କନକ ବ୍ୟୁରୋ: ୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି । ଆସନ୍ତାକାଲି ଅପରାହ୍ନ ୫ଟାରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡ୍ରେ ପହଞ୍ଚିବେ । ଏହାପରେ ପୁରୀ ଲୋକଭବନ ଯାଇ ସେଠାରେ ରାତ୍ରିଯାପନ କରିବେ । ଆସନ୍ତା ୪ ତାରିଖରେ ଶ୍ବେତଗଙ୍ଗାରେ ରାଷ୍ଟ୍ରପତି ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ଶ୍ରୀମନ୍ଦିରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ଲୁ ବୁକ୍ ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବ । ସ୍ବତନ୍ତ୍ର ୟୁନିଟ୍, ଆଣ୍ଟି ଡ୍ରୋନ୍ ଟିମ୍, ଆଣ୍ଟି ସାବୋଟାଇଜ ଟିମ୍, ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ ହେବେ । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଥିବା ସମସ୍ତ ହୋଟେଲ, ଲଜିଂ ଯାଞ୍ଚ କରାଯାଇଥିବା ବେଳେ ସହରରେ ରୁଟ୍ ପ୍ଲାନିଂ କରାଯାଇଛି l ସେହିପରି ଆଜି କେନ୍ଦ୍ରାଞ୍ଚଳ ଆଇଜି ପୁରୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।
ଅଧିକ ପଢନ୍ତୁ: ଆଜିଠୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି :
ଧାର୍ମିକ ଓ ଅଧ୍ୟାତ୍ମିକ ଦୃଷ୍ଟିକୋଣରୁ ଶ୍ରୀକ୍ଷେତ୍ରର ଶ୍ୱେତଗଙ୍ଗାରେ ପିଣ୍ଡଦାନର ମହତ୍ତ୍ବ ରହିଛି । ରାଷ୍ଟ୍ରପତି ନିଜ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବା ନେଇ ଇଚ୍ଛା ପ୍ରକଟ କରିଥିବାରୁ ଶ୍ୱେତଗଙ୍ଗାରେ ସାବତ ନିଯୋଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି l ନିଯୋଗର ୩ଜଣ ସଦସ୍ୟ ବିଧି ପରମ୍ପରା ଅନୁସାରେ ପିଣ୍ଡଦାନ କାର୍ଯ୍ୟକୁ ସମାପନ କରିବା ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ପିଣ୍ଡଦାନ ପାଇଁ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଶ୍ରୀକ୍ଷେତ୍ରର ଧାର୍ମିକ ଓ ଆଧ୍ୟାତ୍ମିକତାକୁ ବୃଦ୍ଧି କରାଇବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/02/02/president-2026-02-02-19-00-33.jpg)