କନକ ବ୍ୟୁରୋ : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଷୋଡଶ ଉପଚାର ପୂଜା ଚାଲିଛି। ମାଙ୍କ ରଥଯାତ୍ରା ପାଇଁ ଶେଷ ପର୍ୟ୍ୟାୟରେ ପହଂଚିଛି ପ୍ରସ୍ତୁତି। ଦିନକ ପରେ ରଥ ଯାତ୍ରା । ତେଣୁ ରଥ କାମରେ ଖୁବ୍ ଜୋରସୋରରେ ଲାଗିଛନ୍ତି କାରିଗର ।
ପାର୍ବଣ ପାଇଁ ଚଳଚଞ୍ଚଳ ବିରଜାକ୍ଷେତ୍ର। ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ଆରମ୍ଭ ହୋଇଛି ମାଆ ବିରଜାଙ୍କ ଶାରଦୀୟ ଦୂର୍ଗୋତ୍ସବ। ସେହି ଦିନଠାରୁ କାଠ ସଂଗ୍ରହ ହୋଇ ରଥ କାର୍ୟ୍ୟ ଚାଲିଛି। ୧୫ ଜଣ କାରିଗର ବିଜୟା ରଥ ନିର୍ମାଣରେ ଲାଗିଛନ୍ତି। ମା’ଙ୍କର ଏହି ରଥକୁ ସ୍ୱୟଂ ବ୍ରହ୍ମା ପ୍ରସ୍ତୁତ କରିବା ସହ ନିଜେ ରଥର ସାରଥୀ ସାଜିଥାନ୍ତି ବୋଲି ପୌରାଣି କଥାବସ୍ତୁ ରହିଛି।
ବିରଜାଙ୍କ ପୀଠରେ ନବରାତ୍ର ପୂଜାର ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା। ଯାହା ଅନ୍ୟ କୌଣସି ଶକ୍ତିପୀଠରେ ଦେଖିବାକୁ ମିଳେନାହିଁ। ମହାଳୟା ଅମାବାସ୍ୟା ପ୍ରତିପଦ ଠାରୁ ବିରଜାଙ୍କ ନବ ଦିନାତ୍ମକ ବିଜୟା ରଥଯାତ୍ରା ହୁଏ। ମାଆଙ୍କ ଚଳନ୍ତି ପ୍ରତିମା ରଥରେ ବିଜେ କରି ମନ୍ଦିର ପରିକ୍ରମା କରିଥାନ୍ତି। ଏଭଳି ରଥ ପରମ୍ପରା ଅନ୍ୟ କୌଣସି ଶକ୍ତିପୀଠରେ ଦେଖିବାକୁ ମିଳେନାହିଁ। ରଥାରୁଢ଼ ମାଆଙ୍କ ଦର୍ଶନ ପାଇଁ ବିରଜାକ୍ଷେତ୍ରକୁ ଧାଇଁ ଆସିଥାନ୍ତି ଶ୍ରଦ୍ଧାଳୁ ।
ଚଳିତ ବର୍ଷ ରଥଯାତ୍ରା ଓ ନବରାତ୍ର ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି ।