କନକ ବ୍ୟୁରୋ: ସ୍ମାର୍ଟ ସିଟିରେ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି ପାର୍କିଂ । ରାସ୍ତାକଡ଼ରେ ପାର୍କିଂ ବଢ଼ାଉଛି ଟ୍ରାଫିକ ଯନ୍ତ୍ରଣା । ସହରର ପାର୍କିଂକୁ ଵ୍ୟବସ୍ଥିତ କରିବାକୁ ବିଏମସି ପକ୍ଷରୁ ନୂଆ ନୂଆ ଯୋଜନା ହାତକୁ ନିଆଯାଉଛି । ଫି’ ମଧ୍ୟ ଆଦାୟ ହେଉଛି। ହେଲେ ଫଳ ଶୂନ୍। ସୁଧୁରୁନି ସମସ୍ୟା । ଏବେ ପୁଣି ଥରେ ଇନଷ୍ଟିଚ୍ୟୁସନାଲ ପାର୍କିଂ ଫି ଆଦାୟ ପାଇଁ  ଯୋଜନା ପ୍ରସ୍ତୁତ କରିଛି ବିଏମସି । 
 

Advertisment

ଘରୋଇ ଅନୁଷ୍ଠାନ ଉପରେ ପଡ଼ିବ ପାର୍କିଂ ଛାଟ
ଏଣିକି ରାସ୍ତା କଡ଼ରେ ପାର୍କିଂ କଲେ ଦେବେ ଫାଇନ୍‌ 

ଘରୋଇ ଅନୁଷ୍ଠାନ ହେଉ ଅବା ହସ୍ପିଟାଲ, ରେଷ୍ଟୁରାଣ୍ଟ ହେଉ ଅବା କୌଣସି ବ୍ୟବସାୟିକ ପ୍ରତିଷ୍ଠାନ । ଏଣିକି ଇନଷ୍ଟିଚ୍ୟୁସନାଲ ପାର୍କିଂ ଫି ଆଦାୟ କରିବାକୁ ନିଷ୍ପତ୍ତି ନେଇଛି ବିଏମସି । ଅନୁଷ୍ଠାନଗୁଡିକ ନିର୍ମାଣ ସମୟରେ ପାର୍କିଂ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ପାର୍କିଂ ବ୍ୟବସ୍ଥା କରୁନାହାନ୍ତି । ଫଳରେ ସମ୍ପୃକ୍ତ ଅନୁଷ୍ଠାନକୁ ଆସୁଥିବା ଲୋକ ରାସ୍ତା ଉପରେ ଗାଡି ପାର୍କିଂ କରୁଛନ୍ତି । ଯାହା ଦ୍ୱାରା ଟ୍ରାଫିକ ସମସ୍ୟା ବି ଉପୁଜୁଛି । ତେଣୁ ଏଭଳି ଅନୁଷ୍ଠାନକୁ ଚିହ୍ନଟ କରି ସେମାନଙ୍କ ଠାରୁ ଇନଷ୍ଟିଚ୍ୟୁସନାଲ ପାର୍କିଂ ଫି ଆଦାୟ କରାଯିବ ବୋଲି କହିଛନ୍ତି ମେୟର । ବିଭିନ୍ନ ଆବାସିକ ଅଞ୍ଚଳରେ ପାର୍କିଂ ସୁବିଧା ନଥିବାରୁ ଲୋକମାନେ ନିଜ ଗାଡ଼ିକୁ ରାସ୍ତା ଉପରେ ରଖୁଛନ୍ତି ।

ଅଧିକ ପଢନ୍ତୁ: ପାର୍କିଂକୁ ନେଇ ତୁମୁଳକାଣ୍ଡ: ନୋ ପାର୍କିଂ କହିବାରୁ ନିର୍ଦ୍ଧୁମ ମାଡ, ସିସିଟିଭିରେ କଏଦ ଦୃଶ୍ୟ

ତେଣୁ ଏଣିକି ପ୍ରତି ୱାର୍ଡରେ ଖାଲି ଥିବା ସରକାରୀ ଜାଗାକୁ ବିକଶିତ କରି ସେଠାରେ ପାର୍କିଂ ବ୍ୟବସ୍ଥା କରିବାକୁ ଯୋଜନା କରିଛି ବିଏମସି । ଖୁବ କମଦେୟ ଦେଇ ସେଠାରେ ଲୋକମାନେ ନିଜ ଗାଡ଼ି ରଖିପାରିବେ । ପୂର୍ବରୁ ଘରୋଇ ଜମିକୁ ଭଡାରେ ନେଇ ସେଠାରେ ପାର୍କିଂ ବ୍ୟବସ୍ଥା କରିବାକୁ ଯୋଜନା କରିଥିଲା ବିଏମସି । ହେଲେ ତାହା କାର୍ଯ୍ୟକାରୀ ହୋଇନି । ନୂଆ ଯୋଜନା କେତେ ଦୂର କାର୍ଯ୍ୟକାରୀ ହେବ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା । କେବଳ ଫି ଆଦାୟ କଲେ ହେବନି । ପ୍ରଥମେ ଲୋକଙ୍କୁ ସଚେତନ କରିବା ଜରୁରୀ । କେଉଁଠି ପାର୍କିଂ କରିବେ କେଉଁଠି କରିବେନି ସେ ନେଇ ବିଏମସି ପକ୍ଷରୁ ଲୋକଙ୍କୁ ଅବଗତ କରାଇବା ଜରୁରୀ ।