କନକ ବ୍ୟୁରୋ : ଆଗରୁ ବାରି,ବଗିଚାମାନଙ୍କରେ ଅନେକ ପ୍ରକାର ଔଷଧିୟ ବୃକ୍ଷ,ଲତା ଦେଖିବାକୁ ମିଳୁଥିଲା । ଘରେ କାହାର କିଛି ଦେହ ଖରାପ ହେଲେ ବାରିରୁ ପତ୍ର ତୋଳି ବାଟି ଏହାକୁ ଔଷଧ ରୂପରେ ଖିଆ ଯାଉଥିଲା । ସେତେବେଳେ ତ ଆଉ ଗାଁମାନଙ୍କରେ ଏତେ ମେଡିସିନ୍ ଦୋକାନ ନଥିଲା କି ହାତପାହାନ୍ତାରେ ଔଷଧ ମିଳୁନଥିଲା ତେଣୁ ଜେଜେବାପା ଅମଳର ଲୋକମାନେ ଏହି ଔଷଧିୟ ପତ୍ର ଉପରେ ହିଁ ଭରସା କରୁଥିଲେ । ବର୍ତ୍ତମାନ ସମୟରେ କେବଳ ସହରରେ ନୁହେଁ ଗାଁମାନଙ୍କରେ ମଧ୍ୟ ଔଷଧ ସହଜରେ ଉପଲବ୍ଧ । ତେଣୁ ବାରି ବଗିଚାରେ ଆଉ ଏହି ଔଷଧିୟ ବୃକ୍ଷ,ଲତା ଦେଖିବାକୁ ମିଳୁନି । କିନ୍ତୁ ଯଦି ଘରେ କେହି ବୟଜ୍ୟେଷ୍ଠ ଥିବେ ତା’ହେଲେ ସେମାନେ ଏହି ଔଷଧିୟ ପତ୍ରର ଉପକାରିତା ବିଷୟରେ ଭଲରେ ଜାଣିଥିବେ । ଏମିତି ହିଁ ଏକ ପତ୍ର ହେଉଛି ପସାରୁଣୀ ପତ୍ର । ପସାରୁଣୀ ପତ୍ର ହେଉଛି ଏକପ୍ରକାର ଲତା ଯାହାର ପତ୍ର ଅନେକ ଔଷଧିୟ ଗୁଣର ଅଧିକାରୀ । ଏହି ପତ୍ରକୁ ଇଂରାଜୀରେ Skunk Vine Leaf ବୋଲି କୁହାଯାଏ ଯାହା ପେଟର ଅନେକ ସମସ୍ୟା ଭଲ କରିଦିଏ । କିନ୍ତୁ ପସାରୁଣୀ ପତ୍ରରୁ ଆସୁଥିବା ଦୁର୍ଗନ୍ଧ ଯୋଗୁଁ ଅନେକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । ତେବେ ଦୁର୍ଗନ୍ଧ ହେଉଥିଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଏହା ବହୁତ ଭଲ ।

Advertisment

ଆଗକୁ ପଢ଼ନ୍ତୁ : ପ୍ରାଣ ନେଇଗଲା ପୁରୁଣା ଥର୍ମୋଫ୍ଲାକ୍ସ : ଡାକ୍ତର ବୁଝାଇଲେ କେମିତି ଗଲା ବ୍ୟକ୍ତିଙ୍କ ଜୀବନ

ଯେଉଁ ଲୋକଙ୍କ ଗ୍ୟାଷ୍ଟ୍ରିକ୍ ସମସ୍ୟା ଅଛି ପସାରୁଣୀ ପତ୍ରକୁ ଗୋଲମରିଚ ସହିତ ବାଟି କିଛି ଦିନ ସେବନ କରନ୍ତୁ ପେଟର ସମସ୍ତ ରୋଗ ସହ ଗ୍ୟାଷ୍ଟ୍ରିକ୍ ସମସ୍ୟା ମଧ୍ୟ ଦୂର ହେବ  । ନାଳ ରକ୍ତ ଝାଡ଼ା ହେଉଥିଲେ ଏହି ପତ୍ରର ରସ ସହିତ ମହୁ ମିଶାଇ ଦିନକୁ ୨ ରୁ ୩ ଥର ସେବନ କରନ୍ତୁ ମଳ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ଏହି ପତ୍ରକୁ ଛେଚି କ୍ଷତ ସ୍ଥାନରେ ଲଗାଇ ପଟି ବାନ୍ଧିଲେ କ୍ଷତ ଶୁଖିଥାଏ । ଖାଲି ଏତିକି ନୁହେଁ ଦରଜ ହୋଇଥିବା ଜାଗାରେ ଏହି ପତ୍ରକୁ ନିଆଁରେ ସେକି ବାନ୍ଧିଦେଲେ ଦରଜ ବା ଫୁଲିଥିବା ଜାଗା ଭଲ ହୁଏ । ପସାରୁଣୀ ତେଲକୁ ଆଣ୍ଠୁଗଣ୍ଠିରେ ମାଲିସ୍ କଲେ ଦରଜରୁ ମୁକ୍ତି ମିଳେ । ଏହି ପତ୍ରକୁ ତରକାରୀ କରି ମଧ୍ୟ ଖିଆଯାଏ । ଯାହାଦ୍ବାରା କୋଷ୍ଠକାଠିନ୍ୟ ଦୂର ହୁଏ । ପସାରୁଣୀ ପତ୍ରକୁ ତରକାରୀ କଲେ ଏଥିରୁ ଆଉ ଦୁର୍ଗନ୍ଧ ବାହାରେ ନାହିଁ । ଯେଉଁ ଲୋକଙ୍କୁ ଯାହା ବି ଖାଇଲେ ଅଜୀର୍ଣ୍ଣର ସମ୍ମୁଖିନ ହେବାକୁ ପଡୁଛି ସେମାନେ ୬ ରୁ ୭ ଟି ପସାରୁଣୀ ପତ୍ର ସହି ୫ ରୁ ୬ ଟି ଗୋଲମରିଚକୁ ବାଟି ଖାଆନ୍ତୁ । ଏହାଦ୍ବାରା ଆମ୍ବିଳା ହାକୁଟି ଓ ଅଜୀର୍ଣ୍ଣ ଦୂର ହୋଇଥାଏ । କୃମି ପାଇଁ ମଧ୍ୟ ଭାରି ଉପକାରୀ ପସାରୁଣୀ ପତ୍ର । ସାଧାରଣତଃ ଛୋଟ ପିଲାଙ୍କଠାରେ କୃମି ସମସ୍ୟା ଅଧିକ ଦେଖାଯାଏ । ଏହି ସମୟରେ ପସାରୁଣୀ ପତ୍ର ବାଟି ପିଇଲେ କୃମି ସମସ୍ୟା ଦୂର ହୁଏ । 

ଯଦିଓ ଔଷଧ ପରି ପତ୍ର ଶୀଘ୍ର କାମ କରିବ ନାହିଁ କିନ୍ତୁ ଏହା ଖାଇବା ଦ୍ବାରା ଶରୀରକୁ କୌଣସି ଅପକାର ମଧ୍ୟ ହେବ ନାହିଁ । ତେଣୁ ଯେତେବେଳେ ବି ଏହି ପତ୍ର ଆପଣଙ୍କ ଆଖିକୁ ଆସୁଛି ଏହାର ସଦୁପଯୋଗ କରିବାକୁ ଆଦୌ ଭୁଲନ୍ତୁ ନାହିଁ । ସ୍ବାସ୍ଥ୍ୟ ଯଦି ଅଧିକ ଖରାପ ଥିବ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ ।