କନକ ବ୍ୟୁରୋ : ଶୀତ ଦିନ ଆସିଲେ ସମସ୍ତଙ୍କୁ ଲୋଡ଼ା ପଡ଼େ ଉଷୁମ ପାଣି । ଖାସ୍ କରି ବୟସ୍କ,କୁନି ପିଲା ଏବଂ ଥଣ୍ଡାକାଶରେ ପୀଡ଼ିତ ରୋଗୀଙ୍କୁ ଉଷୁମ ପାଣିର ଅଧିକ ଆବଶ୍ୟକତା ପଡ଼ିଥାଏ । ଯେଉଁଥିପାଇଁ ବଜାରରେ ଥର୍ମୋଫ୍ଲାକ୍ସ ବିକ୍ରି ହେବା ବୃଦ୍ଧି ହେବା ସହିତ ଘରେ ଘରେ ଥର୍ମୋଫ୍ଲାକ୍ସର ବ୍ୟବହାର ମଧ୍ୟ ବଢ଼େ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଥର୍ମୋଫ୍ଲାକ୍ସ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ନେଇଯାଇଛି ! ଆଜ୍ଞା ହଁ ଭାରତରେ ନୁହେଁ ସୂଦୁର ତାଇବାନରେ ଘଟିଛି ଏମିତି ଏକ ଘଟଣା । ତାଇବାନର ଏହି ଘଟଣା ଏହାକୁ ସୂଚାଉଛି ଯେ ନିତିଦିନିଆ ବ୍ୟବହୃତ ଥର୍ମୋଫ୍ଲାକ୍ସ କେମିତି ଜଣେ ବ୍ୟକ୍ତିଙ୍କ ଜୀବନ ନେଇପାରେ । ୫୦ ବର୍ଷର ଜଣେ ଡ୍ରାଇଭର୍ ଯେ ୩ ଦଶନ୍ଧୀ ଧରି ଗାଡ଼ି ଚଲାଇ ଆସୁଛନ୍ତି କିନ୍ତୁ ଦିନେ ସକାଳୁ ଗାଡ଼ି ଚଲାଉଥିବା ବେଳେ ଅଚାନକ ତାଙ୍କର ନିୟନ୍ତ୍ରଣ ବିଗୁଡୁଛି ଆଉ ସେ ବିନା ବ୍ରେକ୍ ମାରି ସିଧା ଗୋଟିଏ ଦୋକାନରେ ଗାଡ଼ି ପିଟି ଦେଉଛନ୍ତି । ସାମାନ୍ୟ ଭଳି ଲାଗୁଥିବା ଏହି ଘଟଣା ସେତେବେଳେ ଗମ୍ଭୀର ହେଲା ଯେତେବେଳେ ଡାକ୍ତର ତାଙ୍କ ସ୍ଥିତିକୁ ଅତି ନିକଟରୁ ଦେଖିଲେ । ହସ୍ପିଟାଲରେ ଚିକିତ୍ସା କରୁଥିବା ସମୟରେ ଉକ୍ତ ଡ୍ରାଇଭରଙ୍କ ଶରୀରରେ ଅନେକ ପ୍ରକାର ଅସୁବିଧା ଦେଖାଗଲା । 

Advertisment

ଆଗକୁ ପଢ଼ନ୍ତୁ : ମୋବାଇଲରେ ଅଶ୍ଲୀଳ କଣ୍ଟେଣ୍ଟ୍ ଦେଖୁଛନ୍ତି କି ପିଲା ? ଆଜି ହିଁ ବଦଳାନ୍ତୁ ୫ ସେଟିଙ୍ଗ୍

Design
Design Photograph: (Google)

ହଙ୍ଗକଙ୍ଗର ମିଡିଆ ରିପୋର୍ଟ ଅନୁସାରେ ମସ୍ତିଷ୍କର ଗୋଟିଏ ପଟ ସଙ୍କୁଚିତ ହେବା , ରକ୍ତ ଅଭାବ, କିଡନି ଉପରେ ପ୍ରଭାବ ପଡ଼ି ଲଗାତାର ଥକ୍କା ଅନୁଭବ କରିବା , ସ୍ବାଦ ବାରି ନ ପାରିବା ଏମିତିକି ସବୁ ଖାଦ୍ୟରେ ଲୁଣ ନ ପଡ଼ିବା ପରି ଲାଗିବା ଭଳି ଲକ୍ଷଣ ଉକ୍ତ ବ୍ୟକ୍ତିଙ୍କ ଶରୀରରୁ ଜାଣିବାକୁ ମିଳିଥିଲା । ଡାକ୍ତରମାନେ ପୂର୍ବରୁ ଅନୁମାନ ଲଗାଇ ସାରିଥିଲେ ମଧ୍ୟ ଥରେ ରକ୍ତ ପରୀକ୍ଷା କରିବାରୁ ରୋଗ ବିଷୟରେ କନଫର୍ମ ହୋଇଗଲେ । ଉକ୍ତ ବ୍ୟକ୍ତିଙ୍କ ଶରୀରରେ ଲେଡର ମାତ୍ରା ଅଧିକ ଥିବାର ଜାଣିବାକୁ ମିଳିଥିଲା । ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଲା ଯେ ଲେଡ୍ ବ୍ୟକ୍ତିଙ୍କ ଶରୀର ଭିତରକୁ ଗଲା କେମିତି ? ଯାଞ୍ଚ୍ ଆଗକୁ ବଢ଼ିଲା ଏବଂ ଛାତି ଥରାଇଦେଲା ଭଳି କାରଣ ସାମ୍ନାକୁ ଆସିଲା । ପେସାରେ ଡ୍ରାଇଭର ଥିବା ବ୍ୟକ୍ତିଜଣଙ୍କ ପାଖାପାଖି ୨୦ ବର୍ଷ ପୂର୍ବର ଏକ ଥର୍ମୋଫ୍ଲାକ୍ସରେ କଫି ରଖି ପିଉଥିଲେ । ସମୟ ସହିତ ଉକ୍ତ ଥର୍ମାସର ଭିତର ପରସ୍ତ ଖରାପ ହୋଇ ସାରିଥିଲା । ଜଙ୍ଗ୍ ଲାଗିବା ଏବଂ ପରସ୍ତ ବାହାରିବା ଦ୍ବାରା କଫି ଭଳି ଗରମ ଏବଂ ଅମ୍ଲୀୟ ଡ୍ରିଙ୍କ୍ ସେହି ଧାତୁର ପରସ୍ତରେ ଘସି ହେବାକୁ ଲାଗିଲା ଏବଂ ଧିରେ ଧିରେ ଲେଡ୍ ସେହି କଫିରେ ମିଶିବାକୁ ଲାଗିଲା । ବର୍ଷ ବର୍ଷ ଧରି ସାଇଲେଣ୍ଟ୍ କିଲର ପରି ଲେଡ୍ କଫିରେ ମିଶିଲା ଏବଂ ପ୍ରତିଦିନ ଶରୀରରେ ଜହର ସୃଷ୍ଟି କରିବାର କାମ କଲା । 

ଏନେଇ ତାଇବାନର ନେଫ୍ରୋଲୋଜିଷ୍ଟ୍ କୁହନ୍ତି ଯେ ଦୀର୍ଘ ସମୟ ଧରି ଲେଡର ସଂପର୍କରେ ରହିଲେ ବ୍ୟକ୍ତିଙ୍କ ମାନସିକ ଏବଂ ଶାରୀରିକ ଉଭୟର ସ୍ବାସ୍ଥ୍ୟ ବିଗିଡ଼ିଯାଏ । ସ୍ମରଣଶକ୍ତି ହ୍ରାସ ପାଏ । ଖାଦ୍ୟ ଢୋକିଲାବେଳେ କଷ୍ଟ ଅନୁଭବ ହୁଏ । ଯାହା ଉକ୍ତ ଡ୍ରାଇଭରଙ୍କ କ୍ଷେତ୍ରରେ ଘଟିଥିଲା । ଆଉ ସେହି ସମୟରେ ତାଙ୍କୁ ଏସ୍ପିରେସନ୍ ନିମୋନିୟା ହୋଇଗଲା ଏବଂ କାର୍ ଦୁର୍ଘଟଣାର ପାଖାପାଖି ବର୍ଷେ ପରେ ତାଙ୍କର ମୃତ୍ୟୁ ହୋଇଗଲା । ତେବେ ସୋସିଆଲ୍ ମିଡିଆରେ ଏହି ଖବରଟି ଭାଇରାଲ୍ ହେବା ପରେ ୟୁଜର୍ସ ପୁରୁଣା ଥର୍ମୋଫ୍ଲାକ୍ସକୁ ବ୍ୟବହାର କରିବାକୁ ମନା କରିଛନ୍ତି ।