କନକ ବ୍ୟୁରୋ : ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜେସନ ଗିଲେସ୍ପି ପୁଣିଥରେ ପାକିସ୍ତାନ କ୍ରିକେଟର କଳା ସତ୍ୟ ସାମ୍ନାକୁ ଆଣିଛନ୍ତି । ଗିଲେସପି ୨୦୨୪ ମସିହାରେ ପାକିସ୍ତାନ ଟେଷ୍ଟ ଦଳର କୋଚ୍ ହୋଇଥିଲେ, କିନ୍ତୁ ୮ ମାସ ମଧ୍ୟରେ ହିଁ କାର୍ଯ୍ୟକାଳ ଶେଷ ନକରି ସେ ଇସ୍ତଫା ଦେଇଥିଲେ । କୋଚିଂ ଛାଡିବା ପରେ ଗିଲେସପି ପାକିସ୍ତାନ କ୍ରିକେଟ୍ ଭିତରର ଏଭଳି କିଛି କଥା ପ୍ରକାଶ କରିଛନ୍ତି, ଯେଉଁଥିରେ ପିସିବିର ଅନ୍ତର୍ଜାତୀୟ ସ୍ତରରେ ବହୁତ ବେଜିଜ୍ଜତି ହୋଇଛି । ବିଶେଷ କରି ମୋହସିନ ନକଭିଙ୍କ ପିସିବିରେ ଏକଛତ୍ରବାଦୀ ଶାସନକୁ ନେଇ ସେ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି ।

Advertisment

ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଗିଲେସ୍ପି ପାକିସ୍ତାନ କ୍ରିକେଟ୍ ଦଳରେ ତାଙ୍କ ସହ ହୋଇଥିବା ଅପମାନଜନକ ବ୍ୟବହାର ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ସେ କହିଛନ୍ତି, “ମୋ କାର୍ଯ୍ୟକାଳ ସମୟରେ ଗ୍ୟାରି କର୍ଷ୍ଟନ ଏକ 'ଟିମ୍ କନେକ୍ସନ୍ କ୍ୟାମ୍ପ'ର ଆଇଡିଆ ଦେଇଥିଲେ । ପାକିସ୍ତାନୀ କ୍ରିକେଟ୍ ଦଳର ସମସ୍ତ ସଦସ୍ୟ ସେହି ବୈଠକରେ ନିଜ ନିଜର ଅନୁଭବ ବାଣ୍ଟିଥିଲେ । ମୁଁ ଅଷ୍ଟ୍ରେଲିଆରୁ ଆସିଥିଲି, ଗ୍ୟାରି ଦକ୍ଷିଣ ଆଫ୍ରିକାରୁ ଆସିଥିଲେ, କିନ୍ତୁ ଚେୟାରମ୍ୟାନ ମୋହସିନ ନକଭି ଜୁମ୍ କଲ୍‌ରେ ସଂଯୁକ୍ତ ହୋଇଥିଲେ । ସେ ନିଜେ ଲାହୋରରେ ରହୁଥିଲେ ମଧ୍ୟ ସେଠାକୁ ଆସିନଥିଲେ । ଅନ୍ୟପଟେ ଗ୍ୟାରି ଆଫ୍ରିକାରୁ ଆସିଥିଲେ । ଆମକୁ ଲାଗିଲା ଯେ ଚେୟାରମ୍ୟାନ ୨୦ ମିନିଟର ଡ୍ରାଇଭ୍ କରି ମଧ୍ୟ ଆସିପାରିଲେ ନାହିଁ, ଏହା ବହୁତ ବିଚିତ୍ର ଥିଲା ।”

ଅଧିକ ପଢ଼ନ୍ତୁ---ଅବସର ପୂର୍ବରୁ ଅଷ୍ଟ୍ରେଲୀୟ ଓପନର ଉସମାନ ଖ୍ବାଜାଙ୍କ ସାଂଘାତିକ ଅଭିଯୋଗ

ପାକିସ୍ତାନୀ ଦଳର କୋଚ୍ ଭାବରେ ଗିଲେସପିଙ୍କ କାର୍ଯ୍ୟକାଳ ଆରମ୍ଭରୁ ହିଁ ଅସୁବିଧାଜନକ ଥିଲା, ଯେତେବେଳେ ବାଂଲାଦେଶ ବିରୁଦ୍ଧରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ପାକିସ୍ତାନ ୨-୦ ରେ ପରାଜିତ ହୋଇଥିଲା । ଏହା ପରେ ଖରାପ ଫର୍ମ ଯୋଗୁଁ ବାବର ଆଜମଙ୍କୁ ପ୍ଲେଇଂ ଇଲେଭେନରୁ ବାହାର କରିବାକୁ ପଡିଥିଲା । କୋଚିଂରେ ଆହ୍ୱାନ ଏବଂ ଇସ୍ତଫା ସମ୍ପର୍କରେ ଗିଲେସପି କହିଛନ୍ତି, “ମୁଁ ପାକିସ୍ତାନ ଟେଷ୍ଟ ଦଳର କୋଚ୍ ଥିଲି । ପିସିବି ମୋ ସହିତ କୌଣସି ଆଲୋଚନା ନକରି ଆମର ସିନିୟର ଆସିଷ୍ଟାଣ୍ଟ କୋଚଙ୍କୁ ହଟାଇ ଦେଇଥିଲେ । ମୁଖ୍ୟ କୋଚ୍ ଭାବରେ ମୋତେ ଏହା ଆଦୌ ଠିକ୍ ଲାଗିଲା ନାହିଁ ।”

ସେ ଆହୁରି ମଧ୍ୟ କହିଛନ୍ତି, “ଏମିତି ଅନେକ କଥା ଥିଲା ଯେଉଁଥିପାଇଁ ମୁଁ ବହୁତ ଅପମାନିତ ଅନୁଭବ କଲି । ଦଳରେ ଏକ ଭିନ୍ନ ପ୍ରକାରର ମନମାନୀ ଚାଲିଥିଲା। ମ୍ୟାନେଜମେଣ୍ଟ କୋଚ୍‌ଙ୍କୁ କିଛି ଗୁରୁତ୍ୱ ଦେଉନଥିଲେ । ଏଭଳି ପରିସ୍ଥିତିରେ ସେଠାରେ ରହିବା ମୋତେ ଠିକ୍ ଲାଗିଲା ନାହିଁ, ଯେଉଁ କାରଣରୁ ମୁଁ ଇସ୍ତଫା ଦେଲି ।” ସୂଚନାଯୋଗ୍ୟ ଯେ, ପାକିସ୍ତାନ କ୍ରିକେଟ୍ ଦଳରେ କୋଚିଂ ଷ୍ଟାଫଙ୍କୁ ନେଇ ବିବାଦ ହେବା ଏହା ପ୍ରଥମ ଘଟଣା ନୁହେଁ । ଗତ କିଛି ବର୍ଷ ହେବ ପାକିସ୍ତାନ କ୍ରିକେଟ୍ ଦଳର କୋଚିଂ ଷ୍ଟାଫରେ 'ମ୍ୟୁଜିକାଲ୍ ଚେୟାର' ଭଳି ବାରମ୍ବାର ପରିବର୍ତ୍ତନ ଦେଖିବାକୁ ମିଳୁଛି ।