କନକ ବ୍ୟୁରୋ : ଧସିଗଲା କୋଟିକୋଟି ଟଙ୍କାର ନଦୀବନ୍ଧ । ଚାଷଜମି ସହ ଗାଁର ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଗୁଣ୍ଠୁଣୀପଡ଼ା ଚାଷୀ । ଠିକାଦାରଙ୍କ ନିମ୍ନମାନର କାମ ପାଇଁ ଏପରି ଅବସ୍ଥା ହୋଇଥିବା ଅଭିଯୋଗ କରିଛନ୍ତି ।
ବୈତରଣୀ ନଦୀର ପ୍ରଖରସ୍ରୋତ ଧୋଇ ନେଲା ନଦୀବନ୍ଧ । ଦଶରଥପୁର ବ୍ଲକ କୟାଁ ପଞ୍ଚାୟତ ଗୁଣ୍ଠୁଣୀପଡ଼ା ଗାଁ ନିକଟରେ ପ୍ରାୟ ୫୦୦ ମିଟର ବନ୍ଧ ନଦୀ ଗର୍ଭକୁ ଚାଲିଯାଇଛି । ଜଳ ସମ୍ପଦ ବିଭାଗ ନିର୍ବାହ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ସ୍ଥିତି ପରଖିଛନ୍ତି । କିନ୍ତୁ କିଛି ବିକଳ୍ପ ବ୍ୟବସ୍ଥା କରିନାହାନ୍ତି । ଯାହାକୁ ନେଇ ଆତଙ୍କିତ ଅଞ୍ଚଳବାସୀ । ସମୁଦ୍ର ଜୁଆର ସିଧାସଳଖ ନଦୀରେ ପ୍ରବେଶ କରୁଛି । କାଳେ କେତେବେଳେ ଲୁଣି ପାଇଁ ବନ୍ଧ ଅତିକ୍ରମ କରି ଚାଷ ଜମିକୁ ମାଡ଼ି ଯିବ ସେଇ ଆଶଙ୍କାରେ ଚାଷୀ ।
ଜଳ ସମ୍ପଦ ବିଭାଗ ପକ୍ଷରୁ ୩୯ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ନଦୀ ବନ୍ଧ । ୨ ମାସ ତଳେ ଏହାର ମରାମତି ବାବଦରେ ଖର୍ଚ୍ଚ ହୋଇଛି ୧୦ ଲକ୍ଷ ଟଙ୍କା । ପୁଣି ସେହି ସ୍ଥାନରେ ୫ଶହ ମିଟର ଅତଡ଼ା ଖସିବା କାର୍ଯ୍ୟର ମାନ ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମିଳିତ ଉଦ୍ୟମରେ ଟଙ୍କା ହରିଲୁଟ୍ ଅଭିଯୋଗ ଆସିଛି ।
ଦଶରଥପୁର ବ୍ଲକରେ ଗତ ୧୦ ବର୍ଷ ମଧ୍ୟରେ ଅନେକ ଥର ବନ୍ଧ ଧସିଛି, ଘାଇ ହୋଇଛି । ଏନେଇ ବାରମ୍ବାର ଅଭିଯୋଗ ପରେ ବି ଅନଭିଜ୍ଞ ଠିକାଦାରଙ୍କୁ କାର୍ଯ୍ୟ ଦିଆଯାଉଛି । ତେଣୁ ଦୁର୍ନୀତିର ଗନ୍ଧ ବାରିଛନ୍ତି ସ୍ଥାନୀୟ ବାସିନ୍ଦା। ତୁରନ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/29/31-2025-10-29-18-21-14.jpg)