡାକୋଟାର ସିନେଟର୍‌ କେଭିନ କ୍ରେମର ଏବଂ ଏବଂ ମୋଣ୍ଟାନାର ସିନେଟର୍‌ ଷ୍ଟିଭ ଡେନିସ୍‌ ଗତ ୧୬ ତାରିଖରେ ଲେଖିଥିବା ଚିଠିରେ ଏହା ଉଲ୍ଲେଖ କରିବା ସହିତ ଭବିଷ୍ୟତରେ ଭାରତ ସହିତ ଯେକୌଣସି ପ୍ରକାର ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମାରେ ଶସ୍ୟ ବ୍ୟବସାୟକୁ ନେଇ ଭଲ ବ୍ୟବସ୍ଥା ରଖିବାକୁ ଦାବି କରିଛନ୍ତି । ଏହି ଦୁଇ ରାଜ୍ୟ ଆମେରିକାରେ ଅଧିକ ଡାଲି ଉତ୍ପାଦନ କରୁଥିବା ପ୍ରମୁଖ ରାଜ୍ୟ ଭାବେ ପରିଗଣିତ ହୋଇଥାନ୍ତି। ଅନ୍ୟପକ୍ଷରେ ଭାରତ ବିଶ୍ବର ଏକ ପ୍ରମୁଖ ଡାଲି ବ୍ୟବହାରକାରୀ ଦେଶ ହୋଇଥିବାରୁ ଭାରତ ବିପୁଳ ମାତ୍ରାରେ ଡାଲି ଆମଦାନି କରିଥାଏ ।

ଅଧିକ ପଢନ୍ତୁ:  ଗ୍ରିନଲାଣ୍ଡ ଉପରେ ଟ୍ରମ୍ପଙ୍କ ଆଖି, ପ୍ରତ୍ୟେକ ନାଗରିକଙ୍କୁ ଆମେରିକାର ମୋଟା ଅଙ୍କର ଅର୍ଥର ପ୍ରସ୍ତାବ

ଦୁଇ ସିନେଟ୍‌ ସଦସ୍ୟ ଦର୍ଶାଇଛନ୍ତି ଯେ ଆମେରିକାର କୃଷକମାନେ ଭାରତର ଉଚ୍ଚ କୃଷି ଶୁଳ୍କକୁ ନେଇ ଚିନ୍ତିତ ଅଛନ୍ତି। ଉଚ୍ଚ ଶୁଳ୍କ ପାଇଁ ଭାରତରେ ଆମେରିକାର ଡାଲି ଦର ଅଧିକ ରହୁଛି। ତେଣୁ ଭାରତରେ ଆମେରିକାର ଡାଲି ବ୍ୟବସାୟୀମାନେ ପ୍ରତିଯୋଗିତା କ୍ଷମତା ହରାଉଛନ୍ତି। ସେମାନେ କହିଛନ୍ତି ଯେ ବିଶ୍ବର ପ୍ରାୟ ୨୭ ପ୍ରତିଶତ ଡାଲି ଭାରତରେ ବ୍ୟବହାର ହେଉଛି। ଆମେରିକାର ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟ (ୟୁଏସ୍‌ଟିଆର୍‌) ସୂତ୍ରରୁ ଜଣାଯାଇଛି ଯେ କୃଷି ସାମଗ୍ରୀ ଉପରେ ଭାରତର ଆମଦାନି ଶୁଳ୍କ ହାରାହାରି ୩୯ ପ୍ରତିଶତ ରହିଛି। କିନ୍ତୁ ଆମେରିକାରେ ଏହି ଶୁଳ୍କ ହାରାହାରି ୫ ପ୍ରତିଶତ ସ୍ତରରେ ରହିଛି ।

ଏଥିସହିତ ଭାରତକୁ କୃଷି ସାମଗ୍ରୀ ରପ୍ତାନି ‌କ୍ଷେତ୍ରରେ ନିୟାମକ, ବଜାର ସୁବିଧା ଭଳି ଅନ୍ୟାନ୍ୟ ପ୍ରତିବନ୍ଧକ ମଧ୍ୟ ରହିଛି। ଟ୍ରମ୍ପଙ୍କ ପ୍ରଥମ ରାଷ୍ଟ୍ରପତିତ୍ବ ଅମଳରେ ସେମାନେ ଏହି ପ୍ରସଙ୍ଗ ଉଠାଇଥିବା ବିଷୟ ମଧ୍ୟ କହିଛନ୍ତି। ସେହି ଚିଠିକୁ ୨୦୨୦ ବାଣିଜ୍ୟ ଆଲୋଚନା ସମୟରେ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜେ ହାତରେ ଦେଇଥିବା ସିନେଟର ଦ୍ବୟ ଦାବି କରିଛନ୍ତି । ୨୦୧୯ ଜୁନ୍‌ରେ ଆମେରିକାକୁ ସାଧାରଣ ଅଗ୍ରାଧିକାର ବ୍ୟବସ୍ଥାରୁ ବାଦ୍‌ ଦେବାରୁ ଡାଲି ଉପରେ ଶୁଳ୍କ ଯୁକ୍ତିଯୁକ୍ତ ନଥିବା ସେମାନେ ଦର୍ଶାଇଛନ୍ତି । ଉଲ୍ଲେଖଯୋଗ୍ୟ, କୃଷିଜାତ ଓ ଦୁଗ୍ଧଜାତ ସାମଗ୍ରୀ କ୍ଷେତ୍ରରେ ଆମେରିକା ଭାରତରେ ଚାହୁଥିବା ବଜାର ସୁବିଧା ପ୍ରସଙ୍ଗ ଭାରତ ଏବଂ ଆମେରିକା ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନାରେ ବଡ଼ କଣ୍ଟା ହୋଇ ରହିଛି। ତେଣୁ ଆମେରିକୀୟ ଡାଲି ବ୍ୟବସାୟୀଙ୍କ ପାଇଁ ଭାରତର ବଜାରକୁ ଉନ୍ମୁକ୍ତ କରାଯିବା ନୂଆଦିଲ୍ଲୀ ପକ୍ଷରେ ଗ୍ରହଣୀୟ ହୋଇ ନପାରେ।