କନକ ବ୍ୟୁରୋ: ମହାକୁମ୍ଭ ଲାଗି ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ପ୍ରତି ଘଂଟାରେ ଲକ୍ଷାଧିକ ଲୋକଙ୍କ ପ୍ରୟାଗରାଜକୁ ସମାଗମ ହେଉଛି । ସ୍ଥିତି ତ ଏମିତି ହେଲାଣି ଯେ ପ୍ରୟାଗରାଜରେ ସ୍ଥିତି ଅନିୟନ୍ତ୍ରିତ ହୋଇ ପଡ଼ୁଛି । ପୋଲିସ ପ୍ରଶାସନ ଓ ପ୍ରଶାସନର ବରିଷ୍ଠ ଅଧିକାରୀ ଭିଡ଼ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ପରେ ଶ୍ରଦ୍ଧାଳୁଙ୍କ ଏତେ ମାତ୍ରାରେ ସମାଗମ ହେଉଥିବା କାରଣରୁ ସ୍ଥିତି ସଙ୍ଗୀନ ହେଉଛି । ପ୍ରୟାଗରାଜ ଯିବାକୁ ଦିଲ୍ଲୀ ଷ୍ଟେସନରେ କେଉଁ ପ୍ରକାର ଦଳାଚକଟା ସୃଷ୍ଟି ହୋଇଥିଲା ତାହା ପୁରା ଦେଶ ଦେଖିଲା । ଏହି ଦଳାଚକଟା ସ୍ଥିତିରେ ପ୍ରାୟ ୧୮ ଜଣଙ୍କ ଜୀବନ ବି ଗଲା । ଏବେ ସମାନ ଚିତ୍ର ଆସିଛି ପଡ଼ୋଶୀ ବିହାରରୁ । ଷ୍ଟେସନରେ ପ୍ରୟାଗରାଜ ଯିବାକୁ ଥିବା ଯାତ୍ରୀମାନେ ଷ୍ଟେସନରେ ଅପେକ୍ଷା କରିଥିଲେ ହେଲେ ଷ୍ଟେସନରେ ଟ୍ରେନ୍ ଆସି ପହଞ୍ଚିବା ପରେ କବାଟ ଖୋଲିନଥିଲା ବଗିର । ତେଣୁ ଲୋକମାନେ ରାଗିଯାଇ ଟ୍ରେନ୍ କବାଟର କାଚ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।
ମହାକୁମ୍ଭକୁ ଯିବାକୁ ଯାତ୍ରୀଙ୍କ ଜାମ୍
ସର୍ବାଧିକ ଭିଡ଼ ରେଲୱେ ଷ୍ଟେସନରେ
ମହାକୁମ୍ଭରେ ଧର୍ମ, ଆସ୍ଥା ଓ ବିଶ୍ବାସର ବୁଡ଼ ପକାଇବାକୁ ଏବେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । କେମିତି ମହାକୁମ୍ଭରେ ଯାଇ ସ୍ନାନ କରିବେ ସେନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ସତେ ଯେମିତି ଏକପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳୁଛି । କିଏ ଆଗେ ଯିବେ ସେନେଇ ଶ୍ରଦ୍ଧାଙ୍କୁ ବିଚଳିତ ହେଉଥିବା ଦେଖିବାକୁ ମିଳୁଥିବା ବେଳେ ବିହାର ଷ୍ଟେସନରୁ ଏକ ଭୟଙ୍କର ଭିଡ଼ ସାମ୍ନାକୁ ଆସିଛି । ଷ୍ଟେସନରେ ସଂପୂର୍ଣ୍ଣକ୍ରାନ୍ତି ଟ୍ରେନ୍ ପହଞ୍ଚିବା ପରେ ଟ୍ରେନ୍ରେ ଚଢିବାକୁ ଯାତ୍ରୀମାନେ ଚେଷ୍ଟା କରିଥିଲେ । ହେଲେ ଏସି ବଗିର କବାଟ ଏହି ଷ୍ଟେସନରେ ଖୋଲିନଥିଲା । କାହିଁକି ଏସି ବଗିର କବାଟ ଖୋଲିଲା ନାହିଁ ସେନେଇ ପାଟିତୁଣ୍ଡ କରିଥିଲେ ଯାତ୍ରୀ । ଆଉ ଏହାରି ଭିତରେ କିଛି ଯାତ୍ରୀ ଟ୍ରେନ୍ର କାଚ କବାଟ ଭାଙ୍ଗି ଦେଇଥିବା ସିସିଟିଭିରେ କଏଦ ହୋଇଛି ।
ମହାକୁମ୍ଭ ଲାଗି ପ୍ରବଳ ଭିଡ଼
ଏଥର ବିହାରରେ ସ୍ଥିତି ଅସମ୍ଭାଳ
ଖୋଲିଲାନି କବାଟ, ଭାଙ୍ଗିଦେଲେ ଲୋକ
୨ ମିନିଟ୍ ଥିଲା ଟ୍ରେନ୍ ଷ୍ଟପେଜ୍
ଏସି ବଗିରେ ଖଚାଖଚ ଭିଡ଼
ପ୍ରୟାଗରାଜ ଦେଇ ଯାଉଥିବା ସମସ୍ତ ଟ୍ରେନ୍ରେ ଏବେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି । ସ୍ଥିତି ତ ଏମିତି ହୋଇଛି ଯେ ଜେନେରାଲ ବଗିରେ ଟିକେଟ୍ କରି ଏସି ବଗି ଓ ସଂରକ୍ଷଣ ବଗିରେ ଚଢି ଯାତ୍ରା କରୁଛନ୍ତି । ଏହି ଭିତିରେ ସଂପୂର୍ଣ୍ଣକ୍ରାନ୍ତି ଏକ୍ସପ୍ରେସ ଷ୍ଟେସନରେ ପହଞ୍ଚିଥିଲା । ପୂର୍ବରୁ ଏସି ବଗିରେ ପ୍ରବଳ ଜାମ୍ ହୋଇଥିବା କାରଣରୁ ଏସି କବାଟ ଖୋଲାଯାଇନଥିଲା । ହେଲେ ଅପେକ୍ଷାରତ ଯାତ୍ରୀ କିଛି ବୁଝିବା ପରିସ୍ଥିତିରେ ନଥିଲେ । ସେଇଥି ଲାଗି ତ ଟ୍ରେନ୍ର କାଚ ଭାଙ୍ଗି ପଶିଯାଇଥିଲେ । କୁହାଯାଉଛି କି, ଯେଉଁମାନେ ଟିକେଟ୍ କରିଥିଲେ ସେମାନେ ବି ଟ୍ରେନ୍ରେ ଚଢିପାରିନଥିଲେ । ତେଣୁ ଉତକ୍ଷିପ୍ତ ହୋଇ ଏମିତି କରିଥିବା ଜଣାପଡ଼ିଛି ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଦାନାପୁର ରେଳମଣ୍ଡଳର ଡିଆରଏମ ଘଟଣା ସ୍ଥଳରେ ପହଞ୍ଚିଥିଲେ । କହିଥିଲେ, ଟ୍ରେନ୍ରେ ଚଢିବାରେ ଯଦି କୌଣସି ସମସ୍ୟା ଦେଖାଯାଉଛି ତାହାଲେ ଷ୍ଟେସନରେ ଟ୍ରେନ୍ ଯେତିକି ସମୟ ରହୁଛି ତାହାକୁ ବଢାଯିବ । ଯାତ୍ରୀଙ୍କ ସୁରକ୍ଷା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ଆରପିଏଫ୍ ଓ ରେଲୱେର ବରିଷ୍ଠ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ମୋଟ୍ ଉପରେ ଅହେତୁକ ଭିଡ଼ ହେଉଥିବା କାରଣରୁ ଏମିତି ସ୍ଥିତି ଉପୁଜିଛି ।