କନକ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଯାଜପୁର ଯିବେ ।  ସେଥିପାଇଁ ସଜେଇ ହୋଇଛି ବିରଜା କ୍ଷେତ୍ର । ସହରର ଗଳିକନ୍ଦିଠାରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ  ସବୁଠି ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଆକର୍ଷଣୀୟ ଫୁଲ ସଜ୍ଜା ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ବିରଜା ମନ୍ଦିର ପରିସର । ସକାଳ ୯ଟା ୩୦ ମିନିଟ୍‌ରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଯାଜପୁର ସହରର ପ୍ରଶାସନିକ ଭବନ ପଡ଼ିଆରେ ଅବତରଣ କରିବେ। ସେଠାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି, ଆର୍‌ଡିସି, ଜିଲ୍ଲାପାଳ, ଏସ୍‌ପି ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବେ। ପ୍ରୋଟୋକଲ ଅନୁଯାୟୀ ସେଠାରୁ ରାଷ୍ଟ୍ରପତି କଡ଼ା ସୁରକ୍ଷା ମଧ୍ୟରେ ମାଆ ବିରଜାଙ୍କ ମନ୍ଦିରରେ ପହଞ୍ଚିବେ । କୁସୁମାଠାରୁ ମାଆ ବିରଜାଙ୍କ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ ପାଇଁ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

Advertisment

ରାଷ୍ଟ୍ରପତିଙ୍କ ପ୍ରଥମ ଯାଜପୁର ଗସ୍ତକୁ ଐତିହାସିକ ଓ ସ୍ମରଣୀୟ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରାଯାଇ ନାହିଁ । ପିଣ୍ଡଦାନ ସ୍ଥାନ ନାଭିଗୟାକୁ ସଂପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ କରାଯାଇଛି । ମା’ଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ୧୬ ଜଣ ବ୍ରାହ୍ମଣଙ୍କ ବ୍ୟତୀତ  ୩୨ଜଣ ସେବାୟତ ମନ୍ଦିରରେ ଉପସ୍ଥିତ ରହିବେ ବୋଲି ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି । ଏଥିସହ ମା’ ବିରଜାଙ୍କ ସ୍ବତନ୍ତ୍ର ବେଶ ଓ ନୀତିକାନ୍ତି ସେମାନଙ୍କ ଦ୍ବାରା ସଂପନ୍ନ ହେବ । ବିରଜା ମନ୍ଦିର ପରିସର, ବ୍ରହ୍ମାକୁଣ୍ଡ ଓ ଆଖପାଖ ଅଞ୍ଚଳକୁ ମଧ୍ୟ ଆକର୍ଷଣୀୟ ରୂପ ଦିଆଯାଇଛି । ଭଳିକିଭଳି ଫୁଲକୁଣ୍ଡରେ ବିରଜା କ୍ଷେତ୍ରକୁ ସଜାଇ ଫୁଲବଗିଚା ସୃଷ୍ଟି କରାଯାଇଛି ।

ଅଧିକ ପଢନ୍ତୁ : ୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଭୁବନେଶ୍ବରରେ ପହଞ୍ଚିଲେ ମହାମହିମ

ସେହିଭଳି ଯାଜପୁର ସହରକୁ ସଂପୂର୍ଣ୍ଣ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ସହରରେ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବା ସହିତ ବିଭିନ୍ନ ଜାଗାରେ କମାଣ୍ଡାଣ୍ଟ୍‌ ରାଙ୍କ୍‌ର ଅଫିସର, ୩ ଜଣ ଏସ୍‌ପି ରାଙ୍କ୍‌ର ଅଧିକାରୀ ଓ ୩୦ ଜଣ ଇନ୍ସପେକ୍ଟର, ସବ୍‌ଇନ୍ସପେକ୍ଟର ରାଙ୍କର ଅଧିକାରୀ ନିୟୋଜିତ ହେବେ । ଯାଜପୁର ପରେ ବାଲେଶ୍ବର ଯାଇ ଫକୀରମୋହନ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ଣ ପ୍ରାୟ ୩ଟା ୫୦ରେ ପୁରୀ ଅଭିମୁଖେ ବାହାରିବେ ରାଷ୍ଟ୍ରପତି ।