କନକ ବ୍ୟୁରୋ : ‘ନବୀନ ମୋ ନେତା, ପାଣ୍ଡିଆନ ନେତା ନୁହନ୍ତି। ମୋର ଯାହା କଥାବାର୍ତ୍ତା ମୁଁ ସିଧା ନବୀନଙ୍କ ସହ ହୁଏ।’ ‘ଜଣଙ୍କ ପରେ ଜଣେ ଅଫିସର କେନ୍ଦ୍ରୀୟ ଡେପୁଟେସନ୍‌ରେ ପଳାଇବେ। ଆପଣମାନେ କିଛି କରିପାରିବେନି। ଆପଣମାନେ ହିଁ ଏନ୍‌ଓସି ଦେଇ ପଠାଉଛନ୍ତି। ଶାସକ ଦଳ ଖାଲି କଥା କହିଲେ କ’ଣ ହେବ। ଯଦି କାର୍ଯ୍ୟାନୁଷ୍ଠାନ ନେବାର ଦମ୍‌ ଅଛି ତ ନିଅ। ଖାଲି ବୟାନବାଜି କଲେ କ’ଣ ହେବ।’ ‘ଶାସକ ଦଳ ବିଧାୟକ, ମନ୍ତ୍ରୀ କହୁଛନ୍ତି ପୂର୍ବ ସରକାରରେ ଅଫିସରମାନେ ଦୁର୍ନୀତି କରିଥିଲେ। ଯଦି ଅନିୟମିତତା ହୋଇଛି, ତେବେ ମାମଲା କର। କାର୍ଯ୍ୟାନୁଷ୍ଠାନ ନେଇ ଉଦାହରଣ ସୃଷ୍ଟି କର। କିନ୍ତୁ ପାଞ୍ଚ ବର୍ଷ ସରିଯିବ, ଆପଣମାନେ କିଛି କରିବେ ବୋଲି ଲୋକଙ୍କର ବିଶ୍ବାସ ନାହିଁ।’

Advertisment

ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କର ବିଧାନସଭା ଭିତରେ ଓ ବାହାରେ ଏହି ମନ୍ତବ୍ୟଗୁଡ଼ିକ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି କଥାଗୁଡ଼ିକ ଅରବିନ୍ଦଙ୍କୁ ଚର୍ଚ୍ଚିତ କରିଥିଲା ସତ; କିନ୍ତୁ ବିଜେଡିକୁ ପରୋକ୍ଷରେ ଅଡ଼ୁଆରେ ପକାଇଥିଲା। ତତ୍କାଳ ଦଳ କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ ମଧ୍ୟ ବର୍ତ୍ତମାନର ନିଲମ୍ବନ ପଛରେ ଏସବୁ ହିଁ ପ୍ରମୁଖ କାରଣ ବୋଲି ରାଜନୈତିକ ମହଲରେ ବିବେଚନା କରାଯାଉଛି। ଏହି ମହଲ ଆହୁରି କହୁଛନ୍ତି, ବିଜେଡିରେ ଏବେ ବି ପାଣ୍ଡିଆନଙ୍କ ହାକିମାତି ଚାଲିଛି। ହେଲେ ଅରବିନ୍ଦ ସବୁବେଳେ ନବୀନଙ୍କ ପ୍ରତି ଅରବିନ୍ଦଙ୍କ ଅଯାଚିତ ସମର୍ପଣ ଭାବ ପ୍ରକାଶ କରୁଥିଲେ। ଏହି କାର୍ଯ୍ୟାନୁଷ୍ଠାନ ନେଇ ଦଳ ଅନ୍ୟମାନଙ୍କୁ ସଙ୍କେତ ଦେଇଛି ଯେ ନବୀନଙ୍କୁ ନେତା ମାନିବା ସହ ପାଣ୍ଡିଆନଙ୍କୁ ବି ସ୍ବୀକାର କରିବାକୁ ପଡ଼ିବ।

ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ଏହା ଏକ ସତର୍କବାଣୀ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ, ରାଜ୍ୟସଭା ନିର୍ବାଚନ ପାଇଁ ନବୀନ ନିବାସରେ ଯେଉଁ ବଡ଼ ଯୋଜନା କରାଯାଉଛି, ଏହା ତାହାର ଏକ ପ୍ରତିଫଳନ ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଛି। ଖୁବ୍‌ଶୀଘ୍ର ଏହି ଯୋଜନାର ସ୍ପଷ୍ଟ ରୂପରେଖ ପଦାକୁ ଆସିବ।

ଅନ୍ୟପକ୍ଷରେ ପୂର୍ବ ସରକାର ସମୟର ପ୍ରଭାବଶାଳୀ ଅଫିସରମାନଙ୍କ ପ୍ରତି ବର୍ତ୍ତମାନର ସରକାର ନରମ ଆଭିମୁଖ୍ୟ ପୋଷଣ ନେଇ ଅରବିନ୍ଦ ସରକାରଙ୍କୁ ଉସ୍‌କାଉଥିଲେ। ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ଏହା ସରକାରଙ୍କୁ ଅଡ଼ୁଆରେ ପକାଉଛି। ଏପରିକି ଏ ନେଇ ଖୋଦ୍ ଶାସକ ଦଳର ବହୁ ନେତା ସେମାନଙ୍କର ଅସନ୍ତୋଷ ଝାଡ଼ୁଥିଲେ। ଏ ସମ୍ପର୍କରେ ପରୋକ୍ଷରେ ଅରବିନ୍ଦଙ୍କୁ ତାଗିଦ୍ କରାଯାଇଥିଲା। ହେଲେ ଏହି ପ୍ରସଙ୍ଗକୁ ସେ ବାରମ୍ବାର ଉଖାରିବାର ପରିଣାମରେ ନିଲମ୍ବନ କରାଗଲା ବୋଲି କୁହାଯାଉଛି।

ଆହୁରି ଜାଣନ୍ତୁ : ଟ୍ରମ୍ପଙ୍କ ଚେତାବନୀ ପରେ ଇରାନରେ ଅଟକିଲା ୮୦୦ ଜଣଙ୍କ ଫାଶୀ, ଇରାନ ସ୍ଥିତି ଉପରେ ନଜର ରଖିଛୁ କହିଲା ଆମେରିକା

ଆଉ ଏକ ମହଲରେ ଚର୍ଚ୍ଚା ହେଉଛି ଯେ ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର ଏବେ କିଛି ବଡ଼ ରାଜନୈତିକ ପଦକ୍ଷେପ ନେବାକୁ ଅଭିଯାନ ଚଳାଇଛନ୍ତି। ବିଭିନ୍ନ ସ୍ଥାନକୁ ଯାଇ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରୁଛନ୍ତି। ତାହାକୁ ନଜରରେ ରଖି ଅରବିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବିଜୟଙ୍କୁ ଚେକ୍ ଦେବାକୁ ଉଦ୍ୟମ କରାଯାଇଛି। ୨୬ ବର୍ଷ ତ‌ଳେ ଅର୍ଥାତ ୨୦୦୦ ମସିହାରେ ବିଜୟଙ୍କୁ ବିଜେଡିରୁ ନିଲମ୍ବନ କରିଥିଲେ ନବୀନ। ବିଜୟଙ୍କ ପୁଅ ଅରବିନ୍ଦ ବିଜେଡିରେ ଯୋଗ ଦେଇଥିଲେ ବି ବିଜୟ ବିଜେଡିକୁ ଫେରିନାହାନ୍ତି କି ନବୀନ ନିବାସ ଯାଇନାହାନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେଲା। ହେଲେ କେନ୍ଦୁଝରର ଅନ୍ୟତମ ପ୍ରଭାବଶାଳୀ ବିଧାୟକ ବଦ୍ରିନାରାୟଣ ପାତ୍ର ବାରମ୍ବାର ଦଳୀୟ କାର୍ଯ୍ୟଧାରାକୁ ସମାଲୋଚନା କରିଚାଲିଛନ୍ତି। ପାଣ୍ଡିଆନ-ବବିଙ୍କ ଯୋଡ଼ିକୁ ସିଧାସଳଖ ଆକ୍ରମଣ କରୁଛନ୍ତି। ସେମିତି ସାଂସଦ ଦେବାଶିଷ ସାମନ୍ତରାୟ ବି ଦଳର ପରିଚାଳନାକୁ ନେଇ ଅସନ୍ତୋଷ ଜାହିର କରିବା ସହ ପାଣ୍ଡିଆନଙ୍କୁ ସମାଲୋଚନା କରୁଛନ୍ତି। ହେଲେ ଏହି ଦୁଇ ବରିଷ୍ଠ ନେତାଙ୍କୁ ତାଗିଦ୍ କରିବାକୁ ଦଳରେ କାହାରି ସାହସ ପାଉ ନାହିଁ। ଆଜିର କାର୍ଯ୍ୟାନୁଷ୍ଠାନ ସେମାନଙ୍କ ପ୍ରତି ପରୋକ୍ଷରେ ଚେତାବନୀ ବୋଲି ଆଲୋଚନା ଚାଲିଛି।

ତେବେ ନବୀନଙ୍କର ଏହି ନିଷ୍ପତ୍ତି ଦଳକୁ ଛିଡ଼ାଇବ ନା ଏକଜୁଟ୍‌ କରିବ, ତାହା ସମୟ କହିବ। କ୍ଷମତାରେ ଥିଲା ବେଳେ କୌଣସି ବଡ଼ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସମୟରେ ସେମାନଙ୍କୁ ‘ଜନବିରୋଧୀ’ ଆଖ୍ୟା ଦିଆଯାଏ। ଏବେ ସେହି ଶବ୍ଦଟିକୁ ବାଦ୍ ଦେଇ ‘ଦୁର୍ନୀତିଗ୍ରସ୍ତ ବିଶ୍ବାସଘାତକ’ ଶବ୍ଦ ବ୍ୟବହାର କରାଯାଇଛି। କିନ୍ତୁ ନିଲମ୍ବିତ ଦୁଇ ବିଧାୟକ କି ଦୁର୍ନୀତି କରିଛନ୍ତି ଓ କାହା ସହ କିପରି ବିଶ୍ବାସଘାତକତା କରିଛନ୍ତି, ତାହା ସ୍ପଷ୍ଟ କରାଯାଇନି।